ଚାଲିଛି ରାଜ୍ୟସଭା ନିର୍ବାଚନ
ନୂଆଦିଲ୍ଲୀ: ଆରମ୍ଭ ହୋଇସାରିଛି ୧୯ଟି ରାଜ୍ୟସଭା ଆସନ ନିମନ୍ତେ ୮ଟି ରାଜ୍ୟରେ ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା। ୧୯ଟି ରାଜ୍ୟସଭା ଆସନରୁ ଆନ୍ଧ୍ରପ୍ରଦେଶ ଏବଂ ଗୁଜରାଟରୁ ୪ଟି ଲେଖାଏଁ ଆସନ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରୁ ୩ଟି ଲେଖାଏଁ, ଝାଡ଼ଖଣ୍ଡରୁ ୨ଟି ଏବଂ ମଣିପୁର, ମିଜୋରାମ ଏବଂ ମେଘାଳୟରୁ ୧ଟି ଲେଖାଏଁ ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଉଛି। କରୋନାଭାଇରସ୍ ସଂକ୍ରମଣ ଏବଂ ସେଥିପାଇଁ ଘୋଷିତ ଲକ୍ଡାଉନ୍ ଯୋଗୁଁ ଏହି ନିର୍ବାଚନ ସ୍ଥଗିତ ରଖାଯାଇଥିଲା। ମାର୍ଚ ୨୬ ତାରିଖ ଦିନ ଏହି ନିର୍ବାଚନ ଅନୁଷ୍ଠିତ ହୋଇ ଥାଆନ୍ତା। କିନ୍ତୁ, ମାର୍ଚ ୨୪ ତାରିଖ ଦିନ ନିର୍ବାଚନ କମିସନ୍ ଏହାକୁ ସ୍ଥଗିତ କରିଥିଲେ। ନିର୍ବାଚନ କମିସନ୍ଙ୍କ ପୂର୍ବ ଘୋଷଣା ଅନୁସାରେ, ଆଜି ସନ୍ଧ୍ୟାବେଳେ ଭୋଟ୍ ଗଣନା ଆରମ୍ଭ ହେବ। କରୋନାଭାଇରସ୍ ମହାମାରୀ ପ୍ରତି ଧ୍ୟାନ ଦେଇ ନିର୍ବାଚନ କମିସନ୍ ମତଦାନ ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରିଛି।