ଛତ୍ରପୁର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରରେ ନେତ୍ର ଉତ୍ସବ ଓ ସ୍ମରଣିକା ଉନ୍ମୋଚନ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ମଧ୍ୟ ଚଳିତ ବର୍ଷ ଘୋଷଯାତ୍ରା ଅନୁଷ୍ଠିତ ହେବାପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି । ପୁରୀ ଜଗନ୍ନାଥ-ଧାମ ନୀତିପଦ୍ଧତି ସ୍ୱରୂପ ପ୍ରଚଳିତ ହୋଇଆସୁଥିବା ଛତ୍ରପୁର ତାଡେପଲ୍ଲୀ ସାହିସ୍ଥ ରାଜାଘର ଜଗନ୍ନାଥ ମନ୍ଦିରରେ ବୁଧବାର ସନ୍ଧ୍ୟାରେ ପ୍ରବଳଭିଡ ପରିଲିଖିତ ହୋଇଥିଲା । ବୁଧବାର ସନ୍ଧ୍ୟାରେ ଶ୍ରୀଜୀଉଙ୍କ ପାରମ୍ପରୀକ ନେତ୍ରଉତ୍ସବ ତଥା ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା, ସୁଦର୍ଶନ ଠାକୁର ଚତୁର୍ଦ୍ଧା ଦିଅଁଙ୍କ ନବଯୌବନ ଦର୍ଶନ କରି ଭକ୍ତମାନେ ଆତ୍ମବିଭୋର ହୋଇଉଠିଥିଲେ । ମହାପ୍ରଭୁଙ୍କ ଦର୍ଶନ କରିବା ସାଂଗକୁ ଭକ୍ତଜନ ଅତ୍ୟନ୍ତ ଖୁସିବ୍ୟକ୍ତ କରି ବିଭୂକୃପା ଲାଭ କରି ସଭିଏଁ ନିଜକୁ ଧନ୍ୟମନେ କରିଛନ୍ତି । ଏହି ଅବସରରେ ଏକ ସାଂସ୍କୃତିକ ସାମାରୋହ ସହ ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟୀ ପକ୍ଷରୁ ନିୟମିତ ପ୍ରକାଶିତ ତଥା ରଥଯାତ୍ରା ବିଶେଷାଙ୍କ ସ୍ମରଣିକାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଙ୍କ କରକମଳରେ “ପତିତପାବନ-୨୦୨୨” ଉନ୍ମୋଚିତ ହୋଇଛି । ଜଗନ୍ନାଥ ସଂସ୍କୃତିର ଅଵଲୋକନ ସ୍ୱରୂପ ଏହି ଆଧ୍ୟାତ୍ମିକ ସାହିତ୍ୟ ପତ୍ରିକା “ପତିତପାବନ” ବେଶ୍ ହୃଦୟସ୍ପର୍ଶୀ ହୋଇଛି । ମୁଖ୍ୟଉପଦେଷ୍ଟା ଇଂ.ରାମଚନ୍ଦ୍ର ପଟ୍ଟନାୟକ, ପତିତପାବନ ପରିଚାଳନା ସମିତି ର ସମ୍ପାଦକ କବିଶ୍ରୀ ନିରଞ୍ଜନ ତ୍ରିପାଠୀ, ସର୍ବଶ୍ରୀ ଆଦିକନ୍ଦ ପାଣିଗ୍ରାହୀ, ପୂର୍ଣ୍ଣଚନ୍ଦ୍ର ଚୌଧୁରୀ, ସୁଧୀର କାନ୍ତ ରଥ, ଅସୀତ କୁମାର ପଟ୍ଟନାୟକ ଏବଂ ଜ୍ୟୋତିର୍ବିଦ ବଟକୃଷ୍ଣ ତ୍ରିପାଠୀ ପ୍ରମୁଖ ସମ୍ପାଦନାମଣ୍ଡଳୀ ଏଥିରେ ଲେଖନୀ ପରିଚାଳନାରେ ସକ୍ରୀୟସହଯୋଗ ଦେଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ପବିତ୍ର ନେତ୍ରଉତ୍ସବ ଅବସରରେ ଛତ୍ରପୁର ସରସ୍ୱତୀ ଶିଶୁମନ୍ଦିରର ର ବିଦ୍ୟାର୍ଥୀ ମାନେ ଓଡ଼ିଶୀ, ସମ୍ବଲପୁରୀ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଉଚ୍ଚପ୍ରଶଂସିତ ହୋଇଥିଲେ । ଭଜନକୀର୍ତ୍ତନ, ଜଣାଣ ରେ ସଙ୍ଗୀତଭୂଷଣ ପ୍ରଫୁଲ୍ଲ ମହାପାତ୍ର ଅଂଶଗ୍ରହଣ କରିଥିଲେ ।


