ଟାଉନ ହାଇସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଟାଉନ ହାଇସ୍କୁଲର ଦୁଇଦିନିଆ ବାର୍ଷିକକ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁମତି ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ବାର୍ଷିକ କ୍ରୀଡ଼ାକୁ ଉଦଘାଟନ କରିଥିଲେ । ଛାତ୍ରଛାତ୍ରୀଙ୍କ ମାନସିକ, ଶାରୀରିକ ବିକାଶ ପାଇଁ କ୍ରୀଡ଼ାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ସେ ଆଲୋଚନା କରିଥିଲେ । କ୍ରୀଡ଼ା ବିନା ଶିକ୍ଷା ଅଧୁରା ବୋଲି ସେ ମତ ଦେଇଥିଲେ । ବାଲିଆପାଳ ଗୋଷ୍ଠୀ ଶିକ୍ଷାଧିକାରୀ ସୁଧାଂଶୁ ଶେଖର ଜେନା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିକ୍ଷାଗ୍ରହଣ ସାଙ୍ଗକୁ ଖେଳକୁଦ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ସ୍ଥାନୀୟ କାଉନସିଲର ପଦ୍ମଲୋଚନ ଲେଙ୍କା, ଏସଏମସି ସଭାପତି ପ୍ରଦୀପ କୁମାର ଖଣ୍ଟିଆ ଓ ଟାଉନ ହାଇସ୍କୁଲ ଆଲୁମିନି ସଭାପତି ସୁବ୍ରତ କର ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ଅକ୍ଷୟ କୁମାର ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ କଳ୍ପଲତା ରଥ ବିବରଣୀ ପାଠ କରିଥିଲେ । ଶିକ୍ଷକ ଦାମୋଦର ପଣ୍ଡା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କ୍ରୀଡ଼ା ଉତ୍ସବ ଉଦଘାଟନ ଦିବସରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ମଶାଲ ଯାତ୍ରା ଓ ମାର୍ଚ୍ଚପାଷ୍ଟ ଅନୁଷ୍ଠିତ ହୋଇଥିଲା । ୫୦ରୁ ଅଧିକ ବିଭାଗରେ ଆୟୋଜିତ କ୍ରୀଡ଼ା ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ବିଭିନ୍ନ ବିଦ୍ୟାଳୟର ଖେଳ ଶିକ୍ଷକ ଚିତ୍ତରଂଜନ ପାଶା, ବାବାଜୀ ଚରଣ ପାଢ଼ୀ, ଅମୂଲ୍ୟ କୁମାର ରାଉତ, ଗଗନ ଚରଣ ପାଢ଼ୀ, ଅପୂର୍ବ ରଂଜନ ଖୁଂଟିଆ, ଶେଖ ଅବଦୁଲ ହାକିମ, ଲିପିପୁଷ୍ପା ବେହେରାଙ୍କ ସମେତ ଟାଉନ ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ଏସଏମସି କର୍ମକର୍ତ୍ତା ତଥା ସଦସ୍ୟମାନେ ଏହି କ୍ରୀଡ଼ା ଉତ୍ସବକୁ ପରିଚାଳନା କରିଥିଲେ ।


