ଜଙ୍ଗଲ ନିଆଁ ଘଟଣା: ଭୁବନେଶ୍ୱରରେ କେନ୍ଦ୍ରୀୟ ଯାଞ୍ଚ ଟିମ୍

ଭୁବନେଶ୍ୱର (ୱାଇଏନ୍‌ଏସ୍‌) : ଶିମିଳିପାଳରେ ନିଆଁ ଘଟଣାର ଯାଞ୍ଚ କରିବା ଲାଗି ଆଜି ଭୁବନେଶ୍ୱରରେ କେନ୍ଦ୍ରୀୟ ଟିମ୍ ସଦସ୍ୟ ପହଞ୍ଚିଛନ୍ତି। କେନ୍ଦ୍ରୀୟ ଟିମ୍ ସଦସ୍ୟ ତଥା ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ନୂଆଦିଲ୍ଲୀର ଆଇଜିଏଫ୍ ଡକ୍ଟର ଅମିତ୍ ମଲିକ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ବନ ବିଭାଗ ପକ୍ଷରୁ ସ୍ବାଗତ କରାଯାଇଛି। ଟିମର ଅନ୍ୟ ଜଣେ ସଦସ୍ୟ ସୁବ୍ରତ ମହାପାତ୍ର ଭୁବନେଶ୍ବରରେ ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଟିମ ସଦସ୍ୟ ଅମିତ ଓ ସୁବ୍ରତ ଶିମିଳିପାଳ ଗସ୍ତ କରିବେ। ଶିମିଳିପାଳରେ ନିଆଁ କାହିଁକି ଲାଗିଲା, ଏହାର କାରଣ ଓ ନିରାକରଣ ସମ୍ପର୍କରେ ଅନୁଧ୍ୟାନ କରି ଉଭୟେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ। ସୂଚନାଯୋଗ୍ୟ, ଗତକାଲି ବନାଗ୍ନି ସମସ୍ୟାକୁ ନେଇ ରାଜ୍ୟ ବିଜେପିର ୯ଜଣିଆ ସଂସଦୀୟ ପ୍ରତିନିଧିଦଳ କେନ୍ଦ୍ରମନ୍ତ୍ରୀଙ୍କୁ ସେମାନଙ୍କର ଉଦ୍‌ବେଗ ଜଣାଇଥିଲେ। ଟୁଇଟ୍ କରି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଓଡ଼ିଶାର ଶିମିଳିପାଳ ଅଭୟାରଣ୍ୟ ସମେତ ବିଭିନ୍ନ ସମ୍ବେଦନଶୀଳ ଜଙ୍ଗଲରେ ନିଆଁକୁ ଆୟତ୍ତ କରିବା ତଥା ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି ନହେବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀଙ୍କୁ ଭେଟି ପ୍ରସ୍ତାବ ଦେଇଥିଲୁ। ଓଡିଶାରେ ଜଙ୍ଗଲ ନିଆଁକୁ ଲିଭାଇବା, ଜଙ୍ଗଲ ଜମି ଓ ଉଦ୍ଭିଦସମୂହ କ୍ଷୟକ୍ଷତିର ଆକଳନ କରିବା ତଥା ଜଙ୍ଗଲ ଉପରେ ନିଜର ଜୀବନଜୀବିକା ପାଇଁ ନିର୍ଭର କରୁଥିବା ସମୁଦାୟଙ୍କ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛୁ। ସେହିଭଳି ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତି, ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଜଙ୍ଗଲ ବିଭାଗର ପ୍ରତିନିଧି, ପରିବେଶବିତ, ଜଙ୍ଗଲ ସୁରକ୍ଷା ଦେଉଥିବା ଲୋକମାନଙ୍କୁ ନେଇ ଏକ କ୍ଷମତାସଂପନ୍ନ କମିଟି ଗଠନ କରିବା ପାଇଁ ଅନୁରୋଧ କରାଯାଇଥିଲା।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ