ନାଏବ ସରପଞ୍ଚ ଙ୍କ ମହାନତା: ଫେରାଇଲେ ରାସ୍ତାରୁ ମିଳିଥିବା ଟଙ୍କା ଭର୍ତ୍ତି ମନିପର୍ଶ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ର ନାଏବ ସରପଞ୍ଚ ନରସିଂହପୁର ଗ୍ରାମର ଜି.ଶେଖର ଦୋରା ରାସ୍ତାରୁ ପାଇଥିବା ଟଙ୍କା ଭର୍ତ୍ତି ମନିପର୍ଶ କୁ ଫେରାଇ ନିଜର ମହାନତା ପ୍ରଦର୍ଶନ କରିଛନ୍ତି।ଶେଖର କୌଣସି କାମରେ ବାଇକ ଯୋଗେ ବ୍ରହ୍ମପୁର ନିକଟ ଲାଞ୍ଜିଆ ଗ୍ରାମକୁ ଯାଉଥିବା ବେଳେ ମହୁରୀ କାଳୁଆ ଛକ ରେ ତାଙ୍କୁ ଏକ ମନିପର୍ଶ ମିଳିଥିଲା।ସେଥିରେ ୧୩୫୦୦ ଟଙ୍କା,୩ ଟି ଏଟିଏମ୍ କାର୍ଡ ,ଆଧାର କାର୍ଡ ଥିବା ଦେଖିଥିଲେ।ସେ ଟଙ୍କା ପ୍ରତି ଲୋଭ ନକରି ସଙ୍ଗେ ସଙ୍ଗେ ଦିଗପହଣ୍ଡି ଥାନାରେ ପହଞ୍ଚି ପୋଲିସ ଅଧିକାରୀ ଙ୍କୁ ଉକ୍ତ ମନିପର୍ଶ ପ୍ରଦାନ କରିବା ସହ ପ୍ରକୃତ ବ୍ୟକ୍ତିଙ୍କୁ ଚିହ୍ନଟ କରି ମନିପର୍ଶ ଟିକୁ ଫେରାଇଦେବାକୁ ଅନୁରୋଧ କରିଥିଲେ। ପୋଲିସ ମନିପର୍ଶ ପଡ଼ିଯାଇଥିବା ଯୁବକଙ୍କ ଠିକଣା, ଫୋନ ନଂ ସଂଗ୍ରହ କରି ତାଙ୍କୁ ଥାନାକୁ ଡ଼କାଇ ପ୍ରମାଣ ପାଇବା ପରେ ଉକ୍ତ ଟଙ୍କା, ପର୍ଶ,ଏଟିଏମ୍ କାର୍ଡ ଓ ଆଧାର କାର୍ଡ ଫେରାଇଥିବା ଜଣାପଡ଼ିଛି। ଚାଞ୍ଚଡ଼ାପଲ୍ଲୀ ଗ୍ରାମର ଗଣେଶ ସ୍ବାଇଁ କୁକୁଡ଼ାଖଣ୍ଡି ବ୍ଲକ ବଉଳଝୋଳି ଗାଁ ଯାତ୍ରା ରେ ଚାଲିଥିବା ପୌରାଣିକ ରାମାୟଣ ନାଟକ ଦେଖି ବାଇକ ଯୋଗେ ଗାଁ କୁ ଫେରିବା ରାସ୍ତାରେ ପ୍ୟାଣ୍ଟ ପକେଟ ରୁ ତାଙ୍କ ମନିପର୍ଶ ଟି କେଉଁଠାରେ ପଡିଯାଇଥିଲା।ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ମନିପର୍ଶ ମିଳିନଥିଲା।ସେ ମନଦୁଃଖ ରେ ଘରକୁ ଯାଇଥିଲେ। ମାନସିକ ଚାପରେ ଥିବା ଗଣେଶ ଙ୍କୁ ଦିଗପହଣ୍ଡି ଥାନାରୁ ଜଣେ ଅଧିକାରୀ ଫୋନ କରି ଥାନାକୁ ଡ଼କାଇଥିଲେ। ଗଣେଶ ଥାନାରେ ପହଞ୍ଚିବା ପରେ ବାସୁଦେବପୁର ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ଜି.ଦାସ ରେଡ୍ଡୀ,ତାଙ୍କ ସାଙ୍ଗସାଥି ଓ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଶେଖର ତାଙ୍କୁ ସମସ୍ତ ଟଙ୍କା ସହ ମନିପର୍ଶ,ଏଟିଏମ୍ କାର୍ଡ,ଆଧାର କାର୍ଡ ଓ ପର୍ଶ ରେ ଥିବା କିଛି ଜରୁରୀ କାଗଜପତ୍ର ଫେରାଇଥିବା ଜଣାପଡ଼ିଛି। ଏଭଳି ମହାନ୍ କାର୍ଯ୍ୟ କରି ଶେଖର ବିଭିନ୍ନ ମହଲରୁ ପ୍ରଶଂସା ସାଉଁଟିଛନ୍ତି।


