ଜୟଲଳିଥାଙ୍କ ବାୟୋପିକ ପାଇଁ ବହୁ କଷ୍ଟ କରୁଛନ୍ତି କଙ୍ଗନା
ମୁମ୍ବାଇ: ବଲିଉଡ୍ କୁଇନ କଙ୍ଗନା ରନାୱତ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିଥାଙ୍କ ଜୀବନି ଉପରେ ଆଧାରିତ ହୋଇଥିବା ବାୟୋପିକ “ଥଲାଭି’ରେ ନଜର ଆସିବେ । ଜୟଲଳିଥାଙ୍କ ଭଳି ଦେଖାଯିବା ଓ ତାଙ୍କ ଚରିତ୍ରକୁ ଆପଣାଇବାକୁ ସେ ବହୁ ପରିଶ୍ରମ କରୁଛନ୍ତି । ଏଥିପାଇଁ ସେ ହଲିଉଡର ଏକ୍ସପର୍ଟ ଜେସନ କୋଲିନ୍ସଙ୍କ ସହ ବିଭିନ୍ନ ପ୍ରକାରର ଲୁକ୍ ଟେଷ୍ଟ ଦେଉଥିବା ଦେଖିବାକୁ ମିଳିଛି । ଏନେଇ କଙ୍ଗନା ନିଜ ଇନ୍ଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିଛନ୍ତି । ଏହି ଫଟୋକୁ ଦେଖିଲେ କଙ୍ଗନାଙ୍କୁ ଜମା ଚିହ୍ନି ହେଉନି । ଜୟଲଳିଥାଙ୍କ ଭଳି ଦେଖାଯିବା ପାଇଁ କଙ୍ଗନା ପ୍ରୋସ୍ଥେଟିକ୍ ମେକ୍ଅପର ସାହାଯ୍ୟ ନେବେ । ଆଉ ଏଥିପାଇଁ ସେ ଲୁକ୍ ଟେଷ୍ଟ ଦେବାକୁ ଦୁଇ ଦିନ ପୂର୍ବରୁ ଲସ ଏଞ୍ଜେଲେସ୍ ଯାଇଥିବା ଜଣାପଡ଼ିଛି । ଏ.ଏଲ୍. ବିଜୟଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ତାମିଲ, ତେଲୁଗୁ ଓ ହିନ୍ଦୀରେ ରିଲିଜ କରାଯିବ । ତାମିଲରେ “ଥଲାଭି’ ଓ ହିନ୍ଦୀରେ “ଜୟା’ ନାମରେ ଏହି ଫିଲ୍ମକୁ ରିଲିଜ୍ କରାଯିବ ବୋଲି ଜଣାପଡ଼ିଛି ।


