ଟୁକୁଣା ଗ୍ରାମରେ ସଶସ୍ତ୍ର ଡକାୟତି
ହାଟଡ଼ିହି, (ବିକାଶ ବିଶ୍ୱାଳ ) : ନନ୍ଦିପଦା ଥାନା ଟୁକୁଣା ଗ୍ରାମରେ ଘଟିଛି ସଶସ୍ତ୍ର ଡକାୟତି। ୬ଜଣ ଡକାୟତ ଗୃହକର୍ତା ଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଲୁଟିନେଇଛନ୍ତି ୧୫ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା ରୁପାର ଗହଣା। ଘଟଣା ଟି ଘଟିଛି ମଙ୍ଗଳବାର ବିଳମ୍ବିତ ରାତିରେ। ଗ୍ରାମର ପବିତ୍ର ଦାସ ଜଣେ ସୁନା ଦୋକାନୀ ହୋଇଥିଲା ବେଳେ ତାଙ୍କର ଛେନାପଦି ଛକରେ ଏକ ଗହଣା ଦୋକାନ ଅଛି। ଗତକାଲି ସେ ଦୋକାନ ରୁ ଫେରି ଘରେ ଖାଇପିଇ ଶୋଇଥିଲା ବେଳେ ରାତି ଗୋଟାଏ ବେଳେ ଡକାୟତ ମାନେ ଝରକା ଗ୍ରୀଲ ତାଡି ଘର ଭିତରକୁ ପଶି ପବିତ୍ର ଓ ତାଙ୍କ ସ୍ତ୍ରୀ ଓ ପୁଅଙ୍କ ବେକରେ ବନ୍ଧୁକ ଓ ଭୁଜାଲି ଲଗାଇ ସେମାନେ ପିନ୍ଧିଥିବା ସୁନା ଚେନ, ହାର, ମୁଦି ଓ କାନଫୁଲ ସବୁ ଲୁଟ କରିବା ପରେ ତାଙ୍କ ପାଖରୁ ଆଇରନ ଚେଷ୍ଟର ଚାବି ନେଇ ଭିତରେ ଥିବା ୨୦୦ଗ୍ରାମର ସୁନା ଓ ୭କିଲୋରୁ ଉର୍ଦ୍ଧ୍ବ ରୁପା ଅଳଙ୍କାର ଆଦି ଲୁଟି ନେଇଥିଲେ। ସେମାନେ ଫ୍ରିଜ ଖୋଲି ସେଥିରେ ଥିବା ମିଠା ଖାଇବା ସହ ଚା କରି ପିଇବାକୁ ଦେବାକୁ ବାଧ୍ୟ କରିଥିଲେ। ଚା ନଦେବାରୁ ମାଡ଼ ମଧ୍ୟ ମାରିଥିଲେ। ସେମାନେ ତାଙ୍କୁ ମାସିକିଆ ବଟି ଦେବାକୁ ମଧ୍ୟ ଧମକ ଦେଇଥିଲେ। ପରେ ସେମାନେ ପବିତ୍ର ଓ ତାଙ୍କ ସ୍ତ୍ରୀ ଙ୍କ ନିକଟରୁ ମୋବାଇଲ ନେଇ ସିମ ଖୋଲି ଫିଙ୍ଗିଦେବା ସହ ଥାନାରେ ଅଭିଯୋଗ କଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ସେମାନେ ଗଲାବେଳେ ଘରୁ ଗୋଟିଏ ଏଲ. ଇ.ଡି ନେବା ସହିତ ବାହାରୁ କବାଟ ଦେଇ ଦୁଇଟି ବାଇକ ରେ ପଳାଇ ଥିଲେ। ସେମାନେ ଯିବାପରେ ପବିତ୍ର ଡାକଛାଡି ଗାଁ ଲୋକଙ୍କୁ ଡାକିବା ପରେ ଗାଁ ଲୋକେ ପହଂଚି କବାଟ ଖୋଲି ଉଦ୍ଧାର କରିବା ପରେ ଏନେଇ ପୁଲିସ କୁ ସୂଚନା ଦେଇଥିଲେ। ଖବର ପାଇ ଆନନ୍ଦପୁର ଏସ.ଡି.ପି.ଓ ପ୍ରଶାନ୍ତ କୁମାର ବେହେରା, ଆନନ୍ଦପୁର ଥାନା ଆଇ. ଆଇ. ସି ଲଷ୍ମୀକାନ୍ତ ପ୍ରଧାନ, ନନ୍ଦିପଦା ଥାନା ଏସ. ଆଇ ଲୋହିତରାଜ ନାୟକ, ଏସ. ଆଇ ନରୋତ୍ତମ ଦଳେଇ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ଡକାଇ ତଦନ୍ତ ଆରମ୍ଭ କରିଛନ୍ତି। ଗତ ଦେଢ଼ ବର୍ଷ ତଳେ ପଵିତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରି୧୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନାରୁପା ଲୁଟିଥିଲେ। ପବିତ୍ର ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ନିସଙ୍ଗପୁର ନିକଟରେ ତାଙ୍କ ପେଟକୁ ଛୁରୀ ଭୂଷି ଅନ୍ତ ବୁଜୁଳି ବାହାର କରିଦେଇ ତାଙ୍କ ସୁନାରୁପା ବ୍ୟାଗ କୁ ଛଡାଇ ନେଇଥିଲେ। ପୁଲିସ ଏହି ଘଟଣାରେ ଭଦ୍ରକ ଅଞ୍ଚଳରୁ ୩ଜଣଙ୍କୁ ଗିରଫ କରିଥିଲା। କିନ୍ତୁ ଲୁଟ ସାମଗ୍ରୀ ଉଦ୍ଧାର କରିପାରି ନଥିଲା।


