ଡାକ୍ତର ନିଯୁକ୍ତି ଦାବୀ : ପୁଣି ବାଜିବ ଘଣ୍ଟ
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :-ଏମକେସିଜି ମେଡିକାଲରେ ଖାଲି ପଡ଼ିଥିବା ସମସ୍ତ ଡାକ୍ତର ପଦବୀ ତୁରନ୍ତ ପୂରଣ ଓ ରୋଗୀ ଦେଖା ସମୟରେ ଅନୁପସ୍ଥିତ ରହୁଥିବା ଡାକ୍ତରଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଦାବିନେଇ ଆଜି ଜିଲ୍ଲାର ବିଭିନ୍ନ ଗଣ ସଂଗଠନଙ୍କ ମିଳିତ ଉଦ୍ୟମ କ୍ରମେ ଏମକେସିଜି ମେଡିକାଲ ମୁଖ୍ୟ ଗେଟ ଠାରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି l ମାନବ ଅଧିକାର ସୁରକ୍ଷା ମଞ୍ଚ ଆବାହକ ଅବନୀ ଗୟା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବିକ୍ଷୋଭରେ ଜିଲ୍ଲାର ବିଭିନ୍ନ ଗଣ ସଂଗଠନ ନେତୃବୃନ୍ଦ ଯୋଗଦେଇଥିଲେ l ସୂଚନା ଯୋଗ୍ୟଯେ,ଦୀର୍ଘ ବର୍ଷରୁ ଦକ୍ଷିଣ ଓଡିଶାର ପ୍ରାଣକେନ୍ଦ୍ର ଏମକେସିଜି ମେଡିକାଲରେ ସ୍ୱାସ୍ଥ୍ୟ ସେବା ଅତ୍ୟନ୍ତ ସଂକଟlପନ୍ନ ଅବସ୍ଥାରେ ପହଁଚିଛି l ଦୈନିକ ହଜାର ହଜାର ରୋଗୀ ଚିକିତ୍ସା ସେବା ପାଇବାପାଇଁ ଏଠାକୁ ଆସୁଥିଲେ ବି ରାଜ୍ୟ ସରକାରଙ୍କ ଯୋଜନା ଗୁଡିକ ଅଧିକାଂଶ ସମୟରେ ଏଠାରେ କାର୍ଯ୍ୟ କରୁନାହିଁ l ଦୀର୍ଘ ବର୍ଷରୁ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ସଜାଡ଼ିବା ଦାବୀ ନେଇ ବ୍ରହ୍ମପୁର ସହରରେ ନିୟମିତ ଭାବେ ଜନ ଆନ୍ଦୋଳନ ଦେଖାଦେଇଛି l ଅନେକ ସମସ୍ୟାର ସମାଧାନ ହୋଇଥିଲେ ବି ସ୍ଥାୟୀ ପ୍ରତିକାର କରାଯାଇନାହିଁ l ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ ହୋଇଥିଲେ ବି ରୋଗୀ ସେବାରେ ଚରମ ଅବହେଳା ଦେଖାଦେଉଛି l ବହୁ ଅଭିଜ୍ଞତା ସମ୍ପନ୍ନ ବରିଷ୍ଠ ଡାକ୍ତର ମାନଙ୍କୁ ଏଠାରୁ ନିୟମିତ ପ୍ରକ୍ରିୟାରେ ଅନ୍ୟତ୍ର ବଦଳି କରାଯାଉଛି l ଏମକେସିଜି ମେଡିକାଲରେ ବର୍ତମାନ 60ପ୍ରତିଶତରୁ ଉର୍ଦ୍ଧ ଡାକ୍ତର ପଦବୀ ଖାଲି ପଡ଼ିଥିଲେ ବି ନୂତନ ଡାକ୍ତର ନିଯୁକ୍ତି ଦିଆଯାଉନାହିଁ l ଏହା ଦୀର୍ଘ ଦିନର ସମସ୍ୟା, ଏଥି ମଧ୍ୟରେ ଡାକ୍ତରୀ ସେବା ନ ପାଇ ଅନେକ ରୋଗୀ ଅକାଳ ମୃତ୍ୟୁର ଶିକାର ହୋଇଛନ୍ତି l ଏମକେସିଜି ମେଡିକାଲ ବର୍ତମାନ ମୃତ୍ୟୁର ତାଣ୍ଡବଲୀଳାର କ୍ଷେତ୍ର ପାଲଟିଛି l ଯାହା ପାଇଁ ସିଧା ସଳଖ ଭାବେ ରାଜ୍ୟ ସରକାର ହିଁ ଦାୟୀ l କେବଳ ମେଡିକାଲ ଛାତ୍ର ଛାତ୍ରୀଙ୍କ ଉପରେ ଦକ୍ଷିଣ ଓଡିଶାର ଏହି ମୁଖ୍ୟ ଚିକିତ୍ସାନୁଷ୍ଠାନର ସ୍ୱାସ୍ଥ୍ୟ ଚିକିତ୍ସା ଓ ରୋଗୀଙ୍କ ଜୀବନ କେତେଦୂର ସୁରକ୍ଷିତ ! ସୁପର ସ୍ପେସିଆଲିଟି ବ୍ଲକରେ ସୁପର ସ୍ପେସିଆଲିଷ୍ଟ ଡାକ୍ତର ଯେ ଆବଶ୍ୟକ, ଏହା ସରକାର ଜାଣି ମଧ୍ୟ ଡାକ୍ତର ନିଯୁକ୍ତି ଦେଉନାହାଁନ୍ତି l ଅନ୍ୟ ପକ୍ଷରେ ଏଠାରେ ନିୟୋଜିତ କିଛି ବରିଷ୍ଠ ଡାକ୍ତର ରୋଗୀ ଦେଖା ସମୟରେ ହସ୍ପିଟାଲକୁ ନ ଆସିବା ଆଉ ଏକ ଚିନ୍ତାର କାରଣ ହୋଇଛି l ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ l ନିଜ ନିଜ ଘରୋଇ କ୍ଲିନିକରେ ବ୍ୟସ୍ତ ରହି ବ୍ୟବସାୟ ଚଳାଇଥିବା କିଛି ଅସାଧୁ ଡାକ୍ତର ମାସ ପୁରିଲା ବେଳକୁ ଲକ୍ଷ ଲକ୍ଷ ଟଙ୍କା ଦରମା ନେଇଯିବା ଅତ୍ୟନ୍ତ ନିର୍ଲଜ ଓ ଲୋକଙ୍କ ରାଜସ୍ବ ଲୁଟ ପ୍ରକ୍ରିୟା ଅଟେ l ଏଣୁ ଏ ପ୍ରକାର ଦୁର୍ନୀତିକୁ ବନ୍ଦ କରିବାସହ ଖାଲି ପଡ଼ିଥିବା ସମସ୍ତ ଡାକ୍ତର ପଦବୀ ଅବିଳମ୍ବେ ପୂରଣ କରିବା ନିହାତି ଆବଶ୍ୟକ ରହିଛି, ତୁରନ୍ତ ଏହି ଦାବୀ ପ୍ରତି ଦୃଷ୍ଟି ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କରିଲେ ରାଜ୍ୟ ସରକାର ଜନ ଆନ୍ଦୋଳନର ସମ୍ମୁଖୀନ ହେବେ ବୋଲି ଆବାହକ ଆଇନଜୀବି ଅବନୀ ଗୟା ମତ ବ୍ୟକ୍ତ କରିଛନ୍ତି l ଡାକ୍ତର ନିଯୁକ୍ତି ଦିଆ ନଗଲେ ପୁଣି ଥରେ ଘଣ୍ଟ ଯାତ୍ରା ଆନ୍ଦୋଳନ ଆରମ୍ଭ ହେବ ବୋଲି ଉପସ୍ଥିତ ବୁଦ୍ଧିଜୀବୀ ମାନେ ଚେତାବନୀ ଦେଇଛନ୍ତି l ଆଜି ବରିଷ୍ଠ ସାମ୍ବାଦିକ ରବି ରଥ, ଫୋରମ ଫର ଗଞ୍ଜାମ ର ସୁଧୀର ରାଉତ,ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ନେତା ଶଙ୍କର ସାହୁ,ସେବା ନିବୃତ ଶିକ୍ଷକ କର୍ମଚାରୀ ସଂଘର ରାଜ୍ୟ ସମ୍ପାଦକ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ପୂଜ୍ୟ ପୂଜା ସମିତିର ସଭାପତି ବଂଶୀଧର ଭୂୟାଁ, ଜନ ଜାଗରଣ ମଞ୍ଚ ର ସମ୍ପାଦକ ଗଗନ ଚନ୍ଦ୍ର ମଲ୍ଲିକ,ସାମାଜିକ କର୍ମୀ ମନୋଜ କୁମାର ତରାଇ,ସlଲ୍ଲା. କେଶବ ଲିଙ୍ଗମ,ଡ଼. ଡମ୍ବୁରୁଧର ସାହୁ,ସୁବାଷ ଚନ୍ଦ୍ର ମିଶ୍ର,ଚତୁର୍ଭୁଜ ପାତ୍ର,ଏସ. ସlମ୍ବlଶିବା ରାଓ, ହୃଷିକେଶ ପାତ୍ର, ମନୋଜ ପଣ୍ଡିତ, ସୁଶାନ୍ତ ନାୟକ,ବଳରାମ ସାମଲ, ଗୌରୀ ଶଙ୍କର ମହାନ୍ତି, ସରିତା ପଣ୍ଡା,ବି. ଧର୍ମା ପାତ୍ର, ପି. ଏନ. ସାହୁ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ଡାକ୍ତର ନିଯୁକ୍ତି ପାଇଁ ଦାବୀ ଉପସ୍ଥାପନ କରିଛନ୍ତି l


