ଗୋପିନାଥପୁର ପଞ୍ଚାୟତରେ ସମସ୍ୟାର ସମାଧାନ ହେବ ବୋଲି ପଞ୍ଚାୟତବାସୀ ଆଶାବାଦୀ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଗୋପିନାଥପୁର ପଞ୍ଚାୟତରେ ବିଭିନ୍ନ ସମସ୍ୟାର ସମାଧାନ ହେବ ବୋଲି ପଞ୍ଚାୟତବାସୀ ଆଶାବାଦୀ ଅଛନ୍ତି । ପ୍ରକାଶ ଯେ, ବନ୍ତ ବ୍ଲକ ଗୋପିନାଥପୁର ପଞ୍ଚାୟତ ୧୧ଟି ରାଜସ୍ୱ ଗ୍ରାମର ୧୯ଟି ୱାର୍ଡର ୯ ହଜାରରୁ ଅଧିକ ଜନସଂଖ୍ୟା ଓ ୭ ହଜାର ୩ ଶହ ୧୫ ଭୋଟରକୁ ନେଇ ଗଠିତ ହୋଇଛି । ଏହି ପଞ୍ଚାୟତର କ୍ଷେତ୍ରଫଳ, ପରିସୀମା ଏବଂ ସମସ୍ୟା ତୁଳନାରେ ସରକାରୀ ଅନୁଦାନ ଯଥେଷ୍ଟ ଆସୁନଥିବାରୁ ଭିତ୍ତଭୂମିର ବିକାଶ ହୋଇପାରୁନାହିଁ । ଏହି ପଞ୍ଚାୟତରେ ଗମନା ଗମନ ପାଇଁ ରାସ୍ତା ସମସ୍ୟା ଆଖିରେ ନଦେଖିଲେ ବିଶ୍ୱାସ ହେବ ନାହିଁ । ମାର୍କଣ୍ଡପୁର ଛକରୁ ସାନସାହୁପଡା, ତୁଳିପଦା, ପାଣିଛତ୍ର ଭାୟା କେନାଲ ବନ୍ଧ ରାସ୍ତା, ପଞ୍ଚାୟତ କାର୍ଯ୍ୟାଳୟ ଠାରୁ କେନାଲ ବନ୍ଧ ରାସ୍ତା, କେନାଲ ବନ୍ଧ ଠାରୁ ଗୋପିନାଥପୁର କଲ୍ୟାଣ ମଣ୍ଡପ ରାସ୍ତା, ପାଣିଛତ୍ରରୁ ବଡସନ୍ଦାଡୋ, ବଡସନ୍ଦାଡୋ ଶିବ ମନ୍ଦିରରୁ ବିଦ୍ୟାଳୟ ରାସ୍ତା, ସାନସନ୍ଦାଡୋ ବିଦ୍ୟାଳୟ ଠାରୁ ହରିଜନ ସାହି ରାସ୍ତା ସମେତ ସମସ୍ତ ଗ୍ରାମ୍ୟ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ପ୍ରାଣୀ ସହାୟକ କେନ୍ଦ୍ରରେ ସ୍ଥାୟୀ ପ୍ରାଣୀଧନ ନୀରିକ୍ଷକ ନଥିବା, ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଜରାଜୀର୍ଣ୍ଣ ଗୃହ, ମହିଳା ମହାସଂଘ ପାଇଁ ସଭାଗୃହର ଅଭାବ, ବଡସନ୍ଦାଡୋ, ଗୋପିନାଥପୁର ସରକାରୀ ଉପ୍ରା ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ଆଦି ବିଭିନ୍ନ ସମସ୍ୟା ରହିଛି । ଏପରିପେକ୍ଷୀରେ ଉକ୍ତ ପଞ୍ଚାୟତର ସମିତି ସଭ୍ୟ ବ୍ଲକ ଅଧ୍ୟକ୍ଷ ପଦବୀରେ ଅଧିଷ୍ଠିତ ହୋଇଥିବାରୁ ବିଭିନ୍ନ ସମସ୍ୟାର ସମାଧାନ ହେବ ବୋଲି ପଞ୍ଚାୟତବାସୀ ଆଶା ରଖିଛନ୍ତି ।


