ଗିରିଶ ମୁର୍ମୁ ଜମ୍ମୁ କଶ୍ମୀରର ପ୍ରଥମ ଉପରାଜ୍ୟପାଳ
ନୂଆଦିଲ୍ଲୀ : ଗୁଜୁରାଟ କ୍ୟାଡରର ବରିଷ୍ଠ ଓଡ଼ିଆ ଆଇଏଏସ୍ ଅଫିସର ଗିରିଶ ଚନ୍ଦ୍ର ମୁର୍ମୁ ଜମ୍ମୁ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ(ଏଲ୍ଜି) ନିଯୁକ୍ତ ହୋଇଛନ୍ତି । ଧାରା ୩୭୦ର ଉଚ୍ଛେଦ ପରେ ସାରା ବିଶ୍ୱର ନଜର କେନ୍ଦ୍ରୀଭୂତ ହୋଇଥିବା ଜମ୍ମୁ-କଶ୍ମୀରର ମୁଖ୍ୟ ଭାବେ ତାଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଛି । ଅନ୍ୟପକ୍ଷରେ ଜମ୍ମୁ କଶ୍ମୀର ରାଜ୍ୟପାଳ ଥିବା ସତ୍ୟପାଲ୍ ମଲିକ୍ଙ୍କୁ ଗୋଆ ରାଜ୍ୟପାଳ ଭାବେ ବଦଳି କରାଯାଇଛି । ଏହାଛଡ଼ା ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ଉପରାଜ୍ୟପାଳ ଭାବେ ରାଧାକୃଷ୍ଣ ମାଥୁରଙ୍କୁ ନିଯୁକ୍ତି ଦେଇଥିବାବେଳେ କେରଳ ବିଜେପି ସଭାପତି ପି ଏସ୍ ଶ୍ରୀଧରନ ପିଲ୍ଲାଇଙ୍କୁ ମିଜୋରାମର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି ।
ଧାରା ୩୭୦ ଉଚ୍ଛେଦ ହେବା ପରେ ଆସନ୍ତା ଅକ୍ଟୋବର ୩୧ ତାରିଖରୁ ଜମ୍ମୁ କଶ୍ମୀର ଦୁଇ ଭାଗରେ ବିଭକ୍ତ ହୋଇ ପୃଥକ୍ ଭାବେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କଶ୍ମୀର ଏବଂ ଲଦାଖରେ ପରିଣତ ହେବ । ଏପରି ଏକ ସମୟରେ ଏହି ନୂଆ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କଶ୍ମୀର ଉପରାଜ୍ୟପାଳ ଭାବେ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେବା ଅନେକ ଗୁରୁତ୍ୱ ବହନ କରୁଛି । ଗୁଜରାଟ କ୍ୟାଡରର ୧୯୮୫ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଶ୍ରୀ ମୁର୍ମୁଙ୍କ ଘର ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ । ସେ ବର୍ତ୍ତମାନ ଅର୍ଥ ମନ୍ତ୍ରାଳୟର ବ୍ୟୟ ସଚିବ ପଦରେ ଅଛନ୍ତି । ତେବେ ନରେନ୍ଦ୍ର ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ସେ ମୋଦୀଙ୍କ ପ୍ରମୁଖ ସଚିବ ଥିଲେ । ତେଣୁ ଏହି ଘୋଷଣା ହେବା ପରେ ଓଡ଼ିଶାର ବିଭିନ୍ନ ମହଲରେ ଆନନ୍ଦ ପ୍ରକାଶ ପାଇଛି । ଉଲ୍ଲେଖଯୋଗ୍ୟ ଯେ ନିକଟରେ ଓଡ଼ିଶାର ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା । ତାଙ୍କ ବ୍ୟତୀତ ଅନ୍ୟଜଣେ ଓଡ଼ିଆ ଭାବେ ଦ୍ରୌପଦୀ ମୁର୍ମୁ ଝାରଖଣ୍ଡର ରାଜ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ଅନ୍ୟପକ୍ଷରେ ରାଧାକୃଷ୍ଣ ମାଥୁର ହେଉଛନ୍ତି ତ୍ରିପୁରା କ୍ୟାଡରର ୧୯୭୭ ବ୍ୟାଚ୍ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ । ଶ୍ରୀ ମାଥୁର ୨୦୧୮ରେ ମୁଖ୍ୟ ସୂଚନା କମିସନର (ସିଆଇସି) ଭାବେ ଅବସର ନେଇଥିଲେ ।


