ଚନ୍ଦ୍ରରେ ବି ହୁଏ ଭୂମିକମ୍ପ: ଯାହା ପୃଥିବୀଠାରୁ ଭୟଙ୍କର

ଚନ୍ଦ୍ରପୃଷ୍ଠରେ ଜନବସତି ଦିଗରେ ଏକ ବଡ ସମସ୍ୟା ଉପୁଜାଇପାରେ ଚନ୍ଦ୍ରକମ୍ପ ବା ଚନ୍ଦ୍ରପୃଷ୍ଠରେ ଆସୁଥିବା ଭୂମିକମ୍ପ । ଏହା ପୃଥିବୀରେ ହେଉଥିବା ଭୂମିକମ୍ପଠାରୁ ଅଧିକ ଶକ୍ତିଶାଳୀ ଏବଂ ୨୦ ଗୁଣ ଅଧିକ ସମୟ ପାଇଁ ମଧ୍ୟ ରହେ । ଆମଠାରୁ ୩୮୪୪୦୦ କିଲୋମିଟର ଦୂରରେ ଥିବା ଆମର ଏକମାତ୍ର ପ୍ରାକୃତିକ ଉପଗ୍ରହ ଚନ୍ଦ୍ରରେ ଆସୁଥିବା ଭୂମିକମ୍ପ ପୃଥିବୀରେ ହେଉଥିବା ଭୂମିକମ୍ପଠାରୁ ଭିନ୍ନ । ୧୯୭୨ ମସିହାରେ ଆପୋଲୋ ୧୭ ଚନ୍ଦ୍ର ଅଭିଯାନରେ ମହାକାଶଚାରୀ ମାନେ ଚନ୍ଦ୍ର ପୃଷ୍ଠର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଚିହ୍ନଟ ପାଇଁ ଯତ୍ନ ଛାଡି ଆସିଥିଲେ । ଏହା ୧୯୭୨ଠାରୁ ୧୯୭୭ ମସିହା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଥିଲା । ସେଥିରୁ ଜଣାପଡିଛି ଯେ ଏହି ୫ ବର୍ଷ ଭିତରେ ପ୍ରାୟ ୧୨ ହଜାର ଥର ଚନ୍ଦ୍ର ପୃଷ୍ଠରେ କମ୍ପନ ସୃଷ୍ଟି ହୋଇଛି । ଅର୍ଥାତ କହିବାକୁ ଗଲେ, ପ୍ରତି ମାସରେ ୨୦୦ ଥର ଥରିଛି ଚନ୍ଦ୍ରପୃଷ୍ଠ ।ପୃଥିବୀରେ ବଭିନ୍ନ ତୀବ୍ରତାର ଭୂମିକମ୍ପ ଆସୁଥିଲେ ମଧ୍ୟ ସବୁଗୁଡିକ ଗୋଟିଏ କାରଣରୁ ହୋଇଥାଏ । ତାହା ହେଉଛି ଅତି ମନ୍ଥର ଗତିରେ ଘୁଞ୍ଚୁଥିବା ଏକାଧିକ ଭୂଖଣ୍ଡ ଚଟାଣ ବା ଟେକ୍ଟୋନିକ ପ୍ଲେଟ ମଧ୍ୟରେ ଘର୍ଷଣ କାରଣରୁ । କିନ୍ତୁ ଚନ୍ଦ୍ରରେ ୪ଟି କାରଣରୁ ଭୂମିକମ୍ପ ଆସିଥାଏ । ଗଭୀର ଚନ୍ଦ୍ର କମ୍ପ: ଚନ୍ଦ୍ରପୃଷ୍ଠରେ ଏକ ପ୍ରକାର କମ୍ପନ ଅଧିକ ଥର ଆସିଥାଏ । ପ୍ରାୟ ୨୭ ଦିନରେ ଥରେ । ଚନ୍ଦ୍ରପୃଷ୍ଠଠାରୁ ୭୦୦ କିଲୋମିଟର ଗଭୀରତାରେ ଏହି କମ୍ପନ ସୃଷ୍ଟି ହୋଇଥାଏ । ଅନୁମାନ କରାଯାଏ ଯେ, ଚନ୍ଦ୍ରର ଆକର୍ଷଣ ଶକ୍ତି ଯୋଗୁଁ ପୃଥିବୀର ଜଳଭାଗରେ ଯେପରି ଜୁଆର ଆସେ, ସେହିପରି ପୃଥିବୀର ଯଥେଷ୍ଟ ଅଧିକ ମହାକର୍ଷଣ ଶକ୍ତି ଚନ୍ଦ୍ରର ପଥୁରିଆ କେନ୍ଦ୍ର ସ୍ଥଳରେ ଅସ୍ଥିରତା ଏବଂ ଫାଟ ସୃଷ୍ଟି କରେ ।ଗ୍ରହାଣୁ ମାଡ଼: ପୃଥିବୀ ଆଡକୁ ଆସୁଥିବା ଗ୍ରହାଣୁ ବା ଉଲ୍କା ଏହାର ବାୟୁମଣ୍ଡଳରେ ଘର୍ଷଣ ହୋଇ ଜଳିଯାଏ । ଅତିଡ୍ଡ ଗ୍ରହାଣୁ ହୋଇନଥିଲେ ଏହା ବାୟୁମଣ୍ଡଳରେ ହିଁ ଜଳି ନଷ୍ଟ ହୋଇଯାଏ ଏବଂ ପୃଥିବୀପୃଷ୍ଠ ଯାଏଁ ପହଞ୍ଚିପାରେ ନାହିଁ । ଯଦି ବା କୌଣସି ବଡ଼ ଗ୍ରହାଣୁ ପୃଥିବୀ ପୃଷ୍ଠରେ ପହଞ୍ଚେ, ବାୟୁମଣ୍ଡଳ ସହ ଘର୍ଷଣ ହୋଇ ଜଳିଯିବା କାରଣରୁ ଏହାର ଆକାର ଛୋଟ ହୋଇଯାଇଥାଏ । ମାତ୍ର ଚନ୍ଦ୍ରରେ ବାୟୁମଣ୍ଡଳ ନଥାଏ । ତେଣୁ ଛୋଟବଡ଼ ସମସ୍ତ ଗ୍ରହାଣୁ ଚନ୍ଦ୍ର ଆଡ଼କୁ ଆସିଲେ ନିଶ୍ଚିତ ରୂପେ ଏହାର ପୃଷ୍ଠରେ ମାଡ଼ ହୋଇଥାଏ । ଏହି ଗ୍ରହାଣୁ ମାଡ ଫଳରେ ମଧ୍ୟ ଚନ୍ଦ୍ରପୃଷ୍ଠରେ ବହୁ ସମୟରେ କମ୍ପନ ସୃଷ୍ଟି ହୁଏ । ତାପମାତ୍ରାର ତାରତମ୍ୟ: ଚନ୍ଦ୍ରର ଗୋଟିଏ ପାଶ୍ୱର୍ ୨ ସପ୍ତାହ ଯାଏଁ ସୂର୍ଯ୍ୟର ବିପରୀତ ଦିଗକୁ ଅର୍ଥାତ ଅନ୍ଧାରରେ ରହେ । ତେଣୁ ସେଠାରେ ତାପମାତ୍ରା ୧୫୧ ଡିଗ୍ରୀ ସେଲସିୟସ୍ଠାରୁ ଆହୁରି ହ୍ରାସ ପାଏ । ଏହି ପାଶ୍ୱର୍ ୨ ସପ୍ତାହ ପରେ ଯେତେବେଳେ ସୂର୍ଯ୍ୟ ଆଡକୁ ବୁଲେ ତାହାର ତାପମାତ୍ରା ହଠାତ୍ ୧୨୧ ଡିଗ୍ରୀ ସେଲସିୟସ ହୋଇଯାଏ । ତେଣୁ ଶୀତ ହୋଇ ସଂକୁଚିତ ଅବସ୍ଥାରେ ଥିବା ଚନ୍ଦ୍ରପୃଷ୍ଠ ହଠାତ୍ ଅତ୍ୟଧିକ ତାପମାତ୍ରା ଯୋଗୁଁ ପ୍ରସାରିତ ହେବା ଫଳରେ କମ୍ପନ ସୃଷ୍ଟି ହୁଏ ।ଅଗଭୀର ଭୂମିକମ୍ପ: ଚନ୍ଦ୍ରପୃଷ୍ଠରେ ଏହି ପ୍ରକାର କମ୍ପନର ସଠିକ କାରଣ ଜଣାନଥିଲେ ମଧ୍ୟ ଏହା ଅନ୍ୟ ୩ ପ୍ରକାର ଚନ୍ଦ୍ରକମ୍ପଠାରୁ ଅଧିକ ଶକ୍ତିଶାଳୀ ଏବଂ ଏହା ରିକ୍ଟର ସ୍କେଲରେ ୫.୫ ତୀବ୍ରତା ପର୍ଯ୍ୟନ୍ତ ପହଞ୍ଚିଥିବାର ଦେଖାଯାଇଛି । ୧୯୭୨ ମସିହାରୁ ୭୭ ମସିହା ମଧ୍ୟରେ ୨୮ ଥର ଏଭଳି ଚନ୍ଦ୍ରକମ୍ପ ହୋଇଛି । ଗ୍ରହାଣୁ ମାଡ଼ ଯୋଗୁଁ ସୃଷ୍ଟି ହୋଇଥିବା ଗର୍ତ୍ତ ଭାଙ୍ଗିବା କାରଣରୁ ଏହି କମ୍ପନ ସୃଷ୍ଟି ହେଉଥିବା ଅନୁମାନ କରାଯାଉଛି ।ପୃଥିବୀରେ ଗତିଶୀଳ ଟେକ୍ଟନିକ ପ୍ଲେଟ ମଧ୍ୟରେ ଘର୍ଷର କାରଣରୁ ଭୂମିକମ୍ପ ହେଲେ ଏହା ୧୦ ରୁ ୩୦ ସେକେଣ୍ଡ କିମ୍ବା ଅତିବେଶିରେ ଗୋଟିଏ କିମ୍ବା ୨ ମିନିଟ୍ ପର୍ଯ୍ୟନ୍ତ ରହେ । ଏହି ସମୟରେ କମ୍ପନ ପାଣି ଓ ପଥୁରିଆ ଚଟାଣ ଦେଇ ଗତି କରୁଥିବାରୁ ଭୂମିକମ୍ପର ଶକ୍ତି ଧୀରେ ଧୀରେ କମିବାରେ ଲାଗେ । କିନ୍ତୁ ଚନ୍ଦ୍ର ସମ୍ପୂର୍ଣ୍ଣ ରୂପେ ଗୋଟିଏ ମାତ୍ର ଶୁଷ୍କ ପଥୁରିଆ ଚଟାଣରେ ତିଆରି ହୋଇଥିବାରୁ ସେଠାରେ ଭୂମିକମ୍ପ ଯଥେଷ୍ଟ ଲମ୍ବା ସମୟ ପାଇଁ ରହେ । ଭୂମିକମ୍ପର ଅଧିକ ତୀବ୍ରତା ୧୦ ମିନିଟ୍ ପର୍ଯ୍ୟନ୍ତ ଅନୁଭୂତ ହୁଏ ଏବଂ ଏହା ପରେ କିଛି ଘଣ୍ଟା ପାଇଁ କ୍ଷୀଣ କମ୍ପନ ଚନ୍ଦ୍ରପୃଷ୍ଠରେ ଜାରି ରହିଥାଏ । ତେଣୁ ଭବିଷ୍ୟତରେ ସେଠାରେ ଜନବସତି ସ୍ଥାପନ ହେଲେ, ଘରର କାନ୍ଥ ଭାଙ୍ଗିଯିବା ଏବଂ ଅମ୍ଳଜାନ ଟାଙ୍କି କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ