ଟ୍ରାଫିକ ରେ ଫସିରହିଲା ୧୦୮ ଆମ୍ବୁଲାନ୍ସ , ଯନ୍ତ୍ରଣାରେ ଛଟପଟ ହେଲେ ଗର୍ଭବତୀ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡା ସହର ଦେଇ ଯାଇଥିବା ୫୨୦ନଂ ଜାତୀୟ ରାଜପଥର ଲହଣ୍ଡାଠାରେ ପ୍ରବଳ ଟ୍ରାଫିକ ଜାମ୍ରେ ଏକ ଆମ୍ବୁଲାନ୍ସ ଫସିଯିବାରୁ ଆମ୍ବୁଲାନ୍ସ ରେ ଥିବା ଗର୍ଭବତୀ ମହିଳା ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣାପଡିଛି । ଖବର ନେବାରୁ ଜଣାପଡିଛି ଯେ, ବଡବିଲ ଅଂଚଳରୁ ଏକ ଆମ୍ବୁଲାନ୍ସ ଯୋଗେ ଗର୍ଭବତୀ ମହିଳା ଓ ତାଙ୍କ ମା ବାସୁଦେବପୁର ଡାକ୍ତରଖାନା କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଯାଉଥିଲେ । ମଙ୍ଗଳବାର ଦିନ ପ୍ରାୟ ୨ ଘଟିକା ସମୟରେ ଲହଣ୍ଡାଠାରେ ପ୍ରବଳ ଟ୍ରାଫିକ ଜାମ୍ ରେ ଆମ୍ବୁଲାନ୍ସଟି ଫସିଯାଇଥିଲା । ଦୀର୍ଘ ପ୍ରାୟ ୧ ଘଂଟା ଧରି ସେଠାରେ ଅଟକି ରହିବା ପରେ ସ୍ଥାନୀୟ ଲୋକେ କୌଶଳ କରି ଉକ୍ତ ଆମ୍ବୁଲାନ୍ସଟିକୁ ଟ୍ରାଫିକ ଜାମରୁ ବାହାର କରିଥିଲେ । ହେଲେ ଡାକ୍ତରଖାନା ଅଭିମୁଖେ ଯିବା ପାଇଁ ଆଉ କୌଣସି ରାସ୍ତା ନଥିଲା । ଗର୍ଭବତୀ ମହିଳାଙ୍କ ମା ଏଣେ ତେଣେ ଫୋନ କରୁଥିବା ଦେଖିବାକୁ ମିଳିଥିଲା । ଆମ୍ବୁଲାନ୍ସ ଭିତରେ ଗର୍ଭବତୀ ମହିଳା ଜଣଙ୍କ ଯନ୍ତ୍ରଣାରେ ଛଟପଟ ହୋଇ ଚିତ୍କାର କରୁଥିବା ସ୍ଥାନୀୟ ଲୋକେ ଦେଖି ଟ୍ରାଫିକ ଜାମ୍ କୁ ହଟାଇବାକୁ ଉଦ୍ୟମ କରିଥିଲେ ହେଁ ବିଫଳ ହୋଇଥିଲେ । ତେବେ ରାସ୍ତାର ଦୁଇ ପାଶ୍ୱର୍ରେ ଲମ୍ବା ଲାଇନରେ ଟ୍ରକ, ଡମ୍ପର , ଛୋଟ ବଡ ଯାନବାହାନ ଧୀରେ ଧୀରେ ଚାଲୁଥିବାରୁ ଉକ୍ତ ଭିଡରେ ଆମ୍ବୁଲାନ୍ସ ଗାଡିଟିକୁ ସ୍ଥାନୀୟ ଲୋକେ ପାରି କରି ନେଉଥିଲେ । ଆମ୍ବୁଲାନ୍ସଟି ଅପରାହ୍ନ ସାଢେ ୩ ଘଟିକା ପର୍ଯ୍ୟନ୍ତ ବାସୁଦେବପୁର ଡାକ୍ତରଖାନାରେ ପହନଚି ନଥିବା ବାସୁଦେବପୁର ଡାକ୍ତରଖାନାର ଡାକ୍ତର ଫକୀର ମୋହନ ନାଏକଙ୍କଠାରୁ ସୂଚନା ମିଳିଥିଲା । ଏଠାରେ ପ୍ରକାଶ ଯୋଗ୍ୟକି , ପୂର୍ବରୁ ଅନେକ ସମୟରେ ଏହି ଟ୍ରାଫିକ ଜାମ୍ ହେତୁ ଆମ୍ବୁଲାନ୍ସ, ସ୍କୁଲ ବସ୍ , ଯାତ୍ରୀବାହୀ ବସ୍ କମାଣ୍ଡର ଅଟୋ, ବିଭିନ୍ନ ଜରୁରୀକାଳୀନ ସେବା ଯୋଗାଉଥିବା ଗାଡି ଗୁଡିକ ଟ୍ରାଫିକ ଜାମ୍ ରେ ଫସି ରହୁଥିବାରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲା ପ୍ରଶାସନ ପକ୍ଷରୁ ଏହାର ସମାଧାନ ପାଇଁ ବୈଠକ ପରେ ବୈଠକ କରାଯାଉଥିଲେ ହେଁ ସାମୟିକ କିଛି ଦିନ ଟ୍ରାଫିକ ସମସ୍ୟାରେ ସୁଧାର ଆସିବା ପରେ ପୁଣି ଥରେ ପୂର୍ବାବସ୍ଥା ଭଳି ସମସ୍ୟା ଦେଖିବାକୁ ମିଳୁଛି । ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଗୁଡିକ ଫେଲ ମାରୁଛି । ଦୈନିକ ଘନ୍ଟା ଘନ୍ଟା ଧରି ଟ୍ରାଫିକ ଜାମ୍ ରହୁଥିବାରୁ ଲୋକମାନେ ଅତିଷ୍ଟ ହୋଇପଡିଲେଣି । ବାହାର ରାଜ୍ୟରୁ ବଡ ବଡ ଟ୍ରକ, ଟ୍ରେଲର, ହାଇଓା ଗୁଡିକ ପରିବହନ ପାଇଁ ଆସୁଥିବାରୁ ଏହି ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଥିବା ସ୍ଥାନୀୟ ଅଂଚଳର ଯୁବକ ମନୋଜ ବେହେରା, ବସ୍ ଯାତ୍ରୀ ସୁରେଶ ମହାରଣା, ବିକାଶ ପ୍ରଧାନ, ସଂଜୁଲତା ମହାକୁଡ, ସୁବାଷ ମୁଣ୍ଡା ପ୍ରମୁଖ ଅଭିଯୋଗ କରିଥିଲେ । ସେମାନେ ଅଭିଯୋଗ କରିଥିଲେ ଯେ, ସରକାରଙ୍କର କେବଳ ଖଣି ରାଜସ୍ୱ ଚିନ୍ତା , ସାଧାରଣ ଲୋକ ଘନ୍ଟା ଘନ୍ଟା ଧରି ଭୋକ ଉପାସରେ ଟ୍ରାଫିକ ଜାମରେ ଫସି ରହୁଥିବା ସରକାରଙ୍କୁ ଦେଖାଯାଉନାହିଁ । ତେଣେ ଏହି ରାସ୍ତାର ମରାମତି ପାଇଁ ଓ ଶୃଙ୍ଖଳିତ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଜିଲାପାଳଙ୍କ ଠାରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଫଳ ଶୂନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ