ଜଙ୍ଗଲ ଧାରାବାହିକରେ ରହସ୍ୟ ମୟ ସିଦ୍ଧଗୁମ୍ଫା

ବୁଗୁଡା, (ଅନିଲ କୁମାର ମହାରଣା):ଜଣାଶୁଣା ପ୍ରସିଦ୍ଧ ଯୁବ ଶିଳ୍ପୀ ସ୍ଥିତିଧି ରଥ। ନିଜ ଜନ୍ମସ୍ଥାନ ବୁଗୁଡା ଅଞ୍ଚଳର କଳା, ସଂସ୍କୃତି, ପ୍ରାକୃତିକ ଦୃଶ୍ୟ, ଐତିହାସିକ ସ୍ଥାନ, କିମ୍ବଦନ୍ତୀ, ଜଙ୍ଗଲ ସୁରକ୍ଷା ନେଇ ନିର୍ମାଣ କରୁଛନ୍ତି ଧାରାବାହିକ ଜଙ୍ଗଲ। ନିକଟରେ ମୁକ୍ତିଲାଭ କରିଛି ଜଙ୍ଗଲର ୨୪ ତମ ଭାଗ। କ୍ଷୁଦ୍ର ଭିଡିଓ ମାଧ୍ୟମରେ ନିର୍ମିତ ଏହି ଜଙ୍ଗଲ ଧାରାବାହିକର ୨୪ ତମ ଭାଗରେ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତଥା ଶୈବ ଓ ବୌଦ୍ଧ ପୀଠ ବୁଦ୍ଧଖୋଲର ରହସ୍ୟ ମୟ ସିଦ୍ଧଗୁମ୍ଫା ବିଷୟରେ ଉଲ୍ଲେଖ କରାଯାଇଛି। ବୁଦ୍ଧଖୋଲ ପର୍ବତରେ ବହୁତ ଗୁମ୍ଫା ଥିଲେ ମଧ୍ୟ ଶ୍ରେଷ୍ଠ ଗୁମ୍ଫା ହେଉଛି ସିଦ୍ଧଗୁମ୍ଫା। ଏକ ଭୂମିକାରେ କବି ଓ ସାହିତ୍ୟିକ ଅନନ୍ତ କର ଅଭିନୟ କରି ତାଙ୍କରି ମୁଖରେ ସିଦ୍ଧଗୁମ୍ଫାର କିମ୍ବଦନ୍ତୀ ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ଗୁମ୍ଫାରେ ବହୁ ସାଧୁ, ବୌଦ୍ଧ ସନ୍ୟାସୀ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ପ୍ରମୁଖ ସାଧନ କରି ସିଦ୍ଧି ଲାଭ କରିଥିବା ବେଳେ ଏହାର ନାମ ସିଦ୍ଧଗୁମ୍ଫା ହୋଇଥିବା ଜଣାପଡିଛି। ନିଜ ଉଦ୍ୟମରେ ବ୍ୟକ୍ତିଗତ ଭାବେ ଶିଳ୍ପୀ ସ୍ଥିତିଧି ରଥ ଅର୍ଥ ଖର୍ଚ୍ଚ କରି ଜଙ୍ଗଲ ସୁରକ୍ଷା, ପରିବେଶ ପ୍ରଦୂଷଣ ସଚେତନତା ସହ ଅଞ୍ଚଳର ପ୍ରାକୃତିକ ଓ ଦର୍ଶନୀୟ ସ୍ଥାନର ପ୍ରଚାର ଓ ପ୍ରସାର କରୁଛନ୍ତି। ଜଙ୍ଗଲର ସୁରକ୍ଷା ପାଇଁ ସଚେତନ ମୂଳକ ଏହି ଧାରାବାହିକ ନିର୍ମାଣ ପାଇଁ ପ୍ରଶାସନ ଶିଳ୍ପୀ ଶ୍ରୀ ରଥଙ୍କୁ ସରକାରୀ ଭାବେ ଆର୍ଥିକ ସହାୟତା ଯୋଗାଇଦେବାକୁ ଜନସାଧାରଣ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ