ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ଫଳ

ଭୁବନେଶ୍ୱର: ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ବୋର୍ଡ କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀରଞ୍ଜନ ଦାସ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବାତ୍ୟା ଅମ୍ପନ ପାଇଁ ପରୀକ୍ଷା ଖାତା ମୂଲ୍ୟାୟନ ଘୁଞ୍ଚିଛି । ଆଜି କିମ୍ବା କାଲି ସନ୍ଧ୍ୟା ସୁଦ୍ଧା ମୂଲ୍ୟାୟନ ପାଇଁ ତାରିଖ ଘୋଷଣା କରାଯିବ। ମୂଲ୍ୟାୟନ ଓ ଫଳ ପ୍ରକାଶ ପାଇଁ ଆମେ ସମସ୍ତ ଚେଷ୍ଟା ଜାରି ରଖିଛୁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀରଞ୍ଜନ ଦାସ ସୂଚନା ଦେଇଛନ୍ତି । ମେ’ ୨୦ ବଦଳରେ ୨୧ ତାରିଖଠାରୁ ଖାତା ମୂଲ୍ୟାୟନ ଆରମ୍ଭ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୋମବାର କହିଥିଲେ। ତେବେ ୨୪ ଘଣ୍ଟା ନ ପୂରୁଣୁ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି। ମହାବାତ୍ୟା ‘ଅମ୍ଫାନ୍’କୁ ଦୃଷ୍ଟିରେ ରଖି ଆସନ୍ତା ୨୧ତାରିଖରୁ ଆରମ୍ଭ ହେବାକୁ ଥିବା ମୂଲ୍ୟାୟନକୁ ସ୍ଥଗିତ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ।
ଅନ୍ୟପକ୍ଷରେ ଖାତା ମୂଲ୍ୟାୟନ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ‌ପ୍ରୋସିଡିଓର୍‌(ଏସ୍‌ଓପି) ଜାରି କରାଯାଇଛି। ଖାତା ଦେଖା ପାଇଁ ମୋଟ ୬୦ଟି ମୂଲ୍ୟାୟନ କେନ୍ଦ୍ର ହୋଇଛି। ମାଟ୍ରିକ୍‌ ୫୦ଟି କେନ୍ଦ୍ର ହୋଇଥିବା ବେଳେ ଏସ୍‌ଓଏସ୍‌ସି ପାଇଁ ୪ଟି, ମଧ୍ୟମା ଖାତା ମୂଲ୍ୟାୟନ ପାଇଁ ୪ ଓ ସ୍କ୍ରିପ୍ଟ ପାଇଁ ୨ଟି କେନ୍ଦ୍ର ହୋଇଛି। ଦୁଇଟି ପର୍ୟ୍ୟାୟରେ ୯ଟି ବିଷୟରେ ଖାତା ମୂଲ୍ୟାୟନ କରାଯିବ। ପ୍ରଥମ ପର୍ୟ୍ୟାୟରେ ୪ଟି ଓ ଦ୍ବିତୀୟ ପର୍ୟ୍ୟାୟରେ ୫ଟି ବିଷୟର ଖାତା ଦେଖା ହେବ। ପ୍ରତି ପର୍ୟ୍ୟାୟରେ ଗୋଟିଏ ମୂଲ୍ୟାୟନ କେନ୍ଦ୍ରକୁ ଅତି ବେଶିରେ ୧୫୦ରୁ ୨୦୦ ମୂଲ୍ୟାୟନକାରୀ ଖାତା ଦେଖିବାକୁ ଆସିବେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌କୁ ଆଧାରରେ ସାମାଜିକ ଦୂରତ୍ବ ରଖାଯିବ। ପ୍ରତି ପର୍ଯ୍ୟାୟର ଖାତାଦେଖା ୨୫ରୁ ୩୦ଦିନ ମଧ୍ୟରେ ସରିବ। ପ୍ରଥମ ପର୍ୟ୍ୟାୟରେ ଇଂରାଜୀ, ଗଣିତ, ଭୂଗୋଳ, ଇତିହାସ ବିଷୟ ଓ ଦ୍ବିତୀୟ ପର୍ୟ୍ୟାୟରେ ଓଡ଼ିଆ, ଫିଜିକାଲ ସାଇନ୍ସ, ହିନ୍ଦୀ, ସଂସ୍କୃତ ଓ ଲାଇଫ୍‌ ସାଇନ୍ସ ବିଷୟର ଖାତା ମୂଲ୍ୟାୟନ ହେବ।
ମୂଲ୍ୟାୟନ କେନ୍ଦ୍ରଠାରୁ ମୂଲ୍ୟାୟନକାରୀଙ୍କ ବାସଭବନ ଦୂରତା ୧୦ କିମି ହୋଇଥିବ। ଏନେଇ ମୂଲ୍ୟାୟନକାରୀ କ୍ୟାମ୍ପ ଅଫିସରଙ୍କୁ ଏକ ଅଣ୍ଡରଟେକିଂ ଦେବେ ଏବଂ ମୂଲ୍ୟାୟନ କାର୍ୟ୍ୟ ପାଇଁ କୌଣସି ପ୍ରକାର ଆକୋମୋଡେସନ(ବାସ ସୁବିଧା) ଫି’ ଦାବି କରିପାରିବେ ନାହିଁ। ମୂଲ୍ୟାୟନକାରୀ ପ୍ରଥମ ଦିନ ନାମ ପଞ୍ଜୀକରଣ ସମୟରେ ସମ୍ପୂର୍ଣ୍ଣ ଠିକଣା, ଯୋଗାବଯୋଗ ନମ୍ବର ଆଦି ଦେବେ। ସମସ୍ତ ମୂଲ୍ୟାୟନକାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ପ୍ରତିଦିନ ମୂଲ୍ୟାୟନ କେନ୍ଦ୍ରକୁ ପ୍ରବେଶ ପୂର୍ବରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଥର୍ମାଲ ସ୍କିନିଂ ହେବ। ହାତ ଧୋଇବା ପାଇଁ ସାବୁନ ଓ ପାଣିର ବ୍ୟବସ୍ଥା, ମୂଲ୍ୟାୟନ କେନ୍ଦ୍ର ପ୍ରବେଶ ପଥରେ ସାନିଟାଇଜର ରଖିବା ନିହାତି ଆବଶ୍ୟକ। ପ୍ରତିଦିନ ସକାଳ ୯ଟାରୁ ଅପରାହ୍ନ ୩ଟା ମଧ୍ୟରେ ଖାତା ଦେଖା ହେବ। ରବିବାର ଓ ଛୁଟି ଦିନରେ ବି ମୂଲ୍ୟାୟନ କରାଯିବ। ଅପରାହ୍ନ ୩ଟା ପରେ ମୂଲ୍ୟାୟନକାରୀ କେନ୍ଦ୍ର ଛାଡ଼ିବେ। ମୂଲ୍ୟାୟନ କେନ୍ଦ୍ରର ପ୍ରତି ରୁମ୍‌ରେ ଫ୍ୟାନ୍‌ ନ ହେଲେ କୁଲର ବ୍ୟବସ୍ଥା କରିବା, ଗୋଟିଏ ଆଇସୋଲେସନ୍‌ ରୁମ୍‌ ଖୋଲିବାକୁ କୁହାଯାଇଛି। ଯଦି କୌଣସି ମୂଲ୍ୟାୟନକାରୀ ଅସୁସ୍ଥ ଅନୁଭବ କରନ୍ତି, ତେବେ ତାଙ୍କୁ କାର୍ଯ୍ୟରୁ ମୁକ୍ତ କରାଯାଇପାରିବ। ପ୍ରତିଦିନ ମୂଲ୍ୟାୟନ ସରିବା ପରେ ମୂଲ୍ୟାୟନକାରୀ ଉତ୍ତର ଖାତାଗୁଡ଼ିକ ଦାଖଲ କରି ଯିବେ, ଫଳରେ ସେହିଦିନ ହିଁ ମାର୍କ ଚଢ଼ାଯାଇ ପାରିବ। ଜିଲ୍ଲାପାଳମାନେ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରିବେ। ଜିଲ୍ଲା ଶିକ୍ଷା ଅଧିକାରୀମାନେ ସମସ୍ତ ମୂଲ୍ୟାୟନ ପ୍ରକ୍ରିୟାର ତଦାରଖ କରିବେ। ମୂଲ୍ୟାୟନ ସରିବା ପରେ କେନ୍ଦ୍ରର ବିଶୋଧନ କରିବା ବାଧ୍ୟତାମୂଳକ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ