ବେଆଇନ ଶିକ୍ଷକ ବଦଳି ପାଇଁ ଟଙ୍କା ଆଦାୟ ଅଭିଯୋଗ

ହାଟଡିହି,(ଓ୍ବାଇଏନଏସ): ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ (ବିଇଓ) କାର୍ଯ୍ୟାଳୟରେ ବେଆଇନ ଭାବେ ଶିକ୍ଷକ ବଦଳି ଓ ଡେପୁଟେସନ କରାଇବା ନାମରେ ବ୍ୟାପକ ଅର୍ଥ ଆଦାୟ ହୋଇଥିବା ନେଇ ଅଭିଯୋଗ ଉଠିଛି। ପୂର୍ବତନ ବିଇଓଙ୍କ କାର୍ଯ୍ୟକାଳରେ ଡେପୁଟେସନ ନାମରେ ବେନିୟମ ବଦଳି କରାଯାଉଥିବା ବେଳେ ଏହାର ସୁଯୋଗ ନେଇ କାର୍ଯ୍ୟାଳୟର କିଛି କର୍ମଚାରୀ ଓ କିଛି ସିଆରସିସି ଟଙ୍କା ଆଦାୟ କରିଥିବା ନେଇ ଚର୍ଚ୍ଚା ହେଉଛି। ଏପରିକି ବିଇଓ ରହୁଥିବା ଭଡ଼ାଘରର ମାଲିକଙ୍କ ମାଧ୍ୟମରେ ମଧ୍ୟ ହାତଗୁଞ୍ଜା ଟଙ୍କା ଆଦାୟ କରାଯାଇଥିବା ଅଭିଯୋଗ ରହିଛି। କେତେକ ଶିକ୍ଷକଙ୍କଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରାଯାଇଥିବା ବେଳେ ବିଇଓ ନିଲମ୍ବିତ ହେବା ପରେ କେତେକଙ୍କୁ ଟଙ୍କା ଫେରସ୍ତ କରାଯାଇଥିବା ଘଟଣା ପରେ ଏହି ଅଭିଯୋଗ ଲୋକଲୋଚନକୁ ଆସିଛି। ଚଳିତ ସେପ୍ଟେମ୍ବର ମାସରେ ୭ ଜଣ ଶିକ୍ଷକଙ୍କୁ ଡେପୁଟେସନରେ ପଠାଯାଇ ଲକ୍ଷାଧିକ ଟଙ୍କା ଆଦାୟ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଅନେକ ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷକ ରହି ବିଦ୍ୟାଳୟ ଚାଲୁଥିବା ବେଳେ ସେଠାରେ ଶିକ୍ଷକ ନିଯୁକ୍ତି ନକରି ପୂର୍ବତନ ବିଇଓ ନିଜ ଇଚ୍ଛାନୁସାରେ ଶିକ୍ଷକଙ୍କୁ ବିଭିନ୍ନ ବିଦ୍ୟାଳୟକୁ ଡେପୁଟେସନରେ ପଠାଇଥିବା ଅଭିଯୋଗ ହୋଇଛି। ଏପରିକି ଦୁଇ ଜଣ ଶିକ୍ଷକ ଥିବା ଏକ ବିଦ୍ୟାଳୟରୁ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ଡେପୁଟେସନରେ ପଠାଇ ଉକ୍ତ ବିଦ୍ୟାଳୟକୁ ସିଙ୍ଗଲ୍ ଟିଚର ବିଦ୍ୟାଳୟରେ ପରିଣତ କରାଯାଇଥିବା ମଧ୍ୟ ଅଭିଯୋଗ ରହିଛି। ପୂର୍ବତନ ବିଇଓଙ୍କ କାର୍ଯ୍ୟକାଳ ମଧ୍ୟରେ ୧୬୦ରୁ ଊର୍ଦ୍ଧ୍ୱ ଶିକ୍ଷକଙ୍କୁ ଡେପୁଟେସନରେ ପଠାଯାଇଥିବା ବେଳେ ଏଥିରେ ବ୍ୟାପକ ଅର୍ଥ କାରବାର ହୋଇଥିବା ନେଇ ଶିକ୍ଷକ ମହଲରେ ଆଲୋଚନା ହେଉଛି। ଅନ୍ୟପକ୍ଷରେ, ଜଣେ ପ୍ରଧାନଶିକ୍ଷକଙ୍କୁ ବଦଳି କରାଇଦେବା ପାଇଁ ସେହି କ୍ଲଷ୍ଟରର ଜଣେ ସିଆରସିସି ବିଇଓଙ୍କ ନାମ କହି ଗତ ଅଗଷ୍ଟ ୨୩ ତାରିଖରେ ଫୋନ୍‌ପେ ମାଧ୍ୟମରେ ୨୦ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ବଦଳି ପାଇଁ ବିଇଓ ଟଙ୍କା ନେଉଛନ୍ତି ବୋଲି କହି ସିଆରସିସି ଜଣକ ଟଙ୍କା ନେବା ପରେ ଅଳ୍ପ ଦିନ ମଧ୍ୟରେ ବଦଳି ଆଦେଶ ବାହାରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପରେ ବିଭିନ୍ନ ଆଳ ଦେଖାଇ ସମୟ ଗଡ଼ାଇ ଚାଲିଥିବା ଅଭିଯୋଗ ହୋଇଛି।କିନ୍ତୁ ବିଇଓ ନିଲମ୍ବିତ ହେବା ପରେ ଆଉ ବଦଳି ହୋଇପାରିବ ନାହିଁ ବୋଲି ଜାଣି ସମ୍ପୃକ୍ତ ପ୍ରଧାନଶିକ୍ଷକ ସିଆରସିସିଙ୍କୁ ଟଙ୍କା ଫେରସ୍ତ ମାଗିଥିଲେ। ତେବେ ବିଇଓ ଟଙ୍କା ନେଇଯାଇଛନ୍ତି, ମୁଁ କେଉଁଠୁ ଆଣି ଦେବି ବୋଲି ସିଆରସିସି କହିଥିବା ଅଭିଯୋଗ ରହିଛି। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ବେଳେ ଘଟଣାକୁ ନେଇ ପ୍ରଧାନଶିକ୍ଷକଙ୍କ ପତ୍ନୀ ଥାନାର ଦ୍ୱାରସ୍ଥ ହେବେ ବୋଲି କହିଥିବା ଜଣାପଡ଼ିଛି। ଖାଲି ଏହି ଜଣେ ଶିକ୍ଷକ ନୁହନ୍ତି, ଏଭଳି ଅନେକ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କଠାରୁ ବଦଳି ଓ ଡେପୁଟେସନ ନାମରେ ଲକ୍ଷାଧିକ ଟଙ୍କା ଆଦାୟ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ତେବେ ଏସବୁ ଅଭିଯୋଗର ସତ୍ୟତା ସମ୍ପର୍କରେ ଅଧିକାରୀ କିମ୍ବା ସମ୍ପୃକ୍ତ ବ୍ୟକ୍ତିଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନାହିଁ। ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଗତ କିଛି ମାସ ମଧ୍ୟରେ ହୋଇଥିବା ଶିକ୍ଷକ ବଦଳି ଓ ଡେପୁଟେସନ ସମ୍ପର୍କିତ ସମସ୍ତ କାର୍ଯ୍ୟର ନିରପେକ୍ଷ ତଦନ୍ତ କରାଗଲେ ଏହି ଘଟଣାର ଅନେକ ତଥ୍ୟ ସାମ୍ନାକୁ ଆସିପାରିବ ବୋଲି କିଛି ଶିକ୍ଷକ ନେତା ମତପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ