ଛତ୍ରପୁର ଏନ୍ଏସିରେ ଆଣ୍ଟିଜେନ୍ ଟେଷ୍ଟ
ଛତ୍ରପୁର, (ଓ୍ବାଇଏନ୍ଏସ୍) : ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆସନ୍ତା ଗୁରୁବାର ଠାରୁ ୱାର୍ଡସ୍ତରରେ ଆଣ୍ଟିଜେନ୍ ଟେଷ୍ଟ କରାଯିବାକୁ ପଦକ୍ଷେପ ନିଆଯାଇଛି । ଆଣ୍ଟିଜେନ୍ ଟେଷ୍ଟରେ ଯେଉଁମାନଙ୍କ ନେଗେଟିଭ୍ ଚିହ୍ନଟ ହେବ ସେମାନଙ୍କୁ ଆବଶ୍ୟକ ସ୍ଥଳେ ମେଡିକାଲ ଅଫିସରମାନଙ୍କ ମାଧ୍ୟମରେ ନେଗେଟିଭ୍ର ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ଏଣୁ ୱାର୍ଡସ୍ତରରେ ଜନସାଧାରଣ ଆଣ୍ଟିଜେନ୍ ଟେଷ୍ଟ ବେଳେ ଡାକ୍ତର ଟିମ୍କୁ ସଂପୂର୍ଣ୍ଣ ସହଯୋଗ କରିବା ପାଇଁ କୁହାଯାଇଛି । ଏନେଇ ଡାକବାଜି ଯନ୍ତ୍ର ତଥା କୋଭିଡ୍ ମନିଟରମାନଙ୍କ ମାଧ୍ୟମରେ ୱାର୍ଡସ୍ତରରେ ସଚେତନତା କରାଯିବ ବୋଲି ଏନଏସି କାର୍ଯ୍ୟକ୍ରମରେ ଅଧିକାରୀ ଏନ.ଗଣେଷବାବୁ ସୂଚନା ଦେଇଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ଛତ୍ରପୁର ଏନ୍ଏସି କାର୍ଯ୍ୟାଳୟର ପରିସରରେ ସାମାଜିକ ଦୂରତାକୁ ବଜାୟ ରଖି ଛତ୍ରପୁର ତହସିଲଦାର ନୀଳମାଧବ ଭୋଇଙ୍କ ଅଧ୍ୟକ୍ଷତାରେ ସହରର ବ୍ୟବସାୟ ସଂଘର କର୍ମକର୍ତ୍ତାଙ୍କୁ ନେଇ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ଏନ୍ଏସି କାର୍ଯ୍ୟସିନିର୍ବାହୀ ଅଧିକାରୀ ଏନ୍.ଗଣେଶ ବାବୁ, ଡାକ୍ତର ସୁନିଲ କୁମାର ରଥ, ଓଏସ୍ଡି ବିକ୍ରମ କୁମାର ମଲ୍ଲିକ, ମଝିବଜାର ମହାଶକ୍ତି ବଣିକ ସଂଘର ସଭାପତି କିଶୋର ଚନ୍ଦ୍ର ସେନାପତି, ବଡବଜାର ବ୍ୟବସାୟୀ ସଂଘର ସଭାପତି ପ୍ରଫୁଲ କୁମାର ସେନାପତି, ଅପରବସଷ୍ଟାଣ୍ଡ ବ୍ୟବସାୟ ସଂଘର ଉପସଭାପତି ରାଜେନ୍ଦ୍ର କୁମାର ସେନାପତି, ରିକାପଲ୍ଲୀ ବ୍ୟାଘ୍ରଦେବୀ ବ୍ୟବସାୟ ସଂଘର ସଭାପତି ଲକ୍ଷ୍ମୀ ନାରାୟଣ ପଣ୍ଡା, ଏନ୍.ମୋହନ ରେଡ୍ଡୀ, ଛତ୍ରପୁର ଗ୍ରୋସରୀ ସଂଘର ସଂପାଦକ ଶ୍ରୀକାନ୍ତ ଅଗ୍ରୱାଲ, ଜି.ଜନାର୍ଦ୍ଦନ ରାଓ, ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସେହିପରି ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଦୋକାନୀ କୋଭିଡ୍ ଟେଷ୍ଟ କରିବା ବାଧ୍ୟତାମୂଳକ ରହିଛି । ଯେଉଁ ଦୋକାନୀ କୋଭିଡ୍ ଟେଷ୍ଟ ନ କରିଛନ୍ତି ସେମାନଙ୍କ ଦୋକାନକୁ ବନ୍ଦ କରାଯିବ । ବ୍ୟବସାୟୀମାନେ ପଞ୍ଚସୂତ୍ରୀ ନିୟମକୁ କଡାକଡି ଭାବେ ପାଳନ କରିବେ । ଦୋକାନୀଙ୍କ କୋଭିଡ୍ ଟେଷ୍ଟ କରିବା ଦ୍ୱାରା ଉଭୟ ବ୍ୟବସାୟୀ ଓ ଗ୍ରାହକ ସୁରକ୍ଷିତ ରହିପାରିବେ । ଏହାସହିତ ନିଜ ଦୋକାନ ସମ୍ମୁଖରେ ବ୍ୟାରିକେଟ୍, ଉଭୟ ଦୋକାନୀ ଓ ଗ୍ରାହକ ମାସ୍କ ପିନ୍ଧିବେ, ସାମାଜିକ ଦୂରତା ନିମନ୍ତେ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ଏଣୁ ବ୍ୟବସାୟୀ ସଂଘର କର୍ମକର୍ତ୍ତାମାନେ ଉପରୋକ୍ତ ବିଷୟକୁ ନେଇ ସହରରେ ଥିବା ଦୋକାନୀଙ୍କୁ ବ୍ୟାପକ ସଚେତନତା କରିବାକୁ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପରାମର୍ଶ ଦେଇଛନ୍ତି ।


