ଚିତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ମନର କଥା ଜଣାଇଲେ କୁନି ଚିତ୍ରଶିଳ୍ପୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଆଜି ହେଉଛି ଜୁନ୍ ମାସ ୫ ତାରିଖ । ବିଶ୍ୱ ପାଳୁଛି ପରିବେଶ ଦିବସ । ଏହି ଦିବସ ପାଳନ ଅବସରରେ ରାଜଧାନୀ ଭୁବେନଶ୍ୱରର ପୋଖରୀ ପୁଟ ଅଞ୍ଚଳରେ ରହୁଥିବା ଜଣେ ୭ ବର୍ଷର କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ ବୃକ୍ଷର ସୁରକ୍ଷା ଉଦ୍ଦେଶ୍ୟରେ ନିଜ ମନର କଥାକୁ ଚିତ୍ର ମାଧ୍ୟମରେ ବଖାଣି ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଶାନ୍ତନୁ ନିଜ ପିତାଙ୍କ ସ୍ମାର୍ଟ ଫୋନ୍ ସାହାଯ୍ୟ ନେଇ, ଗୁଗୁଲ୍‌କୁ ଯାଇ ଖୋଜିଛନ୍ତି ଟ୍ରି-ଟ୍ରାନ୍ସପ୍ଲାଣ୍ଟର ମେସିନ୍‌ର ଛବି । ଏହି ଟ୍ରି-ଟ୍ରାନ୍ସପ୍ଲାଣ୍ଟର ମେସିନ୍ ଛବିକୁ ଦେଖି ଡ୍ରଇଁସିଟ୍‌ରେ ବିଭିନ୍ନ ରଙ୍ଗ ଦେଇ ଆଙ୍କିଛନ୍ତି ଏହି ଅତ୍ୟାଧୁନିକ ବୃକ୍ଷ ସ୍ଥାନାନ୍ତରୀ କୌଶଳ ଯନ୍ତ୍ର । ଏ ସମ୍ପର୍କର ଶାନ୍ତନୁ କୁହନ୍ତି-ଏହି ଚିତ୍ରଟି ଆଙ୍କିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଗଛକୁ ନ କାଟି ଆମେ ଏହି ମେସିନ୍ ସାହାଯ୍ୟରେ ଅନ୍ୟତ୍ର ସ୍ଥାନାନ୍ତରିତ କରି ପୁଣିଥରେ ଲଗାଇ ପାରିବା । ଆମ ପରିବେଶ ବି ସୁରକ୍ଷା ରହିପାରିବ । ଯଦି ଆମେ ବିକାଶ ନାଁରେ ଗଛ କାଟି ଚାଲିବା ତେବେ ଆମ ପରବର୍ତ୍ତୀ ପିଢୀକୁ ଅମ୍ଲଜାନ ମିଳିବ ନାହିଁ । ବର୍ଷା ହେବନି । ନଦୀ, ନାଳ, ପୋଖରୀ ଇତ୍ୟାଦିରୁ ପାଣି ଶୁଖିଯିବ । ଦ୍ୱିତୀୟରେ ଆମ ରାଜ୍ୟ ଓଡ଼ିଶା ବର୍ଷର ଅନେକ ସମୟରେ ଗୁଡ଼ାଏ ପ୍ରାକୃତିକ ଦୁର୍ବିପାକକୁ ସାମ୍ନା କରିଥାଏ । ପ୍ରାକୃତିକ ଦୁର୍ବିପାକ ପ୍ରଭାବରେ ଅନେକ ବୃକ୍ଷ ଉପୁଡ଼ିଯାଇ ଭୂଇଁ ତଳେ ଲୋଟି ପଡ଼ିଥାଏ । ସେହି ଲୋଟି ପଡ଼ିଥିବା ଗଛଟିକୁ ପୁଣିଥରେ ସହଜରେ ଏହି ମେସିନ ଦ୍ୱାରା ରୋପଣ ବି କରିପାରିବା । ଶାନ୍ତନୁ ଚିିତ୍ରଟିର ଉପର ଅଂଶରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଇଂରାଜୀ ଭାଷାରେ ଲେଖିଛନ୍ତି- ‘ଟୁ’, ଆୱାର ଲଭିଂ ଆଣ୍ଡ୍ ଅନରେବଲ୍ ଚିଫ୍ ମିନିଷ୍ଟର ଅଫ୍ ଓଡ଼ିଶା । କ୍ରାଇଂ ଫର୍ ପ୍ରୋଟେକ୍‌ସନ ଆଇ କମ୍ ଟୁ ୟୁ : ସେଭ୍ ହ୍ୟୁମାନିଟି ବାଏ ସେଭିଂ ଟ୍ରିଜ୍ । ସୂଚନାଯୋଗ୍ୟ, ଶାନ୍ତନୁ ଏବେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅରିଶଲର ଦ୍ୱିତୀୟ ଶ୍ରେଣୀର ଛାତ୍ର । ବିଶ୍ୱ ପରିବେଶ ଦିବସରେ ଶାନ୍ତନୁଙ୍କ ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ସ୍ୱାଗତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ