ଟାଟା ପାୱାର ସହ ମିଶି ଲୋକଙ୍କୁ ଲୁଟୁଛନ୍ତି ସରକାର : କଂଗ୍ରେସ
ଭୁବନେଶ୍ୱର, (ୱାଇଏନ୍ଏସ୍): ଟାଟା ପାୱାର କମ୍ପାନୀର ବହୁବିଧ ଶୋଷଣ ଓ ଦାଦାଗିରି ପଛରେ ସରକାରଙ୍କ ପ୍ରଚ୍ଛନ୍ନ ସଂପୃକ୍ତି ଓ ସମର୍ଥନ ରହିଛି ବୋଲି ଆଜି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି । କରୋନା କାଳରେ ଲକ୍ଡାଉନ ଯୋଗୁଁ ଲୋକେ ଘରେ ବନ୍ଦ ହୋଇରହିଥିବା ବେଳେ ସରକାର ଟାଟାପାୱାର କମ୍ପାନୀ ହାତକୁ ବିଦ୍ୟୁତ ସରବରାହ ଓ ବଂଟନ ବ୍ୟବସ୍ଥାକୁ ଟେକିଦେଲେ । ଗୋଟିଏ ଆର୍ଥିକ ବର୍ଷରେ ମାତ୍ର ଥରେ ବିଦ୍ୟୁତ ଶୁଳ୍କ ବୃଦ୍ଧି ପାଇପାରିବାର ବ୍ୟବସ୍ଥା ଥିବାବେଳେ କେବଳ ଟାଟାପାୱାରକୁ ହିଁ ଫାଇଦା ଦେବାକୁ ଦୁଇଦୁଇଥର କରି ୮୦ ପଇସା ବୃଦ୍ଧି କରିଦିଆଗଲା । ୫୧ ପ୍ରତିଶତ ଅଂଶଧନର ମାଲିକ ଟାଟାପାୱାର ଏବେ ନିଜକୁ ସର୍ବଶକ୍ତିମାନ ମନେକରୁଛି ଏବଂ ଗ୍ରାହକଙ୍କୁ ମନଇଛା ଶୋଷଣ କରୁଛି ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ଅମୀୟ ପାଣ୍ଡବ ଅଭିଯୋଗ କରିଛନ୍ତି ।
୨୭ଲକ୍ଷ ଗ୍ରାହକଙ୍କ ଠାରୁ ଏହି ଅସତ୍ ଉପାୟରେ କୋଟି କୋଟି ଟଙ୍କା ଲୁଟ କରାଯାଉଛି ବୋଲି ସେ ଏ ସଂକ୍ରାନ୍ତୀୟ ତଥ୍ୟ ପ୍ରମାଣ ମଧ୍ୟ ଉପସ୍ଥାପନ କରିଥିଲେ । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓ.ଇ.ଆର.ସି) ଏଥି ନେଇ ନୀରବଦ୍ରଷ୍ଟା ଓ ମୁକସାଖୀ ସାଜିବା ପଛରେ ଓଡ଼ିଶା ସରକାରଙ୍କର ବଡ଼ ବଡ଼ ଅଫିସର ଓ ରାଜନେତାଙ୍କ ସଂପୃକ୍ତି ସ୍ପଷ୍ଟ ପ୍ରମାଣିତ ହୋଇଛି ବୋଲି ସେ କହିଛନ୍ତି । ବିନା ସୂଚନାରେ ଘଂଟା ଘଂଟା ବିଦ୍ୟୁତ କାଟିବା, ଅଭିଯୋଗ ପ୍ରତି ଆଦୌ ଗୁରୁତ୍ୱ ନଦେବା ସହିତ ଉପଭୋକ୍ତା ମାନଙ୍କୁ କଥା କଥାରେ ଧମକ ଦେବା ମନଇଛା ବିଦ୍ୟୁତ ସଂଯୋଗ କାଟିଦେବା ଟାଟାପାୱାରର ଦାଦାଗିରିର ନମୂନା । ଅନଲାଇନରେ ପାଠପଢ଼ିବାକୁ ସରକାର କହୁଥିବା ବେଳେ ତାଙ୍କ ପିଲାମାନେ ବିନା ବିଦ୍ୟୁତରେ ଅନ୍ଧାରରେ ପାଠ ପଢ଼ିପାରୁ ନାହାଁନ୍ତି । ଅନ୍ୟତମ ପ୍ରବକ୍ତା ରଜନୀ କୁମାର ମହାନ୍ତି ବିଦ୍ୟୁତ ସରବରାହ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ କ୍ଷତିର ବିବରଣୀ ପ୍ରଦାନ କରିଥିଲେ । ଦିଲ୍ଳୀରେ ଏହି କ୍ଷତିର ପରିମାଣ ମାତ୍ର ୧୯.୨୫ ଥିବା ବେଳେ ଓଡ଼ିଶା କ୍ଷେତ୍ରରେ ଏହା ୨୮.୨୪% କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ । କେନ୍ଦ୍ରସରକାରଙ୍କ ଉଦୟ ଯୋଜନାରେ ଏହି କ୍ଷତିକୁ ୧୫% ଯାଏ ହ୍ରାସ କରିବାକୁ ନିର୍ଦ୍ଧାରିତ ହୋଇଥିଲା ବେଳେ ଓଡ଼ିଶା ସରକାରଙ୍କୁ ଏହି ଲକ୍ଷସ୍ଥଳରେ ପଂହଚିବାକୁ ଆଉ କେତେବର୍ଷ ଲାଗିବ ବୋଲି ସେ କହିଥିଲେ ଏବଂ ଏଥିଯୋଗୁଁ କେନ୍ଦ୍ରୀୟ ଆର୍ଥିକ ଅନୁଦାନ ଓ ପ୍ରୋତ୍ସାହନ ରାଶି ବାବଦରେ ରାଜ୍ୟ ଯେଉଁ ସହାୟତାରୁ ବଂଚିତ ହେବ ସେଥିପାଇଁ ରାଜ୍ୟ ସରକାର ଦାୟି ରହିବେ ବୋଲି ସେ ଚେତାବନୀ ଦେଇଥିଲେ ।


