ତତଲା କଡ଼େଇରେ ସିଝିବ ଭାରତର ପ୍ରମୁଖ ସହର

ନୂଆଦିଲ୍ଲୀ: ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ବିଦର୍ଭରେ ଆଗାମୀ ୨୭ ଯାଏଁ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିବ। ଭାରତର ପ୍ରମୁଖ ସହରଗୁଡ଼ିକରେ ଭୀଷଣ ଗରମ ଅନୁଭୂତ ହେବ। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ଏଭଳି ସୂଚିତ କରିଛି। ବିଭାଗ କହିଛି ଯେ ଅତିପ୍ରବଳ ଗ୍ରୀଷ୍ମପ୍ରବାହ ଉତ୍ତରପଶ୍ଚିମ, କେନ୍ଦ୍ରୀୟ ଓ ଉପମହାଦେଶୀୟ ଭାରତରେ ଆଗାମୀ ଚାରି ପାଞ୍ଚ ଦିନ ପର୍ଯ୍ୟନ୍ତ ଲାଗି ରହିବ। ପାଣିପାଗ ବ୍ୟୁରୋ ନାରଙ୍ଗୀ ଚେତାବନୀ ଜାରି କରିଛି । କୌଣସି ଗ୍ରୀଷ୍ମପ୍ରବାହ ଯଦି ୪ ଦିନରୁ ବେଶି ଅବା କୌଣସି ପ୍ରବଳ ଗ୍ରୀଷ୍ମପ୍ରବାହ ୨ ଦିନରୁ ବେଶି ଦିନ ପର୍ଯ୍ୟନ୍ତ ରହିଥାଏ, ସେଭଳି କ୍ଷେତ୍ରରେ ଏକ ନାରଙ୍ଗୀ ଚେତାବନୀ ଜାରି ହୋଇଥାଏ।ଆଉ ଗ୍ରୀଷ୍ମପ୍ରବାହ ତାକୁ କହାଯାଇଥାଏ, ଯେତେବେଳେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ସେଣ୍ଟିଗ୍ରେଡ୍‌ ବା ସ୍ୱାଭାବିକ ତାପମାତ୍ରା ଠାରୁ ୪.୫ ଢିଗ୍ରୀ ବା ୬.୪ ଡିଗ୍ରି ମଧ୍ୟରେ ଅଧିକ ହୋଇଥାଏ କିମ୍ବା ସର୍ବାଧିକ ତାପମାତ୍ରା ଯେବେ ୪୫ ଡିଗ୍ରି ସେଣ୍ଟିଗ୍ରେଡ୍‌ରୁ ଉପରେ ଗୋଟିଏ ଉପଖଣ୍ଡର ଦୁଇଟି ସ୍ଥାନରେ ଲଗାତାର ଦୁଇ ଦିନ ପାଇଁ ରହିଥାଏ। ଏକ ପ୍ରବଳ ଗ୍ରୀଷ୍ମପ୍ରବାହ ସେତେବେଳେ ଘୋଷିତ ହୋଇଥାଏ, ଯେତେବେଳେ ସର୍ବାଧିକ ତାପମାତ୍ରା ଅନ୍ୟୂନ ୪୦ ଡିଗ୍ରି ସେଣ୍ଟିଗ୍ରେଡ୍‌ ଏବଂ ସ୍ୱାଭାବିକ ଠାରୁ ୬.୪ ଡିଗ୍ରି ଅଧିକ ରହିଥାଏ କିମ୍ବା ସର୍ବୋଚ୍ଚ ତାପମାତ୍ରା ୪୭ ଡିଗ୍ରିରୁ ଅଧିକ ରହିଥାଏ। ଶନିବାର ଉତ୍ତପ୍ତତମ ସହରଗୁଡ଼ିକ ହେଉଛି ଚୁରୁ ୪୬.୬, ଗଙ୍ଗାନଗର ୪୬.୬, ଝାନ୍‌ସୀ ୪୬.୧, ଆଗ୍ରା ୪୬, ଖୁଜୁରାହୋ ୪୬, ଅକୋଲା ୪୬, ନାଗପୁର ୪୬, ଗ୍ୱାଲିୟର ୪୫.୯, ପାଲାମ୍‌ ୪୫.୬, ଦିଲ୍ଲୀ (ସଫଦରଜଙ୍ଗ) ୪୪.୭, ବିଳାସପୁର ୪୪.୬, ରାୟପୁର ୪୪.୪, ମେଡକ ୪୪, ଭୋପାଳ ୪୩.୮, ଜୟପୁର ୪୩.୬, ହାଇଦ୍ରାବାଦ ୪୨.୮, ଚଣ୍ଡିଗଡ଼ ୪୧.୪ ଡିଗ୍ରି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ