ଜିଲ୍ଲା ପ୍ରଶାସନର ପଦକ୍ଷେପ ବାହାର ରାଜ୍ୟ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ପଠାଗଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ବିଭିନ୍ନ କାମଧନ୍ଦା ଅନ୍ୱେଷଣରେ ଗଜପତି ଜିଲ୍ଲାକୁ ଆସି ଶ୍ରମିକ ଭାବେ ଖଟୁଥିବା ୨ଶହ ଜଣ ଶ୍ରମିକଙ୍କୁ ସେମାନଙ୍କ ନିଜ ନିଜ ରାଜ୍ୟକୁ ଜିଲ୍ଲା ପ୍ରଶାସନ ବସ୍ ବ୍ୟବସ୍ଥା ଦ୍ୱାରା ପଠାଇ ଦେଇଥିବା ସୁଚନା ମିଳିଛି । ସାରା ଭାରତରେ ଲକ୍‌ଡାଉନ୍ ମାର୍ଚ୍ଚ ୨୫ ତାରିଖ ଠାରୁ ଆରମ୍ଭ ହୋଇଥିଲା । ଏହା ପୂର୍ବରୁ ଗଜପତି ଜିଲ୍ଲାକୁ ଆସି ବିଭିନ୍ନ କାମରେ ବିଭିନ୍ନ ଶ୍ରମିକମାନେ ଲକ୍‌ଡାଉନ୍ ଯୋଗୁଁ ଫସି ରହିଥିଲେ । ସେମାନଙ୍କୁ ନିଜ ନିଜ ରାଜ୍ୟକୁ ପଠାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ୨୦୦ରୁ ଅଧିକା ବ୍ୟକ୍ତି ବିଭିନ୍ନ କାର୍ଯ୍ୟରେ ଆସି ଲକ୍‌ଡାଉନ୍ ଘୋଷଣା ପରେ ସେମାନଙ୍କ ରାଜ୍ୟକୁ ଫେରି ପାରିନଥିଲେ । ସେମାନଙ୍କ କାମଧନ୍ଦା ଏଠାରେ ବନ୍ଦ ହେବାପରେ ମୁଠାଏ ଖାଇବା ବି କଷ୍ଟକର ହୋଇପଡିଥିଲା । ଗଜପତି ପ୍ରଶାସନ ଏମାନଙ୍କୁ ୨ବେଳା ରନ୍ଧାଖାଦ୍ୟ ପ୍ରଦାନ କରୁଥିଲେ । ଏହି ଶ୍ରମିକ ମାନଙ୍କ ମଧ୍ୟରୁ ୩୨ଜଣ ମହିଳା ଏବଂ ୩୫ଜଣ ଶିଶୁ ରହିଛନ୍ତି । ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନ ଯଥା ଲୁହାଗୁଡି, ମୋହନା, ଅଡବା, ଅଲଡା, ଖାଣ୍ଡବା ଏବଂ ପାରଳାଖେମୁଣ୍ଡି ଠାରେ ଏମାନଙ୍କୁ ରଖାଯାଇଥିଲା । ପ୍ରଶାସନ ଦୀର୍ଘ ୫୦ଦିନରୁ ଉର୍ଦ୍ଧ ସେମାନଙ୍କ ଯତ୍ନ ନେଇ ଆସୁଥିଲା । ବର୍ତ୍ତମାନ ଏହି ଶ୍ରମିକମାନଙ୍କୁ ବସର ବନ୍ଦୋବସ୍ତ କରାଯାଇ ପଶ୍ଚିମବଙ୍ଗକୁ ୧୪ଜଣ, ଛତିଶଗଡ ୧୧ଜଣ, ମଧ୍ୟପ୍ରଦେଶ ୨୭ଜଣ, ରାଜସ୍ଥାନ ୯ଜଣ ଏବଂ ଆନ୍ଧ୍ରପ୍ରଦେଶକୁ ୮ଜଣଙ୍କୁ ପଠାଯାଇଛି । ସେହିପରି ଟ୍ରେନ ଯୋଗେ ୯ଜଣଙ୍କୁ କର୍ଣ୍ଣାଟକ ପଠାଇବା ବ୍ୟବସ୍ଥା ହୋଇଛି । ଏମାନେ ସମସ୍ତେ ଜିଲ୍ଲା ଛାଡିବା ପୂର୍ବରୁ ସମସ୍ତ ସୂଚନା ପ୍ରଶାସନକୁ ଦେଇଥିବା ଜଣାପଡିଛି । ଆଜି ସୁଦ୍ଧା ୧୦୦ଜଣ ଶ୍ରମିକ ସେମାନଙ୍କ ନିଜ ନିଜ ରାଜ୍ୟକୁ ଫେରି ଯାଇଥିବା ବେଳେ ବର୍ତ୍ତମାନ ଏଠାରେ ଥିବା ୧୦୦ ଜଣ ଶ୍ରମିକଙ୍କୁ ଯଥାଶୀଘ୍ର ପଠାଇବାକୁ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଉଥିବା ଜଣାପଡିଛି । ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କ ନିର୍ଦ୍ଦେଶକ୍ରମେ ଏହି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ