ଚିକିତ୍ସାଧିନ ଅବସ୍ଥାରେ ମହିଳା ମୃତ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ନନ୍ଦିପଦା ଥାନା ହାବଳେଶ୍ୱର ପଞ୍ଚାୟତର ଜମ୍ଭରା ଗ୍ରାମରେ ଗତ ୧୮ତାରିଖ ଦିନ ପାରିବାରିକ କଳହକୁ ନେଇ ଜଣେ ମହିଳା କିରୋସିନି ଢ଼ାଳିହୋଇ ନିଜ ଦେହରେ ନିଆଁ ଲଗାଇ ପୋଡିଯାଇଥିଲେ । ତାଙ୍କୁ ପ୍ରଥମେ ଆନନ୍ଦପୁର ଓ ପରେ କଟକ ନିଆଯାଇ ଚିକିତ୍ସା କରାଯାଉଥିବାବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି । ଖବରରୁ ଜଣାଯାଇଛି ଯେ ଜମ୍ଭରା (ଶାଳବଣି)ଗ୍ରାମର ଭରତ ମଲ୍ଲିକ ନାମକ ଜଣେ ବ୍ୟକ୍ତି ଦଶମାସ ତଳେ ତେନ୍ତୁଲିପଦି ଗ୍ରାମର ରବିନ୍ଦ୍ର ରାଉତଙ୍କ ଝିଅ ମାନସୀକୁ ଭଲପାଇ ବିବାହ କରିଥିଲେ । କୌଣସି କାରଣକୁ ନେଇ ପରିବାର ଭିତରେ ଝଗଡା ଝାଟି ହେବାରୁ ଗତ ୧୮ତାରିଖ ଦିନ ମାନସୀ ଶୋଇବାଘରେ କିରୋସିନି ଢ଼ାଳିହୋଇ ନିଜ ଦେହରେ ନିଆଁ ଲଗାଇ ଦେଇଥିଲାବୋଲି ସ୍ୱାମୀ ଭରତ କହିଥିଲେ । ସ୍ୱାମୀ ଭରତ ଓ ତାଙ୍କ ପରିବାର ବର୍ଗ ତାକୁ ଉଦ୍ଧାର କରି ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଅବସ୍ଥା ଶଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ମହିଳାଙ୍କ ପରିବାର ଲୋକେ ଜ୍ୱାଇଁ ଓ ଶାଶୁ ଶ୍ୱଶୁରଙ୍କୁ ଦୋଷାରୋପ କରି ସେମାନଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ସେମାନେ ମାନସୀ ଉପରେ କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ କରୁଛନ୍ତି ।


