ଚାକିରୀ ସୁରକ୍ଷା, ଦରମା ବୃଦ୍ଧି ୬ ଦଫା ଦାବି ନେଇ ଭୋକେଶନାଲ ଟ୍ରେନର୍ସ ସଂଘର ବିକ୍ଷୋଭ ଓ ଗଣଧାରଣା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ରାଜ୍ୟରେ ଭୋକେସନାଲ ଶିକ୍ଷା ବିଗତ ୨୦୧୬ରୁ ଆରମ୍ଭ ହୋଇ ଆଜି ୬ ବର୍ଷ ପୂର୍ଣ୍ଣ ହୋଇଛି । ଓଡ଼ିଶାରେ କାର୍ଯ୍ୟରତ ଭୋକେସନାଲ ଟ୍ରେନରମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଏକମାତ୍ର ସଂଘ ଭୋକେସନାଲ ଟ୍ରେନର୍ସ ଆସୋସିଏସନ ବିଗତ ଏକବର୍ଷରୁ ଉର୍ଦ୍ଧ୍ୱ ବିଭିନ୍ନ ପର୍ଯ୍ୟାୟରେ ନିଜର ଦାବି ଉପସ୍ଥାପନ କରିଆସୁଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି ବିଭାଗରେ ନିଯୁକ୍ତି ପାଇଥିବା ୨୦୦୦ ଭୋକେସନାଲ ଟ୍ରେନର୍ସ ଆଜି ମଧ୍ୟ ସେହି ଦରମାରେ କାମ କରୁଛନ୍ତି । ନିୟମିତ ଦରମା ଓ ଦରମା ବୃଦ୍ଧି, ଚାକିରୀର ସ୍ଥାୟିତ୍ୱ, ମ୍ୟୁଚୁଆଲ ଟ୍ରାନ୍ସଫର ପଲିସ୍, ସବୈତନିକ ମ୍ୟାଟରନିଟ୍ ଲିଭ୍ ଆଦି ୬ ଦଫା ଦାବି ନେଇ ଧନ୍ଦାମୂଳକ ପ୍ରଶିକ୍ଷକ ତରଫରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ ଓ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । କୌଣସି ଭିଟିପି ପ୍ରକଳ୍ପରୁ ଓହରି ଗଲେ ଭିଟିମାନଙ୍କୁ ବାରମ୍ବାର ଇଣ୍ଟରଭ୍ୟୁ ଦେବାକୁ ପଡ଼ୁଛି । ଉପରୋକ୍ତ ବିଷୟକୁ ଏକ ନିର୍ଦ୍ଦିଷ୍ଟ ନିୟମ ପ୍ରଣୟନ କରି ଭୋକେସନାଲ ଟ୍ରେନରମାନଙ୍କ ଅସୁବିଧା ଗୁଡ଼ିକୁ ପ୍ରତିହତ କରିବା ପାଇଁ ସଂଘର ସଭାପତି ସୁନିଲ କୁମାର ଦେବତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ପାଦକ ଶେଖ୍ ବେଲାଲୁଦ୍ଦିନ ଅହମ୍ମଦ, ରାଜରଞ୍ଜନ ଦାସ, ଶାନ୍ତନୁ ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇ ଧନ୍ଦାମୂଳକ ଶିକ୍ଷକମାନଙ୍କର ଦରମା ବୃଦ୍ଧି ହେଉନଥିବାରୁ ଉଦ୍ବେଗ ପ୍ରକାଶ କରିଥିଲେ । ସଂଘ ତରଫରୁ କୁହାଯାଇଛି ଯେ, ନିକଟରେ ରାଜ୍ୟ ସରକାର ବିଭିନ୍ନ ଠିକା ଓ ଆଉଟ ସୋର୍ସିଂରେ କାମ କରୁଥିବା କର୍ମଚାୀମାନଙ୍କ ଦରମା ବୃଦ୍ଧି କରିଥିଲେ ମଧ୍ୟ ଧନ୍ଦାମୂଳକ ଶିକ୍ଷକମାନେ ଏଥିରୁ ବାଦ୍ ପଡ଼ିଛନ୍ତି । ପବିତ୍ର ଗୁରୁ ଦିବସରେ ଏହି ଶିକ୍ଷକମାନେ ନିଜର ଭବିଷ୍ୟତ ପାଇଁ ରାଜରାସ୍ତାରେ ସରକାରଙ୍କ ଠାରୁ ଉପରୋକ୍ତ ଦାବି ଗୁଡ଼ିକ ପୂୂରଣ ପାଇଁ ସମବେତ ହୋଇଛନ୍ତି । ଆବଶ୍ୟକ ପଡ଼ିଲେ ଦାବି ପୂରଣ ପର୍ଯ୍ୟନ୍ତ ଏହି ଗଣଧାରଣା ଜାରି ରହିବ ବୋଲି ସଂଘର ସଭାପତି ଶ୍ରୀ ସୁନିଲ କୁମାର ଦେବତା ଜଣାଇଛନ୍ତି ।


