ଜି.ପି.ଏଲ.ଏଫ ମାଧ୍ୟମରେ ବିନିଯୋଗ ହୋଇଛି ୧୨ କୋଟି: ହେଲେ ଏସବୁ ଅର୍ଥର ଅଡିଟ୍ ହେଉନି
ବନ୍ତ,(ଚାନ୍ଦିନୀ ମହାନ୍ତି) : ଓଡିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଅଧିନରେ ଓଡିଶା ଜୀବିକା ମିଶନର ମହିଳା ମାନଙ୍କୁ ସୁସଂଗଠିତ କରି ସେମାନଙ୍କୁ ସମାଜର ମୁଖ୍ୟସୋତ୍ରରେ ସାମିଲ କରାଇବା ସହିତ ଆର୍ଥିକ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଭଦ୍ରକ ଜିଲାର ବନ୍ତ ବ୍ଲକକୁ ଗତ ୨୦୧୭ ମସିହାରେ ଓଡିଶା ଜୀବିକା ମିଶନ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା । ଗତ ୨୦୧୭ ମସିହାରେ ବ୍ଲକର ୭ ଓ ୨୦୧୮ ମସିହାରେ ୬ଟି ପଞ୍ଚାୟତକୁ ଇଣ୍ଟେନସିଭ ଗ୍ରାମ ପଞ୍ଚାୟତରେ ଭାବେ ନିଆଯାଇଥିଲା । ଏହି ୧୩ଟି ଇଣ୍ଟେନସିଭ୍ ଗ୍ରାମ ପଞ୍ଚାୟତର ଜି.ପି.ଏଲ୍.ଏଫକୁ ଗତ ୨୦୧୯-୨୦ ଆର୍ଥିକ ବଷର୍ର ଶେଷ ସୁଦ୍ଧା ୧୨ କୋଟିରୁ ଅଧିକ ଟଙ୍କା ଦିଆଯାଇଥିଲା । ଉକ୍ତ ଟଙ୍କାରେ ସଂପୃକ୍ତ ଜି.ପି.ଏଲ୍.ଏଫ ଅଧିନସ୍ଥ ଏସ.ଏଚ୍.ଜି ମାନଙ୍କର ତାଲିମ ରୋଜଗାର କାର୍ଯ୍ୟକ୍ରମ ସାମଗ୍ରୀ କ୍ରୟ କରାଯିବା ସହିତ ଜୀବିକା ମିଶନର ତୃଣମୂଳ ସ୍ତରୀୟ କର୍ମଚାରୀ ମାନଙ୍କ ପାରିଶ୍ରମିକ ବାବଦରେ ବ୍ୟୟ କରାଯାଉଛି । ଜି.ପି.ଏଲ୍.ଏଫ ଓ ଜୀବିକା ମିଶନ ମାଧ୍ୟମରେ କୋଟି କୋଟି ଟଙ୍କା ବିନିଯୋଗ ହେଉଥିଲେ ମଧ୍ୟ ଉକ୍ତ ଟଙ୍କାର ଅଡିଟ୍ କରାଯାଉନାହିଁ । ଯାହାକି ଉକ୍ତ ଅର୍ଥର ସୁବିନିଯୋଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅପରପକ୍ଷେ ସମସ୍ତ ସରକାରୀ ବିଭାଗର ଅଡିଟ୍ ବ୍ୟବସ୍ଥା ଥିବା ବେଳେ ଓଡିଶା ଜୀବିକା ମିଶନ ବିଭାଗର ବିଭିନ୍ନ ଇଣ୍ଟେନସିଭ୍ ଗ୍ରା.ପର ଜି.ପି.ଏଲ୍.ଏଫ ମାଧ୍ୟମରେ ଖର୍ଚ୍ଚ ହେଉଥିବା କୋଟି କୋଟି ଟଙ୍କାର ଅଡିଟ୍ ନହେବା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ତଦନ୍ତ ପୂର୍ବକ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।


