ଛତ୍ରପୁର ବିଧାନସଭା ପାଇଁ ସିପିଆଇ ପାର୍ଟୀର ପ୍ରଦୀପ ସେଠୀଙ୍କ ପ୍ରାର୍ଥୀପତ୍ର ଦାଖଲ
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ ):ସିପିଆଇ ପାର୍ଟି ପକ୍ଷରୁ ଆଜି ଶକ୍ତି ପ୍ରଦର୍ଶନ କରାଯାଇଛି । ଲାଲଗଡ ଭାବେ ପରିଚିତ ଛତ୍ରପୁର ବିଧାନସଭା ମଣ୍ଡଳୀରେ ବିଧାୟକ ପଦବୀ ଦଖଲ କରିବା ନିମନ୍ତେ ହଜାର ହଜାର ନେତା ଓ କର୍ମୀ ମାନେ ଏକଜୁଟ ହେବାର ଦେଖିବାକୁ ମିଳିଛି । ସୋମବାର ଦିନ ସିପିଆଇ ପାର୍ଟି ପକ୍ଷରୁ ରାଜ୍ୟ ଯୁବ ସଂଘର ସଂପାଦକ ତଥା ଛତ୍ରପୁର ବିଧାନସଭା ପ୍ରାର୍ଥୀ ପ୍ରଦୀପ ସେଠୀ ବିଧାନସଭା ନିମନ୍ତେ ପ୍ରାର୍ଥୀ ପତ୍ର ରିଟର୍ଣ୍ଣି ଅଫିସର ତଥା ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟିଙ୍କ ନିକଟରେ ଦାଖଲ କରିଛନ୍ତି । ପ୍ରାରମ୍ଭରେ ସ୍ଥାନୀୟ ପୁତି ଗୋପାଳପୁର ନିକଟ ବିଶ୍ୱେଶ୍ୱର ମନ୍ଦିର ପ୍ରାଙ୍ଗଣରୁ ହଜାର ହଜାର ନେତା ଓ କର୍ମୀ ମାନେ ହାତରେ ଦଳୀୟ ପତାକା ଧରି ଏକ ବିରାଟ ପଟୁଆରରେ ବାଜା, ବାଜଣା ସହ ଛତ୍ରପୁର ସହର ପରିକ୍ରମା କରି ସ୍ଥାନୀୟ ରିଡିଙ୍ଗ ରୁମ୍ ଠାରେ ପହଂଚିଥିଲେ । ସେଠାରେ ଏକ ସାଧାରଣ ସଭା ସିପିଆଇ ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଗୋକୁଳ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲେ । ଏଥିରେ ସିପିଆଇ ପାର୍ଟିର ରାଜ୍ୟ ସଂପାଦକ ଆଶିଷ କାନୁଗୋ , ଦିବାକର ନାୟକ, ପୂର୍ବତନ ବିଧାୟକ ତଥା ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ଏନ୍.ନାରାୟଣ ରେଡ୍ଡୀ, ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ପ୍ରଶାନ୍ତ ପାଟ୍ଟଯୋଶୀ, ସିପିଆଇ ଜିଲ୍ଲା ସଂପାଦକ ପ୍ରକାଶ ଚନ୍ଦ୍ର ପାତ୍ର, ସହ-ସଂପାଦକ ନୀଳକଣ୍ଠ ଦାଶ, କାମଦେବ ନାହାକ, ଜନାର୍ଦ୍ଦନ ରେଡ୍ଡୀ, ଡି.ଆଦିନାରାୟଣ ରେଡ୍ଡୀ, ଏସ୍.କ୍ରିାଷ୍ଣା ରେଡ୍ଡୀ, ବୃନ୍ଦାବନ ପାଲାଇ, ପୂର୍ଣ୍ଣ ରଥ, ସିପିଏମ୍ ର କୈଳାଶ ଷଡଙ୍ଗୀ, ଶ୍ରମିକନେତା ସୈାରୀବନ୍ଧୁ କର, ଆସିକା ଲୋକସଭା ପ୍ରାଥୀ ରାମକୃଷ୍ଣ ପଣ୍ଡା ପ୍ରମୁଖ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ଏହାସହ ଲାଲାଗଡ ଭାବେ ପରିଚିତ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ବିଧାନ ସଭାପ୍ରାର୍ଥୀ ପ୍ରଦୀପ ସେଠୀଙ୍କୁ ବିପୁଳ ପରିମାଣ ଭୋଟଦେଇ ଜୟଯୁକ୍ତ କରିବା ନିମନ୍ତେ ଉପସ୍ଥିତ ହଜାର ହଜାର ନେତା ଓ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ସେହିପରି ଆସିକା ଲୋକସଭା ପ୍ରାର୍ଥୀ ରାମକୃଷ୍ଣ ପଣ୍ଡାଙ୍କୁ ବିଜୟୀ କରିବା ନିମନ୍ତେ ସକଳ୍ପ ବଦ୍ଧ ହୋଇଥିଲେ ।


