ଗାଡ଼ିକୁ ଥଣ୍ଡା ରଖିବା ପାଇଁ ମାଲିକ କାରରେ ଲିପିଲେ ଗାଈ ଗୋବର !
ଦେଶର ଅନେକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଛି । ଏମିତିରେ ଲୋକମାନେ ପ୍ରଚଣ୍ଡ ଖରା ତାତିରୁ ନିଜକୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଇବାରେ ଲାଗିଛନ୍ତି । ଏପରି କ୍ଷେତ୍ରରେ ଯଦି ଗାଡ଼ିଗୁଡ଼ିକୁ ଖରା ତାତିରୁ ରକ୍ଷା ନ କରାଯାଏ ତେବେ ମେଣ୍ଟେନେସ୍ ସମୟରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ ।
ତେବେ ଏହାକୁ ନେଇ ସୋମବାର ଅଦ୍ଭୁତ ଚିତ୍ର ସାମ୍ନାକୁ ଆସିଛି । ଗାଡ଼ି ମାଲିକ ଖରା ତାତିରୁ ନିଜ ଗାଡ଼ିକୁ ଥଣ୍ଡା ରଖିବା ପାଇଁ ଏକ ଭିନ୍ନ ଶୈଳୀ ଆପଣାଇଛନ୍ତି । କାରକୁ ଗରମ ନଲାଗିବ ସେଥିପାଇଁ ମାଲିକ ପୂରା କାରକୁ ଗୋବରରେ ଲିପି ଦେଇଛନ୍ତି । ଯାହାର ଫଟୋ ଆପଣ ଉପରେ ଦେଖୁଥିବେ । ଏହି ଫଟୋଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫେସ୍ବୁକ୍ରେ ଜଣେ ବ୍ୟବହାରକାରୀ କାରର ଫଟୋ ସେୟାର କରି ଲେଖିଛନ୍ତି, ଗୋବରର ସବୁଠାରୁ ଭଲ ଉପଯୋଗ ଦେଖୁଛି । ୪୫ ଡିଗ୍ରୀ ତାପମାତ୍ରାରୁ ରକ୍ଷା ପାଇବା ପାଇଁ ଗୋବର ଉପଯୋଗ କରି ଶ୍ରୀମତୀ ସେଜଲ ଶାହ ନିଜର କାରରେ ଗୋବର ଲିପି ଦେଇଛନ୍ତି । ତେବେ ଏହି ଫଟୋଟି ଅସଲି କି ଫେକ୍ ତାହା ଜଣାପଡ଼ିନାହିଁ ।


