ଗରିବ ରାଜ୍ୟର କୋଟିପତି ବିଧାୟକମାନେ ନିଜ ଦରମା, ଭତ୍ତାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରନ୍ତୁ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟର ବିଧାୟକମାନଙ୍କ ମଧ୍ୟରୁ ୯୫ ଜଣ ହେଉଛନ୍ତି କୋଟିପତି ବୋଲି ଏଡିଆର ରିପୋର୍ଟରେ ପ୍ରକାଶିତ ହୋଇଛି । ଯେଉଁ ରାଜ୍ୟର ୪ କୋଟି ୫୦ ଲକ୍ଷଙ୍କ ଭିତରୁ ୩ କୋଟି ୨୬ ଲକ୍ଷ ଲୋକ ସରକାରୀ ଚାଉଳ ଉପରେ ନିର୍ଭର କରନ୍ତି, ସେହି ରାଜ୍ୟର ୧୪୭ଜଣ ବିଧାୟକଙ୍କ ମଧ୍ୟରୁ ୯୫ଜଣ ଅର୍ଥାତ୍ ୬୫ ଭାଗ ବିଧାୟକ କୋଟିପତି ନିର୍ବାଚିତ ହେବା ଗଣତନ୍ତ୍ର ପ୍ରତି ଉପହାସ ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ କହିଛନ୍ତି ।
ଶ୍ରୀ ବେହେରା ଆହୁରି କହିଛନ୍ତି ଯେ, ଏହି କୋଟିପତି ବିଧାୟକମାନେ ନିଜର ବାର୍ଷିକ ଆୟର ବିବରଣୀକୁ ନିଜର ଚାଟାର୍ଡ ଆକାଉଣ୍ଟଙ୍କ ଜରିଆରେ ହିସାବ ନିକାସ କରି ଦେଖାଇଛନ୍ତି । କିନ୍ତୁ ତାହାଠାରୁ କାହିଁ କେତେଗୁଣା ସେମାନଙ୍କର ଅଦୃଶ୍ୟ ସ୍ରୋତରୁ ଆୟ ରହିଛି । ତେଣୁ ରାଜ୍ୟର ୩ କୋଟି ୨୬ ଲକ୍ଷ ଗରିବ ଲୋକଙ୍କ ସ୍ୱାର୍ଥକୁ ଆଖିଆଗରେ ରଖି ଏହି କୋଟିପତି ବିଧାୟକମାନେ ରାଜକୋଷରୁ ନିଜର ଦରମା, ଭତ୍ତା, ଗସ୍ତଖର୍ଚ୍ଚ ଓ ଚିକିତ୍ସା ବାବଦରେ ଯେଉଁସବୁ ଟଙ୍କା ନେଇଛନ୍ତି, ତାହାକୁ ଅବିଳମ୍ବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ ଜମା କରି ଜଣେ ଜନଦରଦୀ ନେତା ଭାବରେ ନିଜର ପରିଚୟକୁ ପ୍ରକାଶ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ଦଳୀୟ ସଭାପତିମାନେ ମଧ୍ୟ ଏହି କୋଟିପତି ବିଧାୟକମାନଙ୍କର ଦରମା ଆଉ ଭତ୍ତାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ ଜମା କରିବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦେବାକୁ ସମାଜବାଦୀ ପାର୍ଟି ଦାବି କରିଛନ୍ତି । ଫଳରେ ହଜାର ହଜାର ଗରିବ ଲୋକ ଉପକୃତ ହେବା ସହିତ ଗରିବ ଛାତ୍ରଛାତ୍ରୀମାନେ ପାଠ ପଢାର ସୁଯୋଗ ପାଇପାରିବେ ବୋଲି ଶ୍ରୀ ଆଶାପ୍ରକାଶ କରିଛନ୍ତି ।


