ଆବାସ ଯୋଜନା ତାଲିକାକୁ ନେଇ ସୋସିଆଲ ମିଡିଆରେ ଅପପ୍ରଚାରକୁ ନେଇ ଉତ୍ତେଜନା

ହାଟଡିହି (ଓ୍ବାଇଏନଏସ): ଆବାସ ଯୋଜନାର ହିତାଧିକାରୀ ତାଲିକାକୁ ନେଇ ସୋସିଆଲ ମିଡିଆରେ ଅପପ୍ରଚାର ଅଭିଯୋଗକୁ କେନ୍ଦ୍ର କରି ହାଟଡିହି ବ୍ଲକ ସମଣା ପଞ୍ଚାୟତରେ ଉତ୍ତେଜନା ସୃଷ୍ଟି ହୋଇଛି। ଜଣେ ଅବସରପ୍ରାପ୍ତ ଶିକ୍ଷକ ଓ ଗ୍ରାମର ମହିଳାମାନଙ୍କ ମଧ୍ୟରେ ବିବାଦ ଏବେ ଥାନାରେ ପହଞ୍ଚିଛି। ଉଭୟ ପକ୍ଷ ପରସ୍ପର ବିରୋଧରେ ଅଭିଯୋଗ କରିଥିବା ବେଳେ ନନ୍ଦିପଦା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ସମଣା ପଞ୍ଚାୟତ କୁଆଡ଼ ଗ୍ରାମର ଜଣେ ଅବସରପ୍ରାପ୍ତ ଶିକ୍ଷକ ଆବାସ ଯୋଜନାର ହିତାଧିକାରୀ ତାଲିକାକୁ ନେଇ ସୋସିଆଲ ମିଡିଆରେ ଅପପ୍ରଚାର କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗତ ଗୁରୁବାର ସେ ସମଣା ଗ୍ରାମକୁ ଯାଇଥିବା ସମୟରେ କିଛି ମହିଳା ତାଙ୍କୁ ଅଟକାଇ ଏପରି ଅପପ୍ରଚାର କରିବାର କାରଣ ପଚାରିଥିଲେ। ତେବେ ଶିକ୍ଷକ ଜଣକ ପ୍ରଥମେ ଏଭଳି କୌଣସି ପ୍ରଚାର କରିନଥିବା କହିଥିଲେ। ପରେ ଅଧିକ ସଂଖ୍ୟକ ମହିଳା ଏକାଠି ହୋଇ ତାଙ୍କ ମୋବାଇଲ ଫୋନ୍ ଯାଞ୍ଚ କରିବା ପରେ ଅପପ୍ରଚାର ସମ୍ପର୍କିତ ତଥ୍ୟ ମିଳିଥିବା ମହିଳାମାନେ ଦାବି କରିଥିଲେ। ଏହି ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ସମୟ ଧରି ଆଲୋଚନା ପରେ ଶିକ୍ଷକ ଜଣକ ଭବିଷ୍ୟତରେ ଏଭଳି ଭୁଲ୍ କରିବେ ନାହିଁ ବୋଲି ଲିଖିତ ରାଜିନାମା ଦେଇ ଘରକୁ ଫେରିଥିଲେ। ତେବେ ଘଟଣାର ପରଦିନ ଅର୍ଥାତ୍ ଶୁକ୍ରବାର ଅବସରପ୍ରାପ୍ତ ଶିକ୍ଷକ ଜଣକ ସରପଞ୍ଚଙ୍କ ବିରୋଧରେ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଶିକ୍ଷକଙ୍କ ଅଭିଯୋଗକୁ ମିଥ୍ୟା ଦର୍ଶାଇ ଗ୍ରାମର ଶତାଧିକ ମହିଳା ମଧ୍ୟ ଥାନାରେ ପହଞ୍ଚି ତାଙ୍କ ବିରୋଧରେ ଜାତିଆଣ ଆକ୍ଷେପ ଓ ଦୁର୍ବ୍ୟବହାର ନେଇ ପାଲଟା ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଓ ଉତ୍ତେଜନା ଦେଖାଦେଇଛି। ତେବେ ଉଭୟ ପକ୍ଷର ଅଭିଯୋଗ ଗ୍ରହଣ କରାଯାଇଥିଲେ ମଧ୍ୟ ଏଯାଏଁ ମାମଲା ରୁଜୁ ହୋଇନାହିଁ। ପୁଲିସ ପ୍ରାଥମିକ ଭାବେ ଘଟଣାର ଅନୁଧ୍ୟାନ କରୁଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ