ଗ୍ରାମାଞ୍ଚଳରେ କୃଷି ଯାନ୍ତ୍ରିକୀକରଣକୁ ଗୁରୁତ୍ୱ: ୬୭୮ କୃଷକଙ୍କୁ ତାଲିମ ପ୍ରଦାନ
କଟକ (ଓ୍ବାଇଏନଏସ): କୃଷି କାର୍ଯ୍ୟକୁ ଅଧିକ ସରଳ, ଦକ୍ଷ ଓ ଲାଭଜନକ କରିବା ଲକ୍ଷ୍ୟରେ ଗ୍ରାମସ୍ତରରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହନ ଦେଉଛି ଭାରତୀୟ କୃଷି ଅନୁସନ୍ଧାନ ପରିଷଦ–କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ (ଆଇସିଏଆର୍-ସିଆର୍ଆର୍ଆଇ), କଟକ। ଏହି ପରିପ୍ରେକ୍ଷୀରେ ଅକ୍ଟୋବର ୨୦୨୫ରୁ ଜୁଲାଇ ୨୦୨୬ ମଧ୍ୟରେ ଓଡ଼ିଶାର ପାଞ୍ଚଟି ଜିଲ୍ଲାରେ କୃଷକମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଓ କ୍ଷେତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଛି। ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅନୁଦାନରେ ପିଏମ୍-ଆର୍କେଭିୱାଇ-ଡିପିଆର୍ ପ୍ରକଳ୍ପ ଅଧୀନରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଉନ୍ନତ କୃଷି ଯନ୍ତ୍ରପାତିର ବ୍ୟବହାର ମାଧ୍ୟମରେ ଚାଷର ଲାଭଦାୟକତା ବୃଦ୍ଧି ସହ ସ୍ଥାନୀୟ ସ୍ତରରେ ମରାମତି, ରକ୍ଷଣାବେକ୍ଷଣ ଓ ଓଭରହଲିଂ (ଆର୍ଏମ୍ଓ) କେନ୍ଦ୍ର ସ୍ଥାପନ ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମରେ ମୋଟ ୬୭୮ ଜଣ ଅଂଶଗ୍ରହଣକାରୀଙ୍କୁ ତାଲିମ ଦିଆଯାଇଛି। ସେମାନଙ୍କ ମଧ୍ୟରେ ୫୩୮ ଜଣ ପୁରୁଷ ଓ ୧୪୦ ଜଣ ମହିଳା ରହିଛନ୍ତି। ଟ୍ରାକ୍ଟର, ପାୱାର ଟିଲର, ପାୱାର ଉଇଡର, ଲେଜର ଲ୍ୟାଣ୍ଡ ଲେଭେଲର, ଧାନ ରୋପଣ ଯନ୍ତ୍ର, ବହୁଫସଲିଆ ପ୍ଲାଣ୍ଟର, ରିପର୍-ବାଇଣ୍ଡର, ସୌରଚାଳିତ ଥ୍ରେସର ଓ କମ୍ବାଇନ୍ ହାର୍ଭେଷ୍ଟର ଆଦି ଯନ୍ତ୍ରପାତିର ପରିଚାଳନା, ମରାମତି ଓ ରକ୍ଷଣାବେକ୍ଷଣ ସମ୍ପର୍କରେ ସେମାନଙ୍କୁ ବ୍ୟବହାରିକ ତାଲିମ ପ୍ରଦାନ କରାଯାଇଥିଲା। ବରଗଡ଼, କଟକ, କଳାହାଣ୍ଡି, ଗଞ୍ଜାମ ଓ ସମ୍ବଲପୁର ଜିଲ୍ଲାରେ ଏହି ତାଲିମ ଓ କ୍ଷେତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏହାଦ୍ୱାରା କୃଷକମାନେ ଆଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର ଓ ଉପଯୋଗିତା ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ହାସଲ କରିଥିଲେ। ପ୍ରକଳ୍ପର ଅନ୍ୟତମ ମୁଖ୍ୟ ଦିଗ ହେଉଛି ଗ୍ରାମସ୍ତରରେ ଆର୍ଏମ୍ଓ କେନ୍ଦ୍ର ସ୍ଥାପନ। ପ୍ରଶିକ୍ଷିତ ଗ୍ରାମୀଣ ଯୁବକ ଓ ସ୍ଥାନୀୟ କମାରମାନଙ୍କ ଦ୍ୱାରା ଏହି କେନ୍ଦ୍ରଗୁଡ଼ିକ ପରିଚାଳିତ ହେବ। ଫଳରେ କୃଷକମାନେ ନିଜ ଗାଁ ନିକଟରେ କୃଷି ଯନ୍ତ୍ରପାତିର ମରାମତି ଓ ରକ୍ଷଣାବେକ୍ଷଣ ସେବା ପାଇପାରିବେ। ଏହାଦ୍ୱାରା କୃଷି ଶ୍ରମିକଙ୍କ ଅଭାବ, ଚାଷ ଖର୍ଚ୍ଚ ଓ ଶାରୀରିକ ପରିଶ୍ରମ ହ୍ରାସ ପାଇବା ସହ କୃଷି କାର୍ଯ୍ୟ ଅଧିକ ସମୟୋପଯୋଗୀ ଓ ଦକ୍ଷ ହୋଇପାରିବ।ଆଇସିଏଆର୍-ସିଆର୍ଆର୍ ଆଇ, କଟକର ଇଏପି-୪୫୧ ପ୍ରକଳ୍ପର ମୁଖ୍ୟ ଅନୁସନ୍ଧାନକାରୀ ଡଃ ପ୍ରକାଶ ଚନ୍ଦ୍ର ଜେନା (ବରିଷ୍ଠ ବୈଜ୍ଞାନିକ, କୃଷି ଯନ୍ତ୍ରପାତି ଓ ଶକ୍ତି) ଏହି ପ୍ରକଳ୍ପର ନେତୃତ୍ୱ ନେଉଛନ୍ତି। ସହ-ମୁଖ୍ୟ ଅନୁସନ୍ଧାନକାରୀ ଭାବେ ଡଃ ମନୀଷ ଦେବନାଥ, ଡଃ ଏମ୍. ଶିବଶଙ୍କରୀ, ଡଃ ସୁପ୍ରିୟା ପ୍ରିୟଦର୍ଶନୀ, ଡଃ ନୀତିପ୍ରସାଦ ଏନ୍. ଜାମ୍ଭୁଲକର ଓ ଡଃ ସୁଦୀପ୍ତ ପାଲ୍ କାର୍ଯ୍ୟ କରୁଛନ୍ତି। ଗ୍ରାମାଞ୍ଚଳରେ ଆଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର ବୃଦ୍ଧି ସହ ସ୍ଥାନୀୟ ମରାମତି ସେବାକୁ ସୁଦୃଢ଼ କରି କୃଷକଙ୍କ ଆୟ ଓ କୃଷିର ଉତ୍ପାଦନକ୍ଷମତା ବଢ଼ାଇବା ଦିଗରେ ଏହି ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।


