ଗର୍ଭପାତ ପାଇଁ ଅବସୋସ କରନ୍ତିନି ୪୬ ପ୍ରତିଶତ ମହିଳା

ଜଣେ ମହିଳାଙ୍କ ପାଇଁ ମା’ ହେବା ବିଶ୍ବର ସବୁଠାରୁ ବଡ଼ ଖୁସି। କିନ୍ତୁ ଅନେକ ସମୟରେ ପରିସ୍ଥିତି ଏପରି ହୋଇଯାଏ ଯେ ଜନ୍ମ ହେବାକୁ ଥିବା ପିଲା ମା’ ବାପାଙ୍କ ଖୁସିର କାରଣ ପରିବର୍ତ୍ତେ ଦୁଃଖର କାରଣ ପାଲଟିଯାଏ। ବୋଧହୁଏ ଏଥିପାଇଁ ପିଲା ଦୁନିଆକୁ ଆସିବା ପରର ପରିସ୍ଥିତିକୁ ଧ୍ୟାନରେ ରଖି ମା’ ହେବାକୁ ଯାଉଥିବା ମହିଳା ଅନେକ ସମୟରେ ଆବୋର୍ସନ ବା ଗର୍ଭପାତ ଭଳି କଠୋର ନିଷ୍ପତ୍ତି ନେଇଥାନ୍ତି। ଏବେ ଆପଣ ଭାବୁଥିବେ, ଏବେ ବଡ଼ ପଦକ୍ଷେପ ନେବା ପରେ ମହିଳାଙ୍କୁ ଗର୍ଭପାତ ପାଇଁ ଅବସୋସ ହେଉଥିବ। କିନ୍ତୁ ଏହା ସତ ନୁହେଁ।
ଗର୍ଭପାତର ୫ ବର୍ଷ ପରେ ବି ହୁଏନି ଅବସୋସ : ଗବେଷକମାନଙ୍କ କହିବାନୁସାରେ ସମୟ ଗଡ଼ିଯିବା ସହିତ ଗର୍ଭପାତ ସହିତ ଜଡ଼ିତ ମହିଳାଙ୍କ ପଜିଟିଭ୍‌ ଓ ନେଗେଟିଭ୍‌ ଦୁଇଟି ଯାକ ଫିଲିଙ୍ଗସ୍‌ ଧୂଆଁଳିଆ ହୋଇଯାଏ। ଗର୍ଭପାତ କରାଇବାର ୫ ବର୍ଷ ପରେ ମଧ୍ୟ ୮୪ ପ୍ରତିଶତ ମହିଳାଙ୍କ ମନରେ ଏହାକୁ ନେଇ କୌଣସି ଅନୁଶୋଚନା ନ ଥିଲା। ସେ ଯାହା କରିଥିଲେ ତାହାକୁ ନେଇ ସେମାନଙ୍କ ମନରେ କୌଣସି ଅନୁଭବ ନ ଥିଲା। ଆମେରିକାର ୟୁନିଭର୍ସିଟି ଅଫ୍‌ କାଲିଫର୍ଣ୍ଣିଆର ଆସୋସିଏଟ୍‌ ପ୍ରଫେସର ତଥା ଗବେଷଣାର ନେତୃତ୍ବ ନେଇଥିବା ଅଥର କୋରିନ ରୋକ୍କା କହିଛନ୍ତି ଯେ ଗର୍ଭପାତ କରାଇବା ସମୟରେ ମହିଳାମାନଙ୍କୁ ନିଷ୍ପତ୍ତି ନେବା ମୁସ୍କିଲ୍‌ ହୋଇଥାଏ। ସମାଜ ତାଙ୍କ ନିଷ୍ପତ୍ତିକୁ ସ୍ବୀକାର କରିବ କି ନାହିଁ, ତାହା ତାଙ୍କୁ ଚିନ୍ତିତ କରାଇଥାଏ। କିନ୍ତୁ ପରେ ସେମାନେ ଭାବନ୍ତି ଯେ ସେତେବେଳେ ସେ ଯାହା ନିଷ୍ପତ୍ତି ନେଇଥିଲେ ତାହା ଠିକ୍‌ ଥିଲା।
୧୦୦୦ ମହିଳାଙ୍କ ଉପରେ ହୋଇଥିଲା ୫ ବର୍ଷ ଯାଏ ଗବେଷଣା : ସାଧାରଣତଃ କୁହାଯାଏ, ଗର୍ଭପାତ କରାଇବା ପରେ ଅଧିକାଂଶ ମହିଳା ଇମୋସନାଲି ଚିନ୍ତିତ ହୋଇଯାଆନ୍ତି। କିନ୍ତୁ ନିକଟରେ ହୋଇଥିବା ଗବେଷଣା ଏହି ଧାରଣାକୁ ଭୁଲ୍‌ ବୋଲି ପ୍ରମାଣିତ କରିଛି। ଏହି ଗବେଷଣା ପାଇଁ ଗବେଷକମାନେ ଟର୍ନୱେ ନାମକ ଏକ ଗବେଷଣାର ତଥ୍ୟର ପରୀକ୍ଷାନିରୀକ୍ଷା କରିଥିଲେ। ଏହା ୫ ବର୍ଷ ଯାଏ କରାଯାଇଥିବା ଏକ ଗବେଷଣା। ଯେଉଁଥିରେ ଆମେରିକାର ୨୧ଟି ରାଜ୍ୟରେ ଗର୍ଭପାତ କରିଥିବା ୧ ହଜାର ମହିଳାଙ୍କ ସ୍ବାସ୍ଥ୍ୟ ଓ ସୋସିଓଇକୋନୋମିକ୍‌ ସ୍ଥିତି ଉପରେ ଏହା କିଭଳି ପ୍ରଭାବ ପକାଇଥାଏ, ତାହାର ପରୀକ୍ଷାନିରୀକ୍ଷା କରାଯାଇଥିଲା।
ନିଷ୍ପତ୍ତି ନେବା କଷ୍ଟ ଥିଲା, କିନ୍ତୁ ପରେ ଅନୁଶୋଚନା ନ ଥିଲା : ଯଦିଓ ପଛରେ ମହିଳାମାନେ ଗର୍ଭପାତ ନିଷ୍ପତ୍ତି ଉପରେ କୌଣସି ଅନୁତାପ କରି ନ ଥିଲେ, କିନ୍ତୁ ଗର୍ଭପାତ ନିଷ୍ପତ୍ତି ନେବାବେଳେ ଅଧିକାଂଶ ମହିଳା ବହୁତ ଚିନ୍ତିତ ଥିଲେ। ଏମାନଙ୍କ ମଧ୍ୟରୁ ପାଖାପାଖି ୨୭ ପ୍ରତିଶତ ମହିଳା ସ୍ବୀକାର କରିଥିଲେ ଯେ ଗର୍ଭପାତ କରାଇବା ନିଷ୍ପତ୍ତି ନେବା ତାଙ୍କ ପାଇଁ ବହୁତ କଷ୍ଟକର ଥିଲା। ସେହିପରି ୨୭ ପ୍ରତିଶତ ମହିଳା ସ୍ବୀକାର କରିଥିଲେ ଯେ ଗର୍ଭପାତ ନିଷ୍ପତ୍ତି ନେବା କିଛି ମାତ୍ରାରେ କଷ୍ଟକର ଥିଲା। କିନ୍ତୁ ୪୬ ପ୍ରତିଶତ ମହିଳା କହିଥିଲେ ଯେ ଏହି ନିଷ୍ପତ୍ତି ନେବା ତାଙ୍କ ପାଇଁ ଆଦୌ କଷ୍ଟକର ନ ଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ