ଜାନାମି ଧର୍ମଂ ନ ଚ ମେ ପ୍ରବୃତ୍ତିଃ


ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ
ସାଧାରଣତଃ ମଣିଷ କିଛି ତର୍କଶାସ୍ତ୍ର ଅଧ୍ୟୟନ କରି ନିଜକୁ ଜ୍ଞାନୀ- ଗୁଣୀର ପରିଚୟ ଦେଇଥାଏ ଏବଂ ସେ ନିଜକୁ ସୁହାଇଲା ଭଳି ପ୍ରତ୍ୟେକ କାର୍ଯ୍ୟ କରିଚାଲେ। ସେହି କାର୍ଯ୍ୟ ଗୁଡିକ ଅନ୍ୟ ପାଇଁ କ୍ଷତି ହେଲେ ମଧ୍ୟ ତାର ଶୋଚନା ନଥାଏ। ସେ ନିଜେ କରିଥିବା କାର୍ଯ୍ୟାଦିରେ ଅନେକ ଖୁଣ ଥିଲେ ବି, ତାକୁ ଠିକ୍ ସାବ୍ୟସ୍ତ କରିବା ପାଇଁ ବିବିଧ ପ୍ରକାର ଯୁକ୍ତି ବାଢିଥାଏ ଏବଂ ଅନେକ ଉଦାହରଣ ଦେଇ ସତ୍ୟ ବୋଲି ପ୍ରମାଣିତ କରିବା ପାଇଁ ଚେଷ୍ଟା ବି କରିଥାଏ। ଏହା ହେଉଛି ତା’ର ମୃଢ଼ ଅହଂକାର ର ମାନସିକ ପ୍ରବୃତ୍ତି। ଯେତେ ପର୍ଯ୍ୟନ୍ତ ସେହି ବ୍ୟକ୍ତିର ସାମର୍ଥ୍ଯ ଥାଏ, ସେ ଈଶ୍ୱରଙ୍କ ନାମ ମୁହଁରେ ନେଇଥାଏ ସିନା, ଈଶ୍ୱରଙ୍କ ଅସ୍ତିତ୍ୱ ବା ତାହାଙ୍କ ଶକ୍ତି ଉପରେ ତାର ତିଳେ ବି ବିଶ୍ବାସ ନଥାଏ। କିନ୍ତୁ ଯେତେବେଳେ ନିଜଠାରୁ କୌଣସି ଏକ ଶକ୍ତିଶାଳୀ ପ୍ରଭୁତ୍ୱ ସମ୍ପନ୍ନ ବ୍ୟକ୍ତିତ୍ୱଙ୍କ ସଂସ୍ପର୍ଶରେ ଆସେ, ସେତେବେଳେ ନିଜେ କରିଥିବା କୃତକର୍ମ ପାଇଁ ଈଶ୍ବରଙ୍କ ଇଚ୍ଛା କହି ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣିତ କରିବାକୁ ପଛାଏ ନାହିଁ। ପ୍ରକୃତରେ ଏପରି ବ୍ୟକ୍ତିମାନେ ଜାଣନ୍ତି ନାହିଁ ଯେ, କର୍ମ ହେଉଛି ସ୍ଵତନ୍ତ୍ର। ନିଜେ କରିଥିବା ଶୁଭାଶୁଭ କର୍ମର ଫଳ ନିଜକୁ ହିଁ ଭୋଗିବାକୁ ପଡିଥାଏ। ତେଣୁ ଶାସ୍ତ୍ରରେ କୁହାଯାଇଛି: ” ଆବଶ୍ୟମେବ ଭୋକ୍ତବ୍ୟଂ ଶୁଭାଶୁଭଂ କର୍ମଫଲମ୍”। ଅର୍ଥାତ୍ ମନୁଷ୍ୟ ନିଜ ଜ୍ଞାତସାରରେ (ମୁଁ ଯୁକ୍ତ କରି) ଯେଉଁ ଭଲ ବା ମନ୍ଦ କର୍ମ କରିଥାଏ , ତାର ଫଳ ସେ ନିଶ୍ଚିତ ଭାବରେ ଭୋଗ କରିଥାଏ। ଉକ୍ତ ପ୍ରସଙ୍ଗକୁ ନେ଼ଇ ଏକ ସୁନ୍ଦର ପୌରାଣିକ ଉପାଖ୍ୟାନ ରହିଛି, ଯାହା ଏପରି ବ୍ୟକ୍ତି ବିଶେଷଙ୍କ ପାଇଁ ପ୍ରକୃଷ୍ଟ ଦୃଷ୍ଟାନ୍ତ।

ମହାଭାରତ ସମୟର କଥା। ଗୋବିନ୍ଦ ( ଶ୍ରୀକୃଷ୍ଣ ) ହସ୍ତିନାପୁରକୁ ଯାଇଥିଲେ। ସେଠାରେ ମହାପ୍ରଭୁଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରାଗଲା ଏବଂ ଆତିଥ୍ୟ ଗ୍ରହଣ କରିବା ପାଇଁ ଅହଙ୍କାରୀ ମାନ ଗୋବିନ୍ଦ ( ଦୁର୍ଯ୍ୟୋଧନ) ନିମନ୍ତ୍ରଣ ମଧ୍ୟ କରିଥିଲେ; ପରନ୍ତୁ ଶ୍ରୀକୃଷ୍ଣ ଦୁର୍ଯ୍ୟୋଧନଙ୍କ ବାସ ଭବନକୁ ନ ଯାଇ ଭକ୍ତ ବିଦୁରଙ୍କ ଗୃହକୁ ଚାଲି ଯାଇଥିଲେ। ଏହା ଜାଣି ମାନଗୋବିନ୍ଦ ଅତ୍ୟନ୍ତ କ୍ରୋଧିତ ହୋଇଥିଲେ, କିନ୍ତୁ କ’ଣ ବା କରିପାରିବେ! ନିଜକୁ ନିଜେ ସମ୍ଭାଳି ନେଲେ। କାରଣ ସେ ଜାଣନ୍ତି ଯଦୁପତି ଓ ତାଙ୍କରି ନାରାୟଣୀ ସେନା ବହୁତ ଶକ୍ତିଶାଳୀ। ତେଣୁ ମୌନ ରହିବା ହିଁ ଶ୍ରେୟସ୍କର ଭାବି ନିଜ କକ୍ଷକୁ ଚାଲିଗଲେ। ରାତ୍ର ସମୟଟି ଯେମିତି ସେମିତି କଟିଗଲା। ତା’ ପରଦିନ ଦୁର୍ଯ୍ୟୋଧନ ଶ୍ରୀକୃଷ୍ଣଙ୍କୁ ଭେଟିବାକୁ ଆସିଲେ। ମାନଗୋବିନ୍ଦଙ୍କୁ ଦେଖି ଗୋବିନ୍ଦ ଈଷତ୍ ହସି କହିବାକୁ ଲାଗିଲେ ହେ କୌରବ ଯୁବରାଜ! ତୁମ ପରି ବ୍ୟକ୍ତିକୁ ଏ ଅଧର୍ମ ପଥ ଶୋଭା ପାଏନା, ଉକ୍ତ ପଥ ପରିତ୍ୟାଗକରି ଧର୍ମକୁ ଅନୁସରଣ କର, ଯାଫଳରେ ଧର୍ମ ତୁମକୁ ରକ୍ଷା କରିବ। ଶ୍ରୀକୃଷ୍ଣଙ୍କ ମୁଖରୁ ଏପରି ବାଣୀ ଶୁଣି ମାନଗୋବିନ୍ଦ କହିବାକୁ ଲାଗିଲେ :
ଜାନାମି ଧର୍ମଂ ନ ଚ ମେ ପ୍ରବୃତ୍ତିଃ,ଜାନାମ୍ୟଧର୍ମଂ ନ ଚ ମେ ନିବୃତ୍ତିଃ ।ତ୍ୱୟା ହୃଷୀକେଶ ହୃଦି ସ୍ଥିତେନ,ଯଥା ନିଯୁକ୍ତୋଽସ୍ମି ତଥା କରୋମି ।।

ଅର୍ଥାତ୍ ହେ ହୃଷୀକେଶ! ଧର୍ମ କ’ଣ ? ମୁଁ (ଦୁର୍ଯ୍ୟୋଧନ) ଭଲଭାବେ ଜାଣେ, ତଥାପି ସେହି ମାର୍ଗରେ ମୋତେ ଯିବାକୁ ଭଲ ଲାଗେନାହିଁ ଏବଂ ଅଧର୍ମ କ’ଣ ? ଜାଣେ ତଥାପି ତାହାକୁ ତ୍ୟାଗ କରି ପାରୁନାହିଁ। କାରଣ ଏହା ମୁଁ କରୁନାହିଁ। ମୋ’ ଭିତରେ ଥିବା ଇନ୍ଦ୍ରିୟମାନଙ୍କ ସ୍ୱାମୀ ବା ଆପଣ, ଯେପରି କରାଉଛନ୍ତି, ମୁଁ ସେପରି କରୁଛି। ପ୍ରକୃତରେ ଏହା ଥିଲା ମାନଗୋବିନ୍ଦଙ୍କ ଅଜ୍ଞାନତାର ପରିଚୟ। ସେ ନିଜର ପାପ କର୍ମ ପାଇଁ ଭଗବାନଙ୍କୁ ଦାୟୀ କରିଥିଲେ।

ଏହା କେବଳ ଦୁର୍ଯ୍ୟୋଧନଙ୍କ କଥା ନୁହେଁ, ବରଂ ସଂସାରର ପ୍ରତିଟି ସାଧାରଣ ମଣିଷର ଅନ୍ତରର କଥା। ମଣିଷ ଅନେକ ସମୟରେ ଜାଣିଥାଏ ଯେ ସେ କରୁଥିବା କାର୍ଯ୍ୟଟି ଠିକ୍ ନୁହେଁ। ତଥାପି, ନିଜର ଅହଂକାର, କ୍ରୋଧ, ଲୋଭ ଓ ପୂର୍ବ ସଂସ୍କାର ଯୋଗୁଁ ସେ ସେହି ଅଧର୍ମ ମାର୍ଗରୁ ନିଜକୁ ଦୂରେଇ ପାରେନାହିଁ । ଏହାକୁ ହିଁ ମନସ୍ତତ୍ତ୍ୱ ବିଜ୍ଞାନରେ ‘ଇଚ୍ଛାଶକ୍ତିର ଦୁର୍ବଳତା’ କୁହାଯାଏ । ଅର୍ଥାତ୍ ଆମର ସମସ୍ତ ଇନ୍ଦ୍ରିୟ ଓ ମନର ନିୟନ୍ତ୍ରକ ହେଉଛନ୍ତି ସେହି ପରମାତ୍ମା ସ୍ବରୂପ ବିବେକ। ଯେତେବେଳେ ମଣିଷ ନିଜେ ଚେଷ୍ଟା ନକରି ନିଜକୁ ସୁଧାରି ପାରେନାହିଁ, ସେତେବେଳେ ସେ ସମସ୍ତ ଦାୟିତ୍ୱ ଈଶ୍ୱରଙ୍କ ଉପରେ ଛାଡ଼ିଦିଏ । ଏହା ଏକ ପକ୍ଷରେ ନିଜର ଦୋଷ ଲୁଚାଇବାର ଗୋଟିଏ ବାହାନା। ଉପରୋକ୍ତ ଶ୍ଲୋକଟି ଶିକ୍ଷା ଦିଏ ଯେ, କେବଳ ଜ୍ଞାନକୁ ଜାଣିବା ଯଥେଷ୍ଟ ନୁହେଁ, ସେହି ଜ୍ଞାନକୁ ଆଚରଣରେ ପରିଣତ କରିବା ପାଇଁ ଈଶ୍ୱରଙ୍କ କୃପା ଓ ଦୃଢ଼ ଇଚ୍ଛାଶକ୍ତିର ଆବଶ୍ୟକ ରହିଛି। ଏହି ମଣିଷର ଅନ୍ତରରେ ‘ଦେବ’ ଶକ୍ତି ବା ଯାହାକୁ ଆମେ ବିବେକ କହୁ ଓ ‘ଦାନବ’ ଶକ୍ତି ବା ଯାହାକୁ ଆମେ କୁମନ କହିଥାଉ। ଉକ୍ତ ଦୁଇଟି ଶକ୍ତି ହିଁ ମାନବକୁ ‘ଦେବ’ ଓ ‘ଦାନବ’ ରୂପେ ଗଢ଼ି ତୋଳିଥାଏ ।
ଖମ୍ବେଶ୍ୱରୀ ପାଟଣା
ଆସିକା, ଗଞ୍ଜାମ।
୯୮୬୧୩୩୪୮୬୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ