ଜଳ ନିଷ୍କାସନ ପାଇଁ ଉପଜିଲ୍ଲାପାଳ ଓ ତହସିଲାଦରଙ୍କୁ ଭେଟିଲେ ପଂଚାୟତବାସୀ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଗତ ଚାରିଦିନ ଧରି ଲଗାଣ ବର୍ଷା ହେବା ଯୋଗୁଁ ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମ ପଂଚାୟତର ହଜାର ହଜାର ଏକର ଚାଷୀ ଜମି ଏବେ ଜଳବନ୍ଦୀରେ ରହିଛି । ଏହା ଦ୍ୱାରା ଚାଷୀ ମାନଙ୍କ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି । ଏନେଇ ଆଜି ବିପୁଳିଙ୍ଗି ଗ୍ରାମ ପଂଚାୟତର ଚାଷୀମାନେ ଚାଷୀ ଜମିରେ ରହିଥିବା ବର୍ଷା ପାଣି କିପରୀ ନିଷ୍କାସନ ହୋଇପାରିବେ ସେଥି ପ୍ରତି କାର୍ଯ୍ୟକରିବା ନିମନ୍ତେ ଉପଜିଲ୍ଲାପାଳ ଓ ଛତ୍ରପୁର ତହସିଲଦାରଙ୍କ କାର୍ଯ୍ୟାଳୟ ଆସି ସେମାନଙ୍କ ଗୁହାରୀ ଜଣାଇଛନ୍ତି । ସେମାନେ କହିଛନ୍ତି ଯେ ଲଗାଣ ବର୍ଷା ହେବା ଯୋଗୁଁ କେନାଲ ଓ କରାତଳି ତାମ୍ପରା ପାଣି ଚାଷଜମି ଗୁଡିକରେ ଭର୍ତି ହୋଇଯାଇଛି । ଯାହାଫଳରେ ଚାଷଜମି ଯାକ ଜଳବନ୍ଦୀରେ ରହିଛି । ଗତ କିଛି ମାସ ତଳେ ମଧ୍ୟ ଏହି ଲଗାଣ ବର୍ଷା ହେବା ଯୋଗୁଁ ଏପରି ବର୍ଷାପାଣି ଚାଷ ଜମିରେ ଜମି ରହିଥିଲା । ଏବେ ଆଉଥରେ ରହିବା ଯୋଗୁଁ ଆମ ଫସଲ ନଷ୍ଟ ହେବା ସମ୍ଭାବନା ରହିଛି । ତେଣୁ ଏହାର ପ୍ରତିକାର କରିବା ନିମନ୍ତେ ସେମାନେ ଦାବୀ କରିଛନ୍ତି ।


