ଜିଲ୍ଲା ଶିକ୍ଷା ବିଭାଗ ସମୀକ୍ଷା ବୈଠକ,ଅପରାଗ କର୍ମଚାରୀଙ୍କୁ ବିଦାକରା ହେବ-ଜିଲ୍ଲାପାଳ
ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍ ): ଶିକ୍ଷା ପରି ଏକ ସମ୍ବେଦନଶୀଳ ବିଷୟ ଉପରେ କୋହଳନୀତି ଅବଲମ୍ବନ କରାଯିବ ନାହିଁ , ସମସ୍ତ କର୍ମଚାରୀ ଦକ୍ଷତାର ସହିତ କାର୍ଯ୍ୟ କରିବେ । ଅପରାଗ କର୍ମଚାରୀଙ୍କୁ ଅନ୍ୟତ୍ର ପଠାଇ ଦିଆଯିବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରକାଶ କରିଛନ୍ତି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିକ୍ଷା ବିଭାଗ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି କ୍ଷେତ୍ର କର୍ମଚାରୀ ମାନଙ୍କୁ ଅଧିକ କ୍ରିୟାଶୀଳ ହେବାପାଇଁ ଜିଲ୍ଲପାଳ ଶ୍ରୀ କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ନିରାପତ୍ତା ପ୍ରତି ଅଧିକ ଗୁରୁତ୍ୱ ଦିଆଯିବ । ଶୁଦ୍ଧ ପାନୀୟଜଳ , ଛାତ୍ର ଓ ଛାତ୍ରୀମାନଙ୍କ ପାଇଁ ଅଲଗା ଶୈାଚାଳୟ ଏବଂ ବିଦ୍ୟୁୁତ୍ ସଂଯୋଗ ପ୍ରତି ଅଧିକ ଧ୍ୟାନ ଦିଆଯିବ । ସିଆରସି ମାନଙ୍କୁ ୧୫ଗୋଟି ବିଦ୍ୟାଳୟର ଦାୟିତ୍ୱ ଦିଆଯାଇଥିବାରୁ ସେମାନେ ନୀୟମିତ ଏହାକୁ ପରିଦର୍ଶନ କରିବେ ଓ ପରିଦର୍ଶନ ପୁସ୍ତିକାରେ ଦସ୍ତଖତ କରିବେ । ସେମାନଙ୍କ ତଥ୍ୟ ବ୍ଲକ ଶିକ୍ଷାଅଧିକାରୀଙ୍କ ନିକଟରେ ଅବିଳମ୍ବେ ପହଞ୍ଚିବ । ବ୍ଲକ ଶିକ୍ଷାଅଧିକାରୀ ସଂପୃକ୍ତ ବିଦ୍ୟାଳୟ ପାଇଁ ଉତ୍ତରଦାୟୀ ରହିବେ । ବିଦ୍ୟାଳୟ ପରିଚାଳନା କମିଟିର ଅବଧି ୩ବର୍ଷ ହେଉଥିବାରୁ , ଅବଧି ଶେଷ ପୂର୍ବରୁ ନୂତନ ପରିଚାଳନା କମିଟି ଗଠନ ହେବ ଏବଂ ଶେଷ ଦିବସରେ ଦାୟିତ୍ୱ ହସ୍ତାନ୍ତର ହେବ । ବିଦ୍ୟାଳୟ ଭିତ୍ତିଭୂମି ବାବଦ ଅସୁବିଧା ତୁରନ୍ତ ଜିଲ୍ଲାପାଳ କିମ୍ବା ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାକୁ ଅବଗତ କରିବା ପାଇଁ କୁହାଯାଇଛି । ମୋ ସ୍କୁଲ ଯୋଜନାରେ ସ୍ଥାନୀୟ ଲୋକେ ପ୍ରଦାନ କରିଥିବା ଅର୍ଥ ସେମାନଙ୍କର ସହମତିରେ ବିଦ୍ୟାଳୟ ପାଇଁ ଖର୍ଚ୍ଚ ହେବ । ବିଦ୍ୟାଳୟ ଉପସ୍ଥାନ ୧୦ଜଣ ତଳକୁ ଆସିଲେ ତାହା ବନ୍ଦ କରାଯିବ । ଗଂଜାମରେ ୪୭ଗୋଟି ଏପରି ଚିହ୍ନଟ ହୋଇଥିବାରୁ ତାହାକୁ ତୁରନ୍ତ ବନ୍ଦ କରି ରାଜ୍ୟସ୍ତରକୁ ଜଣାଇବା ପାଇଁ ଜିଲ୍ଲାପାଳ କହିଛନ୍ତି । ପ୍ରତ୍ୟେକ ବିଦ୍ୟାଳୟରେ ପ୍ରାଥମିକ ଚିକିତ୍ସା ବାବଦ ତାଲିମ ସ୍ଥାନୀୟ ଡାକ୍ତରଖାନାର ଡାକ୍ତରମାନେ ସଂପୃକ୍ତ ଶିକ୍ଷକ ମାନଙ୍କୁ ପ୍ରଦାନ କରିବେ । ବୈଖରେ ଜିଲ୍ଲା ଶିକ୍ଷାଅଧିକାରୀ ଡଃ.ସନାତନ ପଣ୍ଡା, ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ବିନୀତା ସେନାପତି ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।


