ଜନ କର୍ଫ୍ୟୁକୁ ଅଭୁତପୁର୍ବ ଜନସମର୍ଥନ
ହାଟଡ଼ିହି : କରୋନା ଭୁତାଣୁ ସଂକ୍ରମଣକୁ ରୋକିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନକର୍ଫ୍ୟୁ ଡାକରାକୁ ଅଭୁତପୁର୍ବ ସମର୍ଥନ ମିଳିଛି । ଗାଁ ଠାରୁ ଆରମ୍ଭକରି ସହର ପର୍ଯ୍ୟନ୍ତ ସବୁଆଡେ ଲୋକମାନେ ସ୍ୱତପ୍ରବୃତ ଭାବେ ଏହାକୁ ସମର୍ଥନ କରିବାରୁ ସବୁଆଡେ ଆଜି ନୀରବ ନିସ୍ତବ୍ଦ ହୋଇଯାଇଛି । ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଜୋରଦାର ପ୍ରଚାର ପ୍ରସାର ଓ ପୁଲିସ ପ୍ରଶାସନର ସଚେତନତା ପରେ ଆଜି ସବୁଆଡେ ଜନକର୍ଫ୍ୟୁକୁ ସମର୍ଥନ ମିଳିଥିବା ଦେଖିବାକୁ ମିଳିଛି । ଗତକାଲି ସନ୍ଧ୍ୟାରେ ଜନସମାଗମ ଥିବା ଛେନାପଦି ମାର୍କେଟକୁ ତହସିଲଦାର ଗାୟତ୍ରୀ ସୋରେନ ଓ ନନ୍ଦିପଦା ପୁଲିସ ବଜାର କମିଟି ସହଯୋଗରେ ବନ୍ଦ କରିବାପରେ ଗତକାଲି ରାତି ୮ଟା ଠାରୁ ବଜାରଟି ଜନଶୁନ୍ୟ ହୋଇପଡିଥିଲା । ଆଜି ସକାଳ ୭ଟା ଠାରୁ ଛେନାପଦି ବଜାର, ସମେତ ହାଟଡିହି, ମରୈଗାଁ, ଶାଳଣିଆଁ, ବିଦ୍ୟାଧରପୁର, ବଡରମ୍ପାସ, ବରାଙ୍ଗ, ଢ଼େଙ୍କା, ସଢ଼ା, ହଦଗଡ ଆଦି ଛକ ବଜାର ଗୁଡିକରେ ସମସ୍ତ ଦୋକାନ ବଜାର ବନ୍ଦ ଥିବାବେଳେ କାଁଭାଁ କିଛି ବାଇକ ଆରୋହୀ ଯାତାୟତ କରୁଥିବା ଦେଖିବାକୁ ମିଳିଥିଲା । ବିଶେଷକରି ଛେନାପଦିଛକରେ ବସୁଥିବା ପରିବା ମାର୍କେଟକୁ ନିୟମିତ ଶହଶହ ଚାଷୀ ସେମାନଙ୍କ ପରିବାପତ୍ର ବିକ୍ରୀ କରିବାକୁ ଆସୁଥିବାବେଳେ ଆଜି କେହି ଜଣେବି ଚାଷୀ ପରିବାପତ୍ର ନେଇ ବିକିବାକୁ ଆସିନଥିଲେ । କେବଳ କିଛି ମେଡିସିନି ଦୋକାନ ଖୋଲା ରହିଥିବାବେଳେ ଗାଡି ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ରହିଥିଲା । ସେହିପରି ହଦଗଡ ଓ ପଢ଼ିଆରିପଲ୍ଲି ପଞ୍ଚାୟତର ବଣିଆପଙ୍କରେ ରବିବାର ଦୁଇଟି ହାଟ ବସୁଥିବାବେଳେ ଓ ଏଠାରେ ସବୁବେଳେ ଆଦିବାସୀ ମାନଙ୍କ ଭିଡ ଜମୁଥିବାବେଳେ ଆଜି ହାଟ ଦୁଇଟି ସମ୍ପୁର୍ଣ୍ଣ ବନ୍ଦ ହୋଇଯିବା ଲୋକମାନଙ୍କ ସଚେତନତାକୁ ଷ୍ପଷ୍ଟ କରିଥିଲା । ସେହିପରି ମୋଦିଙ୍କ ଆହ୍ୱାନକ୍ରମେ ପ୍ରାୟ ଅଧିକାଶଂ ଘରେ ସନ୍ଧ୍ୟା ୫ଟାବେଳେ ଲୋକମାନେ ଘର ସମ୍ମୁଖରେ ଠିଆହୋଇ ତାଳିମାରି, ଘଣ୍ଟ,ଘଣ୍ଟା, ଶଙ୍ଖ, ଓ ହୁଳହୁଳି ମାରିବା ଦ୍ୱାରା ଗଗନ ପବନ ପ୍ରଙ୍କମ୍ପିତ ହୋଇ ଉଠିଥିଲା ।


