ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା):ଗ୍ରାମ୍ୟ କୃଷି କର୍ମଚାରୀ/ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ଗଞ୍ଜାମ ଶାଖା ତରଫରୁ ବିଭିନ୍ନ ଦାବି ସମାଧାନ ପାଇଁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ୍‌ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଦାବି ଗୁଡିକ ଯଥା- ଗ୍ରାମ୍ୟ କୃଷି କର୍ମଚାରୀ (ଭିଏଡବ୍ଲୁ) ବଦଳରେ କୃଷି ସଂପ୍ରସାରଣ ଅଧିକାରୀ (ଏଇଓ), ଗ୍ରେଡ୍ ପେ ୨୦୦୦ ଟଙ୍କାରୁ ୪୨୦୦ ଟଙ୍କାକୁ ବୃଦ୍ଧି, ଚାକିରି କାଳ ମଧ୍ୟରେ ୩ ରୁ ୪ ଗୋଟି ପଦୋନ୍ନତି, ଚୁକ୍ତିଭିତ୍ତିକ ବ୍ୟବସ୍ଥା ଉଚ୍ଛେଦ ସହ ୬ ବର୍ଷ ଚୁକ୍ତିଭିତ୍ତିକ ସମୟକୁ ମୂଳ ଚାକିରିରେ ଗଣନା କରି ୬ ଗୋଟି ନ୍ୟାସନାଲ ଇଙ୍କ୍ରିମେଣ୍ଟ୍ ପ୍ରଦାନ କରିବା, ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ କମ୍ପ୍ୟୁଟର ଓ ମୋବାଇଲ ପ୍ରଦାନ, ଗ୍ରାମ୍ୟ କୃଷି କର୍ମଚାରୀଙ୍କ ସଂଶୋଧିତ ଜବ୍ ଚାର୍ଟ ଘୋଷଣା । ଏହି ଦାବି ଗୁଡିକୁ ଯଥା ଶୀଘ୍ର ପୂରଣ କରିବା ପାଇଁ ସଂଘ ପକ୍ଷରୁ ଆସନ୍ତା ଶୁକ୍ରବାର ୧୪ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ୍ ପିନ୍ଧି ଗଣତାନ୍ତ୍ରିକ ଉପାୟରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିବା ପାଇଁ ସ୍ଥିର ହୋଇଥିବା ଗଞ୍ଜାମ ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ସଂପାଦକ ବୈରାଗୀ ସ୍ୱାଇଁ ସୂଚନା ଦେଇଛନ୍ତି । ଏହାସତ୍ତ୍ୱେ ରାଜ୍ୟ ସରକାର ସେମାନଙ୍କ ଦାବି ପ୍ରତି ବିଚାର ନକଲେ ଅଗଷ୍ଟ ୧ ତାରିଖ ଠାରୁ ସମସ୍ତ ଗ୍ରାମ୍ୟ କୃଷି କର୍ମଚାରୀ ସମୂହ ଛୁଟିରେ ରହି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣ ଦିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିବା ପତ୍ରରେ ଉଲ୍ଲେଖ କରାଯାଇଛି । ଏହି ଦାବି ପତ୍ର ପ୍ରଦାନ ବେଳେ ସଂଘର ସଂପାଦକ ଶ୍ରୀ ସ୍ୱାଇଁ, କେ.ନାରାୟଣ ରାଓ, ଅଶୋକ ସାହୁ, ନିହାରିକା ପଣ୍ଡା ଓ ରୋଜାଲିନ୍ ପାତ୍ର ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ