ମୋଦିଙ୍କ ଲାଇଟ ଗାଁ ଦାଣ୍ଡକୁ ଉଜ୍ଜଳ କରିଛି: ସମୀର ମହାନ୍ତି
ଭୁବନେଶ୍ୱର, (ୱାଇଏନ୍ଏସ୍):ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ନୀତି କାରଣରୁ ଅର୍ଥ ବିନିଯୋଗ ହୋଇନପାରି କେନ୍ଦ୍ରକୁ ପୁଣି ଫେରିଯାଉଛି । ରାଜ୍ୟର ଗ୍ରାମାଂଚଳରେ ଯାହା କିଛି ବିକାଶ ହୋଇଛି, ତାହା କେବଳ ମୋଦି ସରକାରଙ୍କ ଅର୍ଥରେ ହୋଇଛି । ମୋଦିଙ୍କ ଲାଇଟ ଗାଁ ଦାଣ୍ଡକୁ ଉଜ୍ଜଳ କରିଛି । ମାତ୍ର ରାଜ୍ୟର ଅର୍ଦ୍ଧାଧିକ ପଂଚାୟତରେ ନିର୍ବାହୀ ଅଧିକାରୀ ପଦବୀ ଖାଲି ପଡିଛି । ବ୍ଲକରେ ଜେଇ ଓ ଆପିଓ କର୍ମଚାରୀ ପଦବୀ ଖାଲି ପଡିଛି । ତେଣୁ ଯେଉଁ କାମ ହେଉଛି, ତାହା ମଧ୍ୟ ଅତି ନିମ୍ନ ମାନର । ମୋଦି ପଠାଇଥିବା ଅର୍ଥ ପଂଚାୟତରେ ଅଛି, ମାତ୍ର ଖର୍ଚ୍ଚ ହୋଇପାରୁନାହିଁ । “ସଉଦା ଅଛି, ମାତ୍ର ରୋଷେଇଆ ନାହିଁ” ବୋଲି କହି ତାତ୍ସଲ୍ୟ କରି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।ଶୁକ୍ରବାର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ,ୟୁପିଏ ସରକାରଙ୍କ ଅମଳରେ ୨୦୧୪ ମସିହା ପୂର୍ବରୁ ୧୩ଦଶ ଅର୍ଥ କମିଶନ ସୁପାରିଶ ଆଧାରରେ ପ୍ରତିଟି ପଂଚାୟତର ବିକାଶ ପାଇଁ ପ୍ରତି ବର୍ଷ ମାତ୍ର ୧ରୁ ୫ ଲକ୍ଷ ଟଙ୍କା ମିଳୁଥିଲା । ମାତ୍ର ଗରୀବଙ୍କ ପାଇଁ ସମର୍ପିତ ମୋଦି ସରକାର ୨୦୧୫ ମସିହାଠାରୁ ୧୪ର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିଶ ଆଧାରରେ ପ୍ରତି ପଂଚାୟତକୁ ପ୍ରତି ବର୍ଷ ସର୍ବନିମ୍ନ ୪୦ଲକ୍ଷ ଟଙ୍କାରୁ ସର୍ବାଧିକ ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି । । ଏହି ଅର୍ଥରେ ସ୍ଥାନୀୟ ପଂଚାୟତର ଉଜ୍ଜ୍ୱଳା ବ୍ୟବସ୍ଥା, ପରିମଳ ବ୍ୟବସ୍ଥା, ମାର୍କେଟ କଂପ୍ଲେକ୍ସ ଆଦି ନିର୍ମାଣ କରାଯାଇ ପଂଚାୟତର ନିଜସ୍ୱ ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ କରାଯାଇପାରିବ ।ରାଜ୍ୟର ୫୦ରୁ ଉର୍ଦ୍ଧ୍ୱ ବିଧାନସଭା କ୍ଷେତ୍ରର ବିଭିନ୍ନ ଗ୍ରାମ ଗସ୍ତ କରି ବିକାଶର ବାସ୍ତବ ଚିତ୍ର ଦେଖିଲା ପରେ ଗ୍ରାମାଂଚଳର ବିକାଶରେ ରାଜ୍ୟ ସରକାର ବାଧକ ସାଜିଥିବା ସ୍ପଷ୍ଟ ଜଣାପଡିଛି । ରାଜ୍ୟ ସରକାର ଓ ପ୍ରଶାସନର ଆନ୍ତରିକତାର ଅଭାବ କାରଣରୁ ପ୍ରଧାନମନ୍ତ୍ରୀ ବନଧନ ଯୋଜନାର କାର୍ଯ୍ୟକାରୀ କରାଇବାରେ ବିଫଳ ହୋଇଛନ୍ତି । ମହିଳା ସଶକ୍ତିକରଣ କହୁଥିବା ରାଜ୍ୟ ସରକାର ମୋଦିଙ୍କ ବନଧନ ଯୋଜନାକୁ କାର୍ଯ୍ୟକାରୀ ନକରାଇ ଜନଜାତି ମହିଳାଙ୍କୁ ସ୍ୱରୋଜଗାରକ୍ଷମ କରିବାରେ ବଡ ବାଧକ ସାଜିଛନ୍ତି ।ମୋଦି ସରକାର କେନ୍ଦ୍ରରୁ ପଠାଉଥିବା ସମସ୍ତ ଅର୍ଥକୁ ସଠିକ ଭାବେ ବ୍ୟବହାର କରିବା ସହ ରାଜ୍ୟ ସରକାର ନିଜସ୍ୱ ପାଂଠିରୁ ଅର୍ଥ ଖର୍ଚ୍ଚ କରି ଗ୍ରାମାଂଚଳରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ପ୍ରତ୍ୟେକ ଗ୍ରାମକୁ ଆତ୍ମନିର୍ଭରଶୀଲ କରିବାରେ ବଳିଷ୍ଠ ପଦକ୍ଷେପ ନେବାକୁ ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି ।


