ଚୌଦାର ସ୍ୱତନ୍ତ୍ର ଜେଲ୍ ହେବ ମଡେଲ୍ ଜେଲ୍
ଭୁବନେଶ୍ୱର : ଚୌଦାର ସ୍ୱତନ୍ତ୍ର ଜେଲ୍ ହେବ ମଡେଲ୍ ଜେଲ୍ । ଏଥିପାଇଁ ଆଜି ଲୋକସେବା ଭବନରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୃହମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଗୃହ, ଶକ୍ତି, ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ । ବୈଠକରେ ଚୌଦ୍ୱାର ଜେଲର ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ଆଲୋଚନା ହୋଇଥିଲା । କେମିତି ଚୌଦ୍ୱାର ଜେଲକୁ ରାଜ୍ୟର ଏକ ମଡେଲ ଜେଲ ଭାବେ ଗଢ଼ା ଯାଇପାରିବ, ଏ ଦିଗରେ ସମସ୍ତ ଯତ୍ନବାନ ହେବା ଜରୁରୀ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଥିଲେ । ଆଜିର ବୈଠକରେ ଜେଲ୍ ପ୍ରଶାସନ ପକ୍ଷରୁ ଚୌଦ୍ୱାର ଜେଲରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା । ଚୌଦ୍ୱାର ଜେଲ୍ ପରିସରରେ ୮୦ଜଣ ମାନସିକ ରୋଗୀ ରହୁଥିବା ବେଳେ ସେହି ତୁଳନାରେ ଡାକ୍ତର ନାହାନ୍ତି । ତେଣୁ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରାଯାଇ ଅଧିକ ଡାକ୍ତର ନିଯୁକ୍ତି ପ୍ରଦାନ କରାଯିବ । ଚୌଦ୍ୱାର ଜେଲ୍ କ୍ୟାମ୍ପସର ଆକାର ବିଶାଳ । ଜେଲର ଗୋଟିଏ ପଟରୁ ଅନ୍ୟ ପଟକୁ ଯିବାକୁ ବହୁତ ସମୟ ଲାଗୁଛି । ତେଣୁ ଜେଲକୁ ଏକ ବ୍ୟାଟେରିଚାଳିତ କାର୍ର ଆବଶ୍ୟକତା ରହିଛି । ଖୁବ୍ଶୀଘ୍ର ଏକ ବ୍ୟାଟେରିଚାଳିତ କାର୍ ମଧ୍ୟ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର ପ୍ରତିଶ୍ରୁତି ଦେଇଥିଲେ ।ସେହିପରି ରାଜ୍ୟର ସମସ୍ତ ଜେଲ୍ ପରିସରରେ ଉତ୍ପାଦନ ହେଉଥିବା ଦ୍ରବ୍ୟଗୁଡ଼ିକୁ ଗୋଟିଏ ବ୍ରାଣ୍ଡରେ ନାମକରଣ କରାଯାଇ ସେ ସବୁକୁ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର କାଉଣ୍ଟରରେ ବିକ୍ରିବଟା କରାଯିବ । ସେହିପରି ଅନଲାଇନ୍ ମାଧ୍ୟମରେ ମଧ୍ୟ ଉତ୍ପାଦିତ ଦ୍ରବ୍ୟକୁ ବିକ୍ରି କରିବାକୁ ପଦକ୍ଷେପ ନିଆଯିବ । ଜେଲ୍ ଭିତରେ ବିଭିନ୍ନ ସମାଗ୍ରୀ ପ୍ରସ୍ତୁତି କରୁଥିବା କାରିଗରମାନଙ୍କୁ ଦୈନିକ ୪୦ଟଙ୍କା ଭତ୍ତା ପ୍ରଦାନ କରାଯାଉଛି, ଯାହାକି ସମୁଦ୍ରକୁ ଶଙ୍ଖେ । ତେଣୁ ସେହି କାରିଗରମାନଙ୍କ ଦୈନିକ ଭତ୍ତା ବୃଦ୍ଧି କରାଯିବ । ଚୌଦ୍ୱାର ଜେଲ ପରିସରରେ ଥିବା ରନ୍ଧନଶାଳାର ମରାମତି କରି ଭୁବନେଶ୍ୱର ଫୁଲନଖରାରେ ଥିବା ଅକ୍ଷୟ ପାତ୍ର ରନ୍ଧନଶାଳା ଭଳି ଆଧୁନିକୀରଣ କରିବାକୁ ଜେଲ୍ ଡିଜି ସତ୍ୟଜିତ ମହାନ୍ତି ପରାମର୍ଶ ଦେଇଥିଲେ । ଜେଲ ପରିସରରେ କଏଦୀମାନଙ୍କୁ ପରିବାରବର୍ଗ ସାକ୍ଷାତ କରୁଥିବା ମୁଲାକାତ ଗୃହର ଆଧୁନିକୀକରଣ କରାଯିବ । ଜେଲ ପରିସରରୁ ବର୍ଜ୍ୟବସ୍ତୁ ନିଷ୍କାସନ, ପାନୀୟ ଜଳ ଯୋଗାଣ ପାଇଁ ଆବଶ୍ୟକ ଅନୁଯାୟୀ ନଳକୂପ ଖନନ ଆଦି କରାଯିବାକୁ ବୈଠକରେ ସ୍ଥିର କରାଯାଇଥିଲା । ବୈଠକରେ ଚୌଦ୍ୱାର ବିଧାୟକ ସେ?ଭିକ ବିଶ୍ୱାଳଙ୍କ ପ୍ରତିନିଧି ଶୁଭେନ୍ଦୁ ସାମଲ, ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ ଚୋପ୍ରା, ଜେଲ୍ ଡିଜି ସତ୍ୟଜିତ ମହାନ୍ତି, ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ପ୍ରମୁଖ ଯୋଗ ଦେଇଥିଲେ ।


