ଘର ପାଖ ପାର୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ଭଲ
ସହରାଞ୍ଚଳରେ ଘର ପାଖରୁ ୩୦୦ ମିଟର ମଧ୍ୟରେ ପାର୍କ କିମ୍ବା ସବୁଜ ପରିବେଶ ରହିଲେ ତାହା ବ୍ୟକ୍ତିଙ୍କୁ ସୁଖଦ ଅନୁଭବ ଦେଇଥାଏ । ଏହା ଦ୍ୱାରା ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଭଲ ରହେ ବୋଲି ଗବେଷକମାନେ କହିଛନ୍ତି । ଇଂଲଣ୍ଡର ବାର୍ଷିକ ଜନସଂଖ୍ୟା ସର୍ଭେରେ ଦର୍ଶାଯାଇଥିବା ତଥ୍ୟ ବ୍ୟବହାର କରି ଗବେଷକମାନେ ଏହା ଜାଣିପାରିଛନ୍ତି । ଘର ପାଖରେ ସଂରକ୍ଷିତ ଜଙ୍ଗଲ କିମ୍ବା ଖେଳପଡ଼ିଆ ଥିଲେ ମଧ୍ୟ ତାହା ମାନସିକ ସ୍ୱାସ୍ଥ୍ୟ ଭଲ ରଖିବାରେ ସହାୟକ ହୋଇଥାଏ । ଏହି ଅନୁଧ୍ୟାନ ସମ୍ପର୍କିତ ତଥ୍ୟ ଜର୍ନାଲ ଆପ୍ଲାଏଡ ଜିଓଗ୍ରାଫିରେ ପ୍ରକାଶ ପାଇଛି । ୩୦୦ ମିଟର ମଧ୍ୟରେ ସବୁଜ ପରିବେଶର ପ୍ରଭାବ ସବୁଠାରୁ ଅଧିକ ଓ ଏହି ଦୂରତା ବାହାରେ ବି ସବୁଜ ପରିବେଶର ପ୍ରଭାବ ରହିଛି, କିନ୍ତୁ ତାହା କମ୍ ବୋଲି ଅନୁଧ୍ୟାନରୁ ଜଣାପଡିଛି ।


