ଜଳୁଛି ଅଧା ଓଡ଼ିଶା
ଭୁବନେଶ୍ବର, (ୱାଇଏନ୍ଏସ୍): ଅଧାରୁ ଅଧିକ ଓଡ଼ିଶାର ଜଂଗଲ ଜଳୁଛି । ଯେଉଁଥିରେ ସବୁଜିମା ସାଂଗକୁ ବହୁ ଔଷଧୀୟ ବୃକ୍ଷ ମଧ୍ୟ ଜଳିପୋଡ଼ି ପାଉଁଶ ହୋଇଯାଉଛି। ଆଉ କେତେକ ସ୍ଥାନରେ ବନ୍ୟଜନ୍ତୁ ମଧ୍ୟ ପ୍ରଭାବିତ । ତେବେ ଜଙ୍ଗଲ ନିଆଁ ଯୋଗୁଁ ବନ୍ୟଜନ୍ତୁଙ୍କ ବାସସ୍ଥଳୀ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ସେମାନେ ଏବେ ଜନବସତି ମୁହାଁ ହେବା ସହ ଶିକାରୀଙ୍କ ପଞ୍ଝାରେ ପଡ଼ୁଥିବା ଖବର ଆସୁଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୭୯ଟି ସ୍ଥାନରେ ନୂଆ କରି ନିଆଁ ଲାଗିଛି। ଭୁବନେଶ୍ବରର ଖଣ୍ଡଗିରି ପାହାଡ଼ ସ୍ଥିତ ଜଂଗଲ ବି ରହିଛି। ଖଣ୍ଡଗିରିରେ ଲାଗିଥିବା ନିଆଁରେ କୌଣସି ଜନଜୀବନ କ୍ଷତି ହୋଇ ନ ଥିଲେ ମଧ୍ୟ ପ୍ରାୟ ଗୋଟିଏ ଏକର ଜଙ୍ଗଲ ଜଳି ଯାଇଥିବା ପ୍ରାରମ୍ଭିକ ସୂଚନା ମିଳିଛି। ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ଉଦ୍ୟମ ଫଳରେ ସନ୍ଧ୍ୟା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଥିବା ଜଣାପଡ଼ିଛି। ଜଙ୍ଗଲ ନିଆଁକୁ ଆୟତ୍ତ କରିବା ଲାଗି ଗତ ୫ ବର୍ଷ ହେଲା ଜଙ୍ଗଲ ବିଭାଗ ବିଭିନ୍ନ ସମୟରେ କୌଶଳ ଅବଲମ୍ବନ କରୁଛି। ଗ୍ରୀଷ୍ମ ଆରମ୍ଭ ହେବା ପୂର୍ବରୁ ବନ ବିଭାଗ ଅଧିକାରୀଙ୍କୁ ଅତ୍ୟାଧୁନିକ ଯନ୍ତ୍ରପାତି କିଣାଯାଇ ଯୋଗାଇ ଦିଆଯାଉଛି। ଜଙ୍ଗଲ ନିକଟରେ ଥିବା ଗ୍ରାମବାସୀଙ୍କୁ ସଚେତନ କରାଯାଉଛି। ଏଥିପାଇଁ ସ୍ବତନ୍ତ୍ର ବଜେଟ୍ ବି ହେଉଛି। ଯାହାକି ଏବେ ୨୦ କୋଟି ଟଙ୍କା ଟପିଲାଣି। ୨୦୧୬-୧୭ ଆର୍ଥିକ ବର୍ଷରେ ଏ ବାବଦରେ ୧୬.୨୯ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିବାବେଳେ ୨୦୧୭-୧୮ରେ ୧୮.୫୮ କୋଟି ଏବଂ ପରବର୍ତୀ ବର୍ଷରେ ଏହା ୨୦ କୋଟି ଟଙ୍କା ଟପିଛି। ଏହାବ୍ୟତୀତ ୨୦୧୬ରୁ ଜଙ୍ଗଲ ନିଆଁ ପ୍ରତିକାର ନିମନ୍ତେ ସାଧାରଣ ପରିଚାଳନା ପଦ୍ଧତି(ଏସ୍ଓପି) ଜାରି ହୋଇଛି। କେବଳ ଯେ ଓଡ଼ିଶାରେ ଜଙ୍ଗଲ ଜଳୁଛି ତାହା ନୁହେଁ; ଦେଶର ଅଧାରୁ ଅଧିକ ରାଜ୍ୟ ଓ କେନ୍ଦ୍ର ଅଞ୍ଚଳର ଜଙ୍ଗଲ ପ୍ରଭାବିତ ହୋଇଛି। ଦେଶର ୮୮୬ଟି ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ କରାଯାଇଛି। ଏଥିରେ ଓଡ଼ିଶାରେ ସର୍ବାଧିକ ୨୩୩ଟି ସ୍ଥାନ ରହିଥିବାବେଳେ ତେଲେଙ୍ଗାନାରେ ୧୨୬, ମଧ୍ୟ ପ୍ରଦେଶରେ ୧୦୭, ଆନ୍ଧ୍ରପ୍ରଦେଶରେ ୭୮, ମହାରାଷ୍ଟ୍ରର ୭୬, ଛତିଶଗଡ଼ରେ ୭୪, ଝାଡ଼ଖଣ୍ଡରେ ୪୫, ଉତ୍ତରାଖଣ୍ଡରେ ୩୭, ମିଜୋରାମର ୩୧, ପଶ୍ଚିମବଙ୍ଗରେ ୧୫ଟି ସ୍ଥାନ ରହିଛି। ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରୁ ୨୨ଟିରେ ଥିବା ବିଭିନ୍ନ ଜଂଗଲରେ ଆଜି ବି ନିଆଁ ଜଳୁଥିବା ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ(ଏଫ୍ଏସ୍ଆଇ) ପକ୍ଷରୁ ସୂଚନା ମିଳିଛି।


