ଗ୍ରାଚ୍ୟୁଇଟି ଟଙ୍କା ମିଳିନଥିବାରୁ ଗୁହାରି କଲେ ଦୁଇ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ
ଛତ୍ରପୁର, (ଦେବଦତ୍ତ ମହାରଣା):ଦୀର୍ଘ ୫ ବର୍ଷ ହେଲା ନିଜ କାର୍ଯ୍ୟରୁ ଅବସର ନେଇ ସାରିବା ପରେ ସରକାରଙ୍କ ପକ୍ଷରୁ ମିଳୁଥିବା ଗ୍ରାଚ୍ୟୁଇଟି ଟଙ୍କା ନ ମିଳିଥିବାରୁ ସୋମବାର ସ୍ଥାନୀୟ ଜଉଗଡ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଦୁଇ ଜଣ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭିଯୋଗ କରିଛନ୍ତି । ସିମାଂଚଳ ପଣ୍ଡା ପୋଲସରା ବ୍ଲକ ଅନ୍ତର୍ଗତ ହଂସରାଳି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରି ଗତ ୨୦୧୮ ମସିହା ଜୁଲାଇ ମାସ ୩୧ ତାରିଖରେ କାର୍ଯ୍ୟ କରି ଅବସର ନେଇଥିଲେ । ସେ ୫ ବର୍ଷ ହେଲା ନିଜ କାର୍ଯ୍ୟରୁ ଅବସର ନେଇଥିଲେ ମଧ୍ୟ ତାଙ୍କୁ ଆଜି ପର୍ଯ୍ୟନ୍ତ ତାଙ୍କ ଗ୍ରାଚ୍ୟୁଇଟି ଟଙ୍କା ମିଳିନାହିଁ । ଏନେଇ ସେ ପୂର୍ବରୁ ବହୁ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସେ ଆଜି ବାଧ୍ୟ ହୋଇ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍ ଙ୍କ ନିକଟରେ ଗୁହାରି କରିଛନ୍ତି । ସେହିପରି ପୋଲସରା ବ୍ଲକର ଢୁଙ୍କାପଡା ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ଲଡୁ କିଶୋର ବେହେରାଙ୍କ ଗ୍ରାଚ୍ୟୁଇଟି ଟଙ୍କା ମିଳି ପାରି ନଥିବାରୁ ତାଙ୍କ ମୋଟ ପେନସନ ଟଙ୍କା ହୋଇପାରୁନଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ଖେସ୍ ଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଫଳରେ ସେମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଣୁ ସେମାନଙ୍କ ଗ୍ରାଚ୍ୟୁଇଟି ଟଙ୍କା ତୁରନ୍ତ ପ୍ରଦାନ କରିବା ପାଇଁ ସେମାନେ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି । ଏନେଇ ୭ ଦିନ ମଧ୍ୟରେ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।


