ଚମ୍ପକ ଦ୍ଵାଦଶୀରେ ଦେବ ଦମ୍ପତ୍ତିଙ୍କ ଗୁଆଲିଯାତ୍ରା

ସନ୍ତୋଷ କୁମାର ଦାଶ
ପୁରୀ ଶ୍ରୀ ମନ୍ଦିର ରେ ଆମ ଓଡ଼ିଆ ଙ୍କ ପରିବାର ପରି ବାର ମାସ ରେ ତେର ପର୍ବ ପାଳିତ ହୋଇ ଆସୁଛି। ପବିତ୍ର ଚମ୍ପକ ଦ୍ଵାଦଶୀ ତିଥିରେ ଶ୍ରୀ ମନ୍ଦିର ରେ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ପରେ ଗୁଆଲି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥାଏ । ଛତିଶା ନିଯୋଗ ସେବାୟତମାନଙ୍କ ପକ୍ଷରୁ ଏହି ଶୋଭାଯାତ୍ରା ଅନୁଷ୍ଠିତ କରା ଯାଇଥାଏ। ଦେବଦମ୍ପତି ତଥା ପ୍ରଭୁ ମଦନମୋହନ ଓ ମା’ ଶ୍ରୀଦେବୀ (ରୁକ୍ମିଣୀ) ନଗର ପରିକ୍ରମା ସହିତ ପନ୍ତି ଭୋଗ ଗ୍ରହଣ କରିଥାନ୍ତି। ଦେଉଳରେ ସକାଳ ଧୂପ ଓ ଭୋଗମଣ୍ଡପ ପରେ ଭିତରେ ଆଲଟ ଲାଗି କରାଯାଇ ମହାସ୍ନାନ କରା ଯିବାପରେ ନୂଆ ଲୁଗା ଲାଗି ଓ ଚନ୍ଦନ ଲାଗି କରାଯାଇଥାଏ। ମଧ୍ୟାହ୍ନ ଧୂପ ପରେ ଦେବଦମ୍ପତିଙ୍କୁ ମନ୍ଦିର ଭିତରେ ବିଜେ କରାଯିବା ସହିତ ବନ୍ଦାପନା ହୋଇ ଆଜ୍ଞାମାଳ ପ୍ରଦାନ କରାଯାଇଥାଏ। ଝୁଲଣ ମଣ୍ଡପ ତଳେ ଥିବା ପାଲିଙ୍କି ରେ ପ୍ରଭୁ ମଦନମୋହନ ଓ ଶ୍ରୀଦେବୀ ଙ୍କୁ (ରୁକ୍ମିଣୀ)ବିଜେ କରାଯିବା ପରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥାଏ। ଶୋଭାଯାତ୍ରାରେ ଶ୍ରୀମନ୍ଦିର ପ୍ରଦକ୍ଷଣ କରି ସିଂହଦ୍ୱାର ଦେଇ ବଡ଼ଦାଣ୍ଡରେ ଶ୍ରୀନଅରରେ ଖଟକୁ ବିଜେ କରାଯାଏ।ସେଠାରେ ମହାସୁଆର ଙ୍କ ଦ୍ୱାରା ପ୍ରସ୍ତୁତ ପିଠା କୁ ପଞ୍ଚୋପଚାର ବିଧିରେ ପୂଜା ଓ ମଣୋହି କରାଯାଇଥାଏ । ଗଜପତି ଙ୍କ ପରିବାର ର ନାରୀ ଶ୍ରୀ ନଅର ରେ ପ୍ରଭୁ ଓ ଦେବୀଙ୍କୁ ବନ୍ଦାପନା କରି ଭେଟି ପ୍ରଦାନ କରିବା ପରେ ବରକନ୍ୟା ସେବକଙ୍କ ଦ୍ୱାରା ନଗର ପରିକ୍ରମା କରିବା ସହିତ ପନ୍ତି ଭୋଗ ଗ୍ରହଣ କରିଥାନ୍ତି। ଦେବା ଦେବୀ ଙ୍କ ଶୋଭାଯାତ୍ରା ଦେଉଳରୁ ବାହାରି ଶ୍ରୀନଅର, ବାଲିସାହି, ସ୍ୱାମୀ ମଠ, ବରାହୀ ଠାକୁରାଣୀ ମନ୍ଦିର, ହାଟମୁଣ୍ଡ ଓ ହରଚଣ୍ଡୀ ସାହି ଦେଇ ଶ୍ରୀ ଜମ୍ବେଶ୍ଵରଙ୍କ ମନ୍ଦିରରେ ପହଞ୍ଚିଥାନ୍ତି। ସେଠାରେ ପଞ୍ଚୁଗ୍ରାସୀ ଭୋଗ ସହିତ ବନ୍ଦାପନା ଅନୁଷ୍ଠିତ ହୋଇଥାଏ। ସେଠାରୁ ଦେବାଦେବୀମାନେ ମଣିକର୍ଣ୍ଣିକା ସାହି ଓ ଗାଣ୍ଡୁଆ ଚୌରାସ୍ଥିତ ଶ୍ରୀ କପାଳମୋଚନ ମନ୍ଦିର ସମ୍ମୁଖ ରାସ୍ତା ଦେଇ ଶ୍ରୀ ମନ୍ଦିର କୁ ବାହୁଡା ବିଜେ କରିଥାନ୍ତି। ଶେଷ ହୋଇଥାଏ ଦେବ ଦମ୍ପତ୍ତି ଙ୍କ ବିବାହ ଶୋଭାଯାତ୍ରା। ବା ଗୁଆଲି ଯାତ୍ରା।
ଜୟ ଜଗନ୍ନାଥ ସ୍ଵାମୀ।
ତୁଳସୀପୁର। ପୁରୀ
୯୪୩୯୩୬୧୮୮୮


