ତିନୋଟି ସ୍ଥାନରେ ଟୀକା ବିକାଶ ଓ ଉତ୍ପାଦନ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତିନୋଟି ସହର ଗସ୍ତ କରି କରୋନା ଟୀକା ବିକାଶ ଏବଂ ଉତ୍ପାଦନ ପ୍ରକ୍ରିୟାର ବିସ୍ତୃତ ସମୀକ୍ଷା କରିଛନ୍ତି। ସେ ଅହମ୍ମଦାବାଦର ଜାଇଡସ ବାୟୋଟେକ ପାର୍କ, ହାଇଦ୍ରାବାଦର ଭାରତ ବାୟୋଟେକ ଏବଂ ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟ ପରିଦର୍ଶନ କରିଥିଲେ।
ଟୀକା ବିକାଶ ପ୍ରକ୍ରିୟାର ଏପରି ଗୁରୁତ୍ୱପୂର୍ଣ୍ଣ ସମୟରେ ସେମାନଙ୍କର ମନୋବଳ ବୃଦ୍ଧି କରିବା ଓ ସେମାନଙ୍କର ପ୍ରୟାସକୁ ତ୍ୱରାନ୍ୱିତ କରିବା ଲାଗି ପ୍ରଧାନମନ୍ତ୍ରୀ ସିଧାସଳଖ ସେମାନଙ୍କୁ ସାକ୍ଷାତ କରିବାକୁ ଆସିଥିବାରୁ ବୈଜ୍ଞାନିକମାନେ ଗଭୀର ଆନନ୍ଦ ପ୍ରକଟ କରିଥିଲେ। ଭାରତର ସ୍ୱଦେଶୀ ଟୀକା ବିକାଶ ବର୍ତ୍ତମାନସୁଦ୍ଧା ଏତେ ଦ୍ରୁତ ଗତିରେ ଅଗ୍ରଗତି ଲାଭ କରିବା ଗର୍ବର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଟୀକା ବିକାଶର ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଭାରତ କିଭଳି ଭାବେ ବିଜ୍ଞାନର ସଠିକ ନୀତିକୁ ପାଳନ କରୁଛି ସେ ସମ୍ପର୍କରେ ସେ କହିବା ସହିତ ଟୀକା ବିକାଶ ପ୍ରକ୍ରିୟାକୁ ଉନ୍ନତ କରିବା ଲାଗି କେତେକ ପରାମର୍ଶ ଲୋଡ଼ିଥିଲେ । ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଟୀକାଗୁଡ଼ିକୁ ଭାରତ କେବଳ ଏକ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରେ ନାହିଁ ବରଂ ବିଶ୍ୱର କଲ୍ୟାଣ ଦୃଷ୍ଟିରୁ ବିଚାର କରିଥାଏ। କରୋନା ଭୂତାଣୁ ବିରୋଧୀ ଲଢ଼େଇରେ ନିଜ ପଡ଼ୋଶୀ ଦେଶ ସମେତ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ସହାୟତା କରିବା ଭାରତର କର୍ତ୍ତବ୍ୟ । ଭାରତ କିଭଳି ଭାବେ ଏହାର ନିୟନ୍ତ୍ରକ ପ୍ରକ୍ରିୟାରେ ଉନ୍ନତି ଆଣି ପାରିବ ସେ ସମ୍ପର୍କରେ ମୁକ୍ତ ଏବଂ ଖୋଲାଖୋଲି ମତ ରଖିବା ନିମନ୍ତେ ସେ ବୈଜ୍ଞାନିକମାନଙ୍କୁ ଆହ୍ୱାନ କରିଥିଲେ। କୋଭିଡ-୧୯ର ଉନ୍ନତ ଚିକିତ୍ସା ଲାଗି କିପରି ଭାବେ ବିଭିନ୍ନ ନୂଆ ଏବଂ ନିର୍ଦ୍ଦିଷ୍ଟ ଔଷଧ ବିକଶିତ କରାଯାଉଛି ସେ ସମ୍ପର୍କରେ ବୈଜ୍ଞାନିକମାନେ ଆଲୋକପାତ କରିଥିଲେ । ଅହମ୍ମଦାବାଦସ୍ଥିତ ଜାଇଡସ ବାୟୋଟେକ ପରିଦର୍ଶନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ, “ଜାଇଡସ କ୍ୟାଡିଲା ଦ୍ୱାରା ବିକଶିତ କରାଯାଉଥିବା ଡିଏନଏ ଆଧାରିତ ସ୍ୱଦେଶୀ ଟୀକା ବିଷୟରେ ଅଧିକ ଜାଣିବା ଲାଗି ଅହମ୍ମଦାବାଦସ୍ଥିତ ଜାଇଡସ ବାୟୋଟେକ ପାର୍କ ପରିଦର୍ଶନ କଲି। ଏହି କାର‌୍ୟ୍ୟ ପଛରେ ଥିବା ଟିମର ପ୍ରୟାସକୁ ମୁଁ ପ୍ରଶଂସା କରୁଛି। ଏହି ଯାତ୍ରାରେ ସେମାନଙ୍କୁ ସହାୟତା ଦେବା ଲାଗି ଭାରତ ସରକାର ସେମାନଙ୍କ ସହିତ ସକ୍ରିୟ ଭାବେ କାର‌୍ୟ୍ୟ କରୁଛନ୍ତି । ସେହିପରି ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ ସୁବିଧା ପରିଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ କହିଥିଲେ, “ହାଇଦ୍ରାବାଦରେ ଥିବା ଭାରତ ବାୟୋଟେକ ସୁବିଧା ସ୍ଥଳରେ ସେମାନଙ୍କର ସ୍ୱଦେଶୀ କୋଭିଡ-୧୯ ଟୀକା ବିଷୟରେ ଜାଣିବାକୁ ପାଇଲି। ବର୍ତ୍ତମାନ ସୁଦ୍ଧା ହୋଇଥିବା ପରୀକ୍ଷଣରେ ଅଗ୍ରଗତି ପାଇଁ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି। ସେମାନଙ୍କ ଟିମ୍ ଦ୍ରୁତ ପ୍ରଗତି ପାଇଁ ଆଇସିଏମଆର ସହିତ ମିଶି କାମ କରୁଛି।”ସେରମ ଇନଷ୍ଟିଚ୍ୟୁଟ ଗସ୍ତ କରିବା ପରେ ପ୍ରଧାନମନ୍ତ୍ରୀ ଟୁଇଟ କରିଥିଲେ, “ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଟିମ ସହିତ ଭଲ ଆଲୋଚନା ହେଲା। ବର୍ତ୍ତମାନସୁଦ୍ଧା ହୋଇଥିବା ଅଗ୍ରଗତି ସମ୍ପର୍କରେ ସେମାନେ ବିସ୍ତୃତ ସୂଚନା ଦେବା ସହିତ ଟୀକା ଉତ୍ପାଦନକୁ କିଭଳି ଭାବେ ଆହୁରି ତ୍ୱରାନ୍ୱିତ କରାଯାଇପାରିବ ସେ ସମ୍ପର୍କରେ ସେମାନଙ୍କର ଯୋଜନାର ଅଗ୍ରଗତି ସମ୍ପର୍କରେ ସେମାନେ କହିଥିଲେ। ସେମାନଙ୍କର ଉତ୍ପାଦନ ସୁବିଧା ମଧ୍ୟ ବୁଲି ଦେଖିଲି”।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ