ଭଦ୍ରକରୁ ଅପହରଣ, କେନ୍ଦୁଝର ପୋଲିସର ହସ୍ତକ୍ଷେପ ପରେ ଉଦ୍ଧାର
ହାଟଡିହି,(ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖାଯାଇଥିବା ୩ ଜଣ ବ୍ୟକ୍ତି ଉଦ୍ଧାର ହୋଇଛନ୍ତି l ଖବର ନେବାରୁ ଜଣାଯାଇଛି ଯେ ଅନୁଗୋଳ ଜିଲା ସଦର ଥାନା ଅଞ୍ଚଳର କିଛି ଲୋକ ଭଦ୍ରକ ଜିଲ୍ଲା ଗଣିଜାଙ୍ଗ ଅଞ୍ଚଳରେ ଠିକା କାର୍ଯ୍ୟ କରନ୍ତି l ଗତ ଗୁରୁବାର ରାତି ଠିକା କାର୍ଯ୍ୟରେ ନିୟୋଜିତ ୩ ଜଣ ବ୍ୟକ୍ତି ଗଣିଜାଙ୍ଗରୁ ଭଦ୍ରକ ଅଭିମୁଖେ ଯାଉଥିଲେ l ରାସ୍ତାରେ ଯାଉଥିବା ବେଳେ ସେମାନେ ଅପହରଣର ଶିକାର ହୋଇଥିଲେ l ଅପହରଣକାରୀ ମାନେ ଠିକା କାର୍ଯ୍ୟରେ ନିୟୋଜିତ ଅନ୍ୟ ଜଣକୁ ଫୋନରେ ମୁଣ୍ଡ ଜାମିନ ରଖାଯାଇଥିବା ଏବଂ ମୁକୁଳାଇବା ପାଇଁ ୫ ଲକ୍ଷ ଟଙ୍କା ଦାବୀ କରିଥିଲେ l ଏଥିସହ ଅପହରଣକାରୀ ମାନେ କେନ୍ଦୁଝର ଜିଲ୍ଲା ଅଭିମୁଖେ ପଳାଇ ଆସିଥିଲେ l ଅପହରଣକାରୀଙ୍କ ଠାରୁ ଫୋନରେ ଏପରି ଦାବୀ ଶୁଣି ବ୍ୟକ୍ତି ଜଣକ ଅପହରଣକାରୀଙ୍କୁ ପଛ କରିଥିଲେ l ଏପରିକି ନନ୍ଦିପଦା ଥାନାରେ ପହଞ୍ଚି ପୋଲିସକୁ ଜଣାଇଥିଲେ l ପରେ ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡାଙ୍କ ତତ୍ତ୍ୱବଧାନରେ ଆନନ୍ଦପୁର ଥାନାଧିକାରୀ ଫନୀନ୍ଦ୍ର ଭୂଷଣ ନାୟକ, ଏବଂ ନନ୍ଦିପଦା ଥାନାଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତିଙ୍କ ନେତୃତ୍ୱରେ ପୋଲିସର ଏକାଧିକ ଟିମ ଅପହରଣକାରୀଙ୍କୁ ଗୋଡ଼ାଇ ଥିଲେ l ଶେଷରେ ଅପହରଣକାରୀ ମାନେ ଅପହୃତ ୩ ବ୍ୟକ୍ତିଙ୍କୁ ଯାଜପୁର ଜିଲା ପାଖାପାଖି ଅଞ୍ଚଳରେ ଛାଡି ଫେରାର ହୋଇଯାଇଥିଲେ l ପୋଲିସ ସେମାନଙ୍କୁ ଉଦ୍ଧାର କରି ତାଙ୍କ ସମ୍ପର୍କୀୟ ଙ୍କ ଜିମା ଦେଇଥିଲେ। ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡାଙ୍କୁ ଉକ୍ତ ଘଟଣା ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ଯେ ମଣିଷର ଜୀବନ ବଞ୍ଚାଇବା ଆମର ପ୍ରଧାନ କର୍ତ୍ତବ୍ୟ ଅଟେ l ତେବେ ଘଟଣା ଭଦ୍ରକ ଜିଲ୍ଲା ଗଣିଜାଙ୍ଗ ଅଞ୍ଚଳରେ ଘଟିଛି l ଅପହରଣକାରୀ କେନ୍ଦୁଝର ଜିଲ୍ଲା ଅଞ୍ଚଳକୁ ପଳାଇ ଆସିଥିଲେ l ଅପହରଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କୀୟ ରାତିରେ ନନ୍ଦିପଦା ଥାନାରେ ପହଞ୍ଚି ଘଟଣା ବାବଦରେ ଜଣାଇବା ପରେ ତୁରନ୍ତ ଅପହରଣକାରୀଙ୍କୁ ପଛ କରି ଗୋଡ଼ାଇ ସେମାନଙ୍କୁ ଉଦ୍ଧାର କରିଥିଲୁ l କିନ୍ତୁ ଏନେଇ କୌଣସି ଅଭିଯୋଗ ହୋଇନି l


