ଜିଲ୍ଲା ସଡକ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ

ଆସନ୍ତା ଜାନୁଆରୀ ୧୮ ତାରିଖରୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯିବ ଜାତୀୟ ସଡକ ସୁରକ୍ଷା ମାସ
ବାଲେଶ୍ୱର,(ଓ୍ବାଇଏନ୍ଏସ୍):  ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲ୍ଲା ସଡକ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ କେ ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଡକ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ଦୁଲାଳ ସେନ ଜଗଦ୍ଦେବ, ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ରଶ୍ମୀରଞ୍ଜିତ ଦଳବେହେରାଙ୍କ ସମେତ ଜାତୀୟ ରାଜପଥ କର୍ତୃପକ୍ଷ ଅଧିକାରୀ, ଜିଲ୍ଲା ସଡକ ସୁରକ୍ଷା ସମିତିର ସଦସ୍ୟ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ବିଭିନ୍ନ ପରିବହନ ସଙ୍ଗଠନର କର୍ମକର୍ତାମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ଗତ ଡିସେମ୍ବର ୮ତାରିଖ ଦିନ ଅନୁଷ୍ଠିତ ସଡକ ସୁରକ୍ଷା ବୈଠକରେ ନିଆଯାଇଥିବା ବିଭିନ୍ନ ନିଷ୍ପତିକୁ କିଭଳି କାର୍ଯ୍ୟକାରୀ କରାଯାଇଛି ସେ ବାବଦରେ ବୈଠକରେ ସମୀକ୍ଷା କରାଯାଇଥିଲା । ମୁଖ୍ୟତଃ ସଡକ ଦୁର୍ଘଟଣାଜନିତ ମୃତ୍ୟୁକୁ କିଭଳିି ହ୍ରାସ କରାଯାଇପାରିବ ତାହା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ନିଶାସକ୍ତ ଅବସ୍ଥାରେ ଗାଡି ଚାଳନା, ଗାଡି ଚଲାଇବା ବେଳେ ମୋବାଇଲ ଫୋନର ବ୍ୟବହାର, ଦ୍ରୁତଗତି ଓ ବିନା ହେଲମେଟରେ ଗାଡି ଚାଳନା ଇତ୍ୟାଦି ପାଇଁ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଥିବା ନେଇ ଆଂଚଳିକ ପରିବହନ ଅଧିକାରୀ ବୈଠକରେ ସୂଚନା ଦେଇଥିଲେ । ସୁପ୍ରିମ କୋର୍ଟ କମିଟି ଦ୍ୱାରା ସଡକ ସୁରକ୍ଷା ପାଇଁ ଦିଆଯାଇଥିବା ନିର୍ଦ୍ଦେଶନାମାର କଡାକଡି ଅନୁପାଳନ, ଦୁର୍ଘଟଣା ବାବଦରେ ଠିକ ସମୟରେ ମିଳିତ ତଦନ୍ତ ରିପୋର୍ଟ ପ୍ରଦାନ ଇତ୍ୟାଦି ଉପରେ ବୈଠକରେ ଆଲୋଚନା ହୋଇଥିଲା । ସହର ମଧ୍ୟରେ ନୋ ପାର୍କିଂ ଜୋନ୍‌, ନୋ ଭେଣ୍ଡିଂ ଜୋନ୍ ସ୍ଥାପନ କରିବାକୁ ନିଷ୍ପତି ନିଆଯାଇଥିଲା । ଜାତୀୟ ରାଜପଥରେ ଥିବା ଡାଇଭର୍ସନ ସ୍ଥାନରେ ଉପଯୁକ୍ତ ଢଙ୍ଗରେ ଦୃଶ୍ୟମାନ ହେଲା ଭଳି ସାଇନେଜ ଲଗାଇବା, ୧୦ କିଲୋମିଟର ବ୍ୟବଧାନରେ ସ୍ପିଡ ଲିମିଟ ବୋର୍ଡ ସ୍ଥାପନ କରିବା, ଅନ୍ୟାନ୍ୟ ଜରୁରୀ ସୂଚନା ପାଇଁ ସାଇନେଜ ଲଗାଇବାକୁ ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ କୁହାଯାଇଥିଲା । ସଡକ ସୁରକ୍ଷାକୁ ନେଇ ଜାତୀୟ ରାଜପଥ କର୍ତୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀଙ୍କ ସମେତ ଗୃହର ଅନ୍ୟାନ୍ୟ ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ସନ୍ତୋଷପୁର ଟୋଲ ଗେଟ୍ ଭାଙ୍ଗିବା କାମ ଫେବୃୟାରୀ ମାସରୁ ଆରମ୍ଭ କରିବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜାତୀୟ ରାଜପଥରେ ନିୟମିତ ଭାବେ ମିଳିତ ପାଟ୍ରୋଲିଂ କରିବାକୁ ଅଧିକାରୀଙ୍କୁ କୁହାଯାଇଥିଲା । ସହର ମଧ୍ୟରେ ସିସିଟିଭି ସର୍ଭେଲାନ୍ସ ମାଧ୍ୟମରେ ସଡକ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ରାସ୍ତାରେ ଗାଈ, ଗୋରୁଙ୍କୁ ଉଠାଇ ଗୋଶାଳାରେ ଛାଡିବାକୁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଦୁର୍ଘଟଣା ପୀଡିତଙ୍କୁ ହସ୍‌ପିଟାଲକୁ ଆଣିଥିବା ବ୍ୟକ୍ତିଙ୍କୁ ପରିବହନ ବିଭାଗ ପକ୍ଷରୁ ଆର୍ଥିକ ପ୍ରୋତ୍ସାହନ ଦିଆଯିବା ନିମନ୍ତେ ଯେଉଁ ପ୍ରାବଧାନ ରହିଛି ସେଥି ଲାଗି ସଚେତନତା ସୃଷ୍ଟି କରିବା ଏବଂ ଗୁଡ୍ ସାମାରିଟାନ ବ୍ୟବସ୍ଥାକୁ ସୁଦୃଢ କରିବା ଉପରେ ଜୋର ଦିଆଯାଇଥିଲା । ଗୁଡ୍ ସାମାରିଟାନଙ୍କ ସମ୍ପର୍କରେ ତଥ୍ୟ ଦେବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ କୁହାଯାଇଥିଲା । ସେହିପରି ଆସନ୍ତା ଜାନୁଆରୀ ୧୮ତାରିଖରୁ ଜିଲ୍ଲାରେ ଜାତୀୟ ସଡକ ସୁରକ୍ଷା ମାସ ପାଳନ କରାଯିବା ସମ୍ପର୍କରେ ଆଂଚଳିକ ପରିବହନ ଅଧିକାରୀ ସୂଚନା ଦେଇଥିଲେ । ଏକ ମାସ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଡକ ସୁରକ୍ଷା ସମ୍ପର୍କରେ ସଚେତନ କରାଯିବ । ତେବେ ଜାନୁଆରୀ ୧୮ ତାରିଖରୁ ୨୪ ତାରିଖ ମଧ୍ୟରେ ଜିଲ୍ଲାର ବିଭିନ୍ନ ଅଂଚଳରେ ସଡକ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜିତ ହେବ । ଜିଲ୍ଲାରେ ସଡକ ସୁରକ୍ଷା ସମ୍ବନ୍ଧିତ ସଚେତନତା ରଥ ବୁଲିବା ସହିତ ଦସ୍ତଖତ ଅଭିଯାନ, ଚକ୍ଷୁ ପରୀକ୍ଷା ଶିବିର, ୱାକାଥନ, ସଡକ ସୁରକ୍ଷା ସମ୍ପର୍କିତ କର୍ମଶାଳା, ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ସାଇକ୍ଲୋଥନ ଇତ୍ୟାଦିର ଆୟୋଜନ କରାଯିବ ଏବଂ ବିଭିନ୍ନ ସ୍ଥାନରେ ୱାଲ ପେଂଟିଂ ଅଙ୍କନ ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ । ତେବେ ସଡକ ସୁରକ୍ଷା ମାସ ପାଳନ ଅବସରରେ ଧରପଗଡକୁ ଆହୁରି ଜୋରଦାର କରିବା ସହିତ ଜୋରିମାନା ଆଦାୟ ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ନିର୍ଦ୍ଦେଶ ଦେଇଥିଲେ । ନାଲିବତୀ ଅତିକ୍ରମଣ, କ୍ଷୀପ୍ର ବେଗରେ ଗାଡି ଚଳାଇବା, ଓଭରଲୋଡିଂ, ମାଲବୁହା ଯାନରେ ଯାତ୍ରୀ ନେବା ଆଣିବା, ଗାଡି ଚଳାଇବା ବେଳେ ମୋବାଇଲ ଫୋନ ବ୍ୟବହାର କରିବା ଏବଂ ମଦ୍ୟପାନ, ନିଶା ସେବନ କରି ଗାଡି ଚଳାଇବା ଇତ୍ୟାଦି ପାଇଁ କୌଣସି କୋହଳ ମନୋଭାବ ପୋଷଣ ନ କରି ଜରିମାନା ଆଦାୟ ପାଇଁ କୁହାଯାଇଛି । ଏଣିକି ନିୟମିତ ବ୍ୟବଧାନରେ ସଡକ ସୁରକ୍ଷା ସମିତିର ବୈଠକ ଆହୂତ କରାଯାଇ ସଡକ ସୁରକ୍ଷା ବାବଦରେ ସମୀକ୍ଷା କରାଯିବା ସହିତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ବୈଠକରେ ମତ ପ୍ରକାଶ ପାଇଥିଲା । ଆର.ଟି.ଓ. ଶ୍ରୀ ରଶ୍ମୀରଞ୍ଜିତ ଦଳବେହେରା ଗୃହରେ ସଡକ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସୂଚନା ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ