ଜୁନ ୩୦ ଯାଏ ବଢ଼ିଲା ସର୍ଦ୍ଦାର ପଟେଲ ଜାତୀୟ ଏକତା ପୁରସ୍କାର ପାଇଁ ମନୋନୟନ ପ୍ରସ୍ତାବ
ନୂଆଦିଲ୍ଲୀ : ସର୍ଦ୍ଦାର ପଟେଲ ଜାତୀୟ ଏକତା ପୁରସ୍କାର ପାଇଁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନଙ୍କ ନାମ ମନୋନୟନ କରିବା ନିମନ୍ତେ ଥିବା ସମୟସୀମାକୁ କେନ୍ଦ୍ର ସରକାର ଚଳିତ ମାସ ୩୦ ତାରିଖ ଯାଏ ବଢ଼ାଇ ଦେଇଛନ୍ତି । ଏଥିପାଇଁ ୨୦୧୯ ସେପ୍ଟେମ୍ବର ୨୦ରେ ସରକାର ବିଜ୍ଞପ୍ତି ପ୍ରକାଶ କରି ଉପଯୁକ୍ତ ଓ ଯୋଗ୍ୟ ନାମ ପ୍ରସ୍ତାବ କରିବାକୁ ଆହ୍ୱାନ କରିଥିଲେ । ଏହି ଆବେଦନ ସଂକ୍ରାନ୍ତ ସବିଶେଷ ତଥ୍ୟ ww.nationalunityawards.mha.gov.inରେ ଉପଲବ୍ଧ । ଏହି ପୋର୍ଟାଲରେ ଚଳିତ ବର୍ଷ ଜୁନ ୩୦ ତାରିଖ ପର୍ୟ୍ୟନ୍ତ ଅନଲାଇନରେ ଏହି ପୁରସ୍କାର ପାଇଁ ବ୍ୟକ୍ତିବିଶେଷଙ୍କ ନାମ ସୁପାରିଶ କରାଯାଇପାରିବ । ଭାରତ ସରକାର ଦେଶର ପ୍ରଥମ ସ୍ୱରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ନାମରେ ଏହି ଜାତୀୟ ପୁରସ୍କାର ପ୍ରଦାନ ବ୍ୟବସ୍ଥା କରିଛନ୍ତି । ଦେଶର ଏକତା ଓ ସଂହତି ରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଓ ପ୍ରେରଣାଦାୟୀ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କ ନାମ ଏଥିପାଇଁ ସୁପାରିଶ କରିବାର ବ୍ୟବସ୍ଥା କରାଯାଇଛି । ବ୍ୟକ୍ତି ବିଶେଷଙ୍କ ବ୍ୟତୀତ ସଂଗଠନ ଓ ପ୍ରତିଷ୍ଠାନ ଯଦି ଏ କ୍ଷେତ୍ରରେ ସେପରି କିଛି ମହତ୍ୱପୂର୍ଣ୍ଣ କାର୍ୟ୍ୟ କରିଥାନ୍ତି ସେ ସବୁଙ୍କ ନାମ ମଧ୍ୟ ସୁପାରିଶ କରାଯାଇପାରିବ ।


