ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମ ନୂଆସାହି ରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ ଜଗନ୍ନାଥ,ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ଶ୍ରୀ ସୁଦର୍ଶନ ଙ୍କ ନୂତନ ଦାରୁ ବିଗ୍ରହ ଓ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସରରେ ଅନୁଷ୍ଠିତ ମହାଯଜ୍ଞ ରେ ପାଟପୁର ସମେତ ଆଖପାଖ ଗ୍ରାମାଞ୍ଚଳ ମାନଙ୍କରୁ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଛି।ଶୁକ୍ରବାର ପଣ୍ଡିତ ଅଶୋକ କୁମାର ପାଢ଼ୀ ଙ୍କ ପୌରୋହିତ୍ୟ ରେ ବ୍ରାହ୍ମଣ ବରଣ, ସୂର୍ଯ୍ୟପୂଜା,ଶାଲା ସଂସ୍କାର,ମଣ୍ଡଳପୂଜା, ବୈଷ୍ଣବାଗ୍ନି ସ୍ଥାପନ ଓ ନୂତନ ବିଗ୍ରହ ଅଧିବାସ ପରେ ଗୋ – ପୂଜା, ନାମଯଜ୍ଞ ଶୁଭାରମ୍ଭ ହୋଇଥିଲା।ଗୁରୁବାର ସକାଳେ କଳସ ଯାତ୍ରା, ଦୀକ୍ଷାଗ୍ରହଣ,ମଣ୍ଡଳ ଓ ନମାଯଜ୍ଞାଧିବାସ ଓ ଅଙ୍କୁରାରୋପଣ କାର୍ଯ୍ୟ ସମାପିତ ହୋଇଥିଲା।ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ର ନିମନ୍ତ୍ରଣ କ୍ରମେ ସାନଖେମୁଣ୍ଡି ମହାରାଜା ବୀର କିଶୋର ଦେବ,ମହନ୍ତ ହରିହର ଦାସ ମହାରାଜ, ମହନ୍ତ ଚିନ୍ମୟାନନ୍ଦ ଦାସ ମହାରାଜ ପ୍ରମୁଖ ବହୁ ସଂଖ୍ୟକ ପଣ୍ଡିତ ମହାଯଜ୍ଞ ସ୍ଥଳରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ।ଆୟୋଜକ କମିଟି କାର୍ଯ୍ୟକର୍ତ୍ତା, ସଭ୍ୟ ଓ ଗ୍ରାମବାସୀ ଙ୍କ ସମ୍ପୂର୍ଣ୍ଣ ସହଯୋଗ ରେ ଚାଲିଥିବା ଏହି ମହୋତ୍ସବ ପାଇଁ ସମଗ୍ର ଗାଁ ଉତ୍ସବ ମୁଖର ହୋଇଛି।ରଙ୍ଗୀନ ଆଲୋକମାଳା ରେ ସମସ୍ତ ସାହି ,ବସ୍ତି ଝଲସି ଉଠିଛି।ଏହି ମହୋତ୍ସବ ଉପଲକ୍ଷେ ଆୟୋଜିତ ମହାଯଜ୍ଞ ସୋମବାର ପୂର୍ଣ୍ଣାହୁତି ହେବା କାର୍ଯ୍ୟକ୍ରମ ରହିଛି।


