ଉଦ୍ୟମୀ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବାଲେଶ୍ୱର, ୨ ଜୁଲାଇ: ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) କ୍ଷେତ୍ରର ବିକାଶ, ନୂତନ ଉଦ୍ୟୋଗୀ ସୃଷ୍ଟି ଏବଂ ଯୁବପିଢ଼ୀଙ୍କ ମଧ୍ୟରେ ଉଦ୍ୟୋଗିତା ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜିଲ୍ଲା ଶିଳ୍ପ କେନ୍ଦ୍ର, ବାଲେଶ୍ୱର ଆନୁକୂଳ୍ୟରେ ଆୟୋଜିତ ପାଞ୍ଚଦିନିଆ “ଉଦ୍ୟମୀ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମ” ସ୍ଥାନୀୟ ନୋସି ବିଜନେସ୍ ପାର୍କଠାରେ ଗତକାଲି ଉଦ୍‌ଯାପିତ ହୋଇଯାଇଛି। ଗତ ୨୭ ଜୁନ୍‌ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକର ଉଦ୍ୟୋଗୀ, ଷ୍ଟାର୍ଟଅପ୍ ପ୍ରତିଷ୍ଠାତା, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ, ଛାତ୍ରଛାତ୍ରୀ ଓ ଉଦ୍ୟୋଗ ସ୍ଥାପନାରେ ଆଗ୍ରହୀ ଯୁବକ-ଯୁବତୀମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ। ଉଦ୍‌ଯାପନୀ ସମାରୋହରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ସନ୍ତୋଷ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଶିକ୍ଷା ଓ ଉଦ୍ୟୋଗ ପରସ୍ପରର ପରିପୂରକ। ଉଚ୍ଚଶିକ୍ଷା ସହ ଉଦ୍ୟୋଗିକ ଦକ୍ଷତା, ନବସୃଜନ ଓ ଗବେଷଣାର ସମନ୍ୱୟ ଦ୍ୱାରା ଯୁବପିଢ଼ୀ କେବଳ ନିଜ ପାଇଁ ନୁହେଁ, ଅନ୍ୟମାନଙ୍କ ପାଇଁ ମଧ୍ୟ ରୋଜଗାରର ସୁଯୋଗ ସୃଷ୍ଟି କରିପାରିବେ। ସେ ଛାତ୍ରଛାତ୍ରୀମାନଙ୍କୁ ଚାକିରି ଅପେକ୍ଷା ଉଦ୍ୟୋଗୀ ହେବା ପାଇଁ ମାନସିକତା ଗଢ଼ି ତୋଳିବା ସହ ସରକାରଙ୍କ ବିଭିନ୍ନ ଉଦ୍ୟୋଗପ୍ରୋତ୍ସାହନ ଯୋଜନାର ସୁଯୋଗ ନେବାକୁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ନୋସିର ସଭାପତି ପି. କେ. ଡାଭେ, ବାଲେଶ୍ୱର ଚେମ୍ବର ଅଫ୍ ଇଣ୍ଡଷ୍ଟ୍ରିଜ୍ ଆଣ୍ଡ କମର୍ସର ସଭାପତି ସଞ୍ଜୟ ଦାସ ଏବଂ ବାଲେଶ୍ୱର ଜିଲ୍ଲାର ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ, ୟୁକୋ ବ୍ୟାଙ୍କ, ମୋତିଲାଲ ଶାହା ଯୋଗଦେଇ ବର୍ତ୍ତମାନ ସମୟରେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ପରିବେଶ, ସରକାରଙ୍କ ବିଭିନ୍ନ ପ୍ରୋତ୍ସାହନ ନୀତି, ବ୍ୟାଙ୍କ ଋଣ ସୁବିଧା, ବଜାର ସଂଯୋଗ ଓ ଉଦ୍ୟୋଗୀମାନଙ୍କ ସମ୍ମୁଖୀନ ଆହ୍ୱାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ନୂତନ ଉଦ୍ୟୋଗୀମାନେ ସରକାରୀ ସହାୟତାର ସଠିକ୍ ଉପଯୋଗ କରି ଆତ୍ମନିର୍ଭର ହେବା ସହ ଅନ୍ୟମାନଙ୍କୁ ମଧ୍ୟ କର୍ମସଂସ୍ଥାନ ଯୋଗାଇପାରିବେ ବୋଲି ସେମାନେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ସୂର୍ଯ୍ୟକାନ୍ତ ବେହେରା ସ୍ୱାଗତ ଭାଷଣ ଦେଇ ପାଞ୍ଚଦିନିଆ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ବିଭିନ୍ନ ଅଧିବେଶନ, ପ୍ରଶିକ୍ଷଣ, ଉଦ୍ୟୋଗୀମାନଙ୍କ ସହ ଆଲୋଚନା ଏବଂ ଯୁବପିଢ଼ୀଙ୍କୁ ଉଦ୍ୟୋଗ ମୁଖୀ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବହୁ ସଂଖ୍ୟକ ନୂତନ ଉଦ୍ୟୋଗୀ ସରକାରଙ୍କ ବିଭିନ୍ନ ଯୋଜନା, ଆର୍ଥିକ ସହାୟତା ଓ ବଜାର ସୁଯୋଗ ସମ୍ପର୍କରେ ସଚେତନ ହୋଇଛନ୍ତି।

ଏହି ଅବସରରେ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଆୟୋଜିତ ପ୍ରବନ୍ଧ, ବିତର୍କ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାର ୮ ଜଣ କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ବାଲେଶ୍ୱର ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ଜଣେ ଲେଖାଏଁ ସଫଳ ଉଦ୍ୟୋଗୀଙ୍କୁ ସେମାନଙ୍କର ଉଦ୍ୟୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମ୍ମାନ ପ୍ରଦାନ ମାଧ୍ୟମରେ ନୂତନ ଉଦ୍ୟୋଗୀମାନଙ୍କୁ ପ୍ରେରଣା ଯୋଗାଇବା ସହ ସ୍ଥାନୀୟ ସଫଳ ଉଦ୍ୟୋଗୀମାନଙ୍କ ଅଭିଜ୍ଞତାକୁ ସମାଜ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା। ପାଞ୍ଚଦିନିଆ କାର୍ଯ୍ୟକ୍ରମରେ ଶିଳ୍ପ ସ୍ଥାପନା ପ୍ରକ୍ରିୟା, ଏମ୍‌ଏସ୍‌ଏମ୍‌ଇ ପଞ୍ଜୀକରଣ, ସରକାରୀ ପ୍ରୋତ୍ସାହନ, ବ୍ୟାଙ୍କ ଋଣ, ବିପଣନ, ଡିଜିଟାଲ୍ ବ୍ୟବସାୟ, ଖାଦ୍ୟ ପ୍ରକ୍ରିୟାକରଣ, ଷ୍ଟାର୍ଟଅପ୍ ଏବଂ ରପ୍ତାନିର ସମ୍ଭାବନା ଆଦି ବିଷୟରେ ବିଶେଷଜ୍ଞମାନଙ୍କ ଦ୍ୱାରା ବିଭିନ୍ନ ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହା ଜିଲ୍ଲାର ଉଦ୍ୟୋଗ ବିକାଶ ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା। ସହକାରୀ ଶିଳ୍ପ ଅଧିକାରୀ ପୂର୍ଣ୍ଣେନ୍ଦୁ କର ଧନ୍ୟବାଦ ଜ୍ଞାପନ କରିଥିବାବେଳେ ସହକାରୀ ପରିଚାଳକ ଅକ୍ଷୟ ଦାସ ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁରୂପେ ସଞ୍ଚାଳନ କରିଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ମମତା ପରିଡ଼ା, କ୍ଷୀତିଶ ପଣ୍ଡା, ଅମ୍ବୁଜ ମହାନ୍ତ, ସନ୍ଧ୍ୟାରାଣୀ ଦାସ, ଅଜିତ ସିଂ, ଅମରଜ୍ୟୋତି କବି, ଅଂଶୁମାନ ବେହେରା, ଅଭିଷେକ ଜେନା, ଭବାନୀ ଶଙ୍କର ପାତ୍ର, ସତ୍ୟବ୍ରତ ନାୟକ, ସମୀକ୍ଷା ସେନାପତି, ରାହୁଲ ହାଁସଦା ଓ ରମାକାନ୍ତ ବେହେରାଙ୍କ ସମେତ ଜିଲ୍ଲା ଶିଳ୍ପ କେନ୍ଦ୍ରର ସମସ୍ତ ଅଧିକାରୀ ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ। ଏହି ପାଞ୍ଚଦିନିଆ କାର୍ଯ୍ୟକ୍ରମରେ ଶତାଧିକ ଉଦ୍ୟୋଗୀ, ଶିଳ୍ପପ୍ରେମୀ, ଛାତ୍ରଛାତ୍ରୀ ଓ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମଟି ଜିଲ୍ଲାରେ ଉଦ୍ୟୋଗିତାର ପ୍ରସାର, ନୂତନ ଉଦ୍ୟୋଗ ସୃଷ୍ଟି ଏବଂ ଆତ୍ମନିର୍ଭର ଓଡ଼ିଶା ଗଠନ ଦିଗରେ ଏକ ସଫଳ ପ୍ରୟାସ ଭାବେ ପରିଗଣିତ ହୋଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ