ଗୁଳୁଗୁଳି ଓ ଗ୍ରୀଷ୍ମପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ
କୋଦଳା :(ଗୁଲସନ୍ କୁମାର କର) ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଝାଞ୍ଜି ପବନ ହେଉଥିବା ଜଣାପଡିଛି। କୋଦଳା ଓ ବେଗୁନିଆପଡ଼ା ଅଞ୍ଚଳରେ ସକାଳ ୯ଟା ସମୟରୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ବିଶେଷ କରି ଗ୍ରାମାଚଂଳର ଲୋକଙ୍କ ପାଇଁ ଏହି ଅସୁବିଧା ଦ୍ୱିଗୁଣିତ କରିଦେଇଛି। ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦୋକାନ, ବଜାର ପ୍ରାୟତଃ ବନ୍ଦ ରହୁଥିବା ବେଳେ ଲୋକେ ଘରେ ଏବଂ ଛାଇ ଥିବା ସ୍ଥାନ ମାନଙ୍କରେ ଆଶ୍ରୟ ନେଉଛନ୍ତି। ଚଳିତ ବର୍ଷ ଏଠାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ମଧ୍ୟାହ୍ନ ୧୨ଟା ସମୟରୁ ସଂନ୍ଧ୍ୟା ପର୍ଯ୍ୟନ୍ତ ଝାଞ୍ଜି ପବନ ବୋହୁଥିବା ଜଣାପଡିଛି। ଅନ୍ୟପକ୍ଷରେ ପାଣି ପାଉଚ୍, ଆଇସକ୍ରିମ, ଲସି, ଆଖୁ ରସ, ଥଣ୍ଡା ପାନୀୟ, ମୃଦୁ ପାନୀୟ ଦୋକାନ ମାନଙ୍କରେ ଲୋକ ମାନଙ୍କ ପ୍ରବଳ ଭିଡ଼ ରହୁଥିବା ଜଣାପଡିଛି। ଏହାସହ ଗ୍ରାମାଚଂଳର ଲୋକେ ପଖାଳ, ମାଣ୍ଡିଆ ଜାଉ, ପାଣି ପିଉଛନ୍ତି। ଅନ୍ୟପକ୍ଷରେ ଅସହ୍ୟ ଖରାରେ ପାଣି ଟିକକ ପାଇଁ ଲୋକେ ଡହଳ ବିକଳ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସବୁ ସ୍ଥାନରେ ଜଳଛତ୍ର ଖୋଳାଯିବାର ବ୍ୟବସ୍ଥା କରାଯାଇନାହିଁ। ଫଳରେ ସାଧାରଣ ଯାତ୍ରୀ ଓ ଲୋକେ ନାନା ସମସ୍ୟା ଭୋଗ କରୁଛନ୍ତି। ପୁଣି ସହର ସମେତ ଗ୍ରାମାଚଂଳ ମାନଙ୍କରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି।ଜଳସ୍ତର କ୍ରମଶଃ ନିମ୍ନଗାମୀ ହେଉଥିବା କାରଣରୁ ଅନେକ ନଳକୂପରେ ଗୋଳିଆ ପାଣି ବାହାରୁଥିବା ଦେଖିବାକୁ ମିଳିଛି। ନଦୀ, ନାଳ, ଝରଣା, ପୋଖରୀ ଗୁଡିକ ଶୁଖିବାକୁ ବସିଲାଣି। ମଣିଷ ସମେତ ବନ୍ୟଜନ୍ତୁ ଏବଂ ଗୃହପାଳିତ ପଶୁ ପକ୍ଷୀ ମାନେ ଖରା ଦାଉରେ ଆଉଟୁ ପାଉଟୁ ହେଉଥିବା ପରିଲକ୍ଷିତ ହୋଇଛି।