ଝିଅମାନେ ପିଲାଦିନେ ସକ୍ରିୟ ରହିଲେ ଯୁବାବସ୍ଥାରେ ଫୁସଫୁସ ସୁସ୍ଥ ରହେ
ପିଲାବେଳେ ଝିଅମାନେ ସକ୍ରିୟ ରହିଲେ ଯୁବାବସ୍ଥାରେ ପୁଅମାନଙ୍କ ତୁଳନାରେ ସେମାନଙ୍କ ଫୁସଫୁସ ସୁସ୍ଥ ରହେ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି । ଏ ସମ୍ବନ୍ଧିତ ତଥ୍ୟ ଦି ଇଣ୍ଟରନ୍ୟାଶନାଲ ଜର୍ନାଲ ଅଫ୍ ଏପିଡେମିଓଲୋଜିରେ ପ୍ରକାଶ ପାଇଛି । ଗବେଷଣାରେ ସାମିଲ ଝିଅ ଓ ପୁଅମାନଙ୍କର ପିଲାଦିନରୁ ଯୁବାବସ୍ଥା ଯାଏ ଶାରୀରିକ ବ୍ୟାୟାମ ସହ ଫୁସ୍ଫୁସ୍ର କି ସମ୍ପର୍କ ରହିଛି ତାହା ଉପରେ ଅନୁଧ୍ୟାନ କରାଯାଇଥିଲା । ଗବେଷକମାନେ ଆକ୍ଟିଗ୍ରାଫ ସେନ୍ସର ମାଧ୍ୟମରେ ପିଲାମାନଙ୍କର ଶାରୀରିକ ଶ୍ରମକୁ ରେକର୍ଡ କରିଥିଲେ । ଏହା ୧୧, ୧୩ ଓ ୧୫ ବର୍ଷ ବୟସରେ ୭ ଦିନ ଲେଖାଏଁ ରେକର୍ଡ କରାଯାଇଥିଲା । ସେମାନଙ୍କ ଫୁସ୍ଫୁସ୍ର କାର୍ଯ୍ୟଧାରାକୁ ମଧ୍ୟ ସ୍ପୋରୋମେଟ୍ରି ମାଧ୍ୟମରେ ୮ ଓ ୧୫ ବର୍ଷ ବୟସରେ ଅନୁଧ୍ୟାନ କରିଥିଲେ ଗବେଷକମାନେ । ଏହାପରେ ଯେଉଁ ଝିଅମାନେ ପିଲାଦିନେ ମଧ୍ୟମ ଓ କଠିନ ଶ୍ରମ ମାଧ୍ୟମରେ ଅଧିକ ସକ୍ରିୟ ରହୁଥିଲେ ସେମାନଙ୍କ ଫୁସଫୁସର କ୍ଷମତା ଯୁବାବସ୍ଥାରେ ପୁଅମାନଙ୍କଠାରୁ ଭଲ ରହିଥିଲା ।


