ତୃଣମୂଳରେ ସାମିଲ ହେଲେ ବାବୁଲ ସୁପ୍ରିୟୋ
କୋଲକାତା : ରାଜନୀତି ଛାଡ଼ିବାର ଘୋଷଣା କରିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ବାବୁଲ ସୁପ୍ରିୟୋ ତୃଣମୂଳ କଂଗ୍ରେସର ସଦସ୍ୟତା ନେଇଛନ୍ତି । ଏହାପରେ ସେ କହିଛନ୍ତି ଯେ ସେ ପଶ୍ଚିମବଙ୍ଗର ଲୋକଙ୍କ ସେବା କରିବା ପାଇଁ ତୃଣମୂଳରେ ଆସିଛି ।ଶନିବାର ଅପରାହ୍ନ ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ତାଙ୍କ ପାର୍ଟିର ସଦସ୍ୟତା ଦେଇଛନ୍ତି । ଏହାପରେ ତୃଣମୂଳ ଭବନରେ ଅଭିଷେକ ବାନାର୍ଜୀଙ୍କ ସହ ବାବୁଲ ସୁପ୍ରିୟୋ ମିଡିଆକୁ ଜଣାଇଛନ୍ତି । ବାବୁଲ ସୁପ୍ରିୟୋ କହିଛନ୍ତି ଯେ ସେ ରାଜନୀତି ଛାଡ଼ିବାର ଘୋଷଣା ମନରୁ କରିଥିଲେ ଏବଂ ଏବେ ପଶ୍ଚିମବଙ୍ଗର ଲୋକଙ୍କ ପାଇଁ କାମ କରିବାର ମୌକା ମନରୁ ହାସିଲ କରିଛନ୍ତି । ସୁପ୍ରିୟୋ ଏହାମଧ୍ୟ କହିଛନ୍ତି ଯେ ସେ ସୋମବାର ଦିନ ଦିଦି(ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ)ଙ୍କ ସହ ସାକ୍ଷାତ କରିବେ । ସେ କହିଛନ୍ତି ଯେ ତାଙ୍କର ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତା ହୋଇଛି । ତାଙ୍କୁ ପଶ୍ଚିମବଙ୍ଗର ଲୋକଙ୍କ ସେବାର ମୌକା ଦେବାର ଆଶ୍ୱାସନା ଦିଆଯାଇଛି । ସେ କହିଛନ୍ତି ଯେ ମମତା ଦିଦି ଏବଂ ଅଭିଷେକ ବାନାର୍ଜୀ ପାର୍ଟିରେ ତାଙ୍କୁ ଯେଉଁ ଦାୟିତ୍ୱ ଦେବେ ତା’ର ପାଳନ କରିବେ ।ବାବୁଲ୍ ସୁପ୍ରିୟୋ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ, ସେ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେବେ । ସେ କହିଛନ୍ତି ଯେ ସାଂସଦ ଭାବରେ ସେ କୌଣସି ଖରାପ କାମ କରିନାହାନ୍ତି । ଏବେ ଯେତେବେଳେ ଭାଜପା ଛାଡ଼ିଛନ୍ତି ତେବେ ଭାଜପାର ସାଂସଦ ପଦ ଧରିରଖିବାର ଅନୈତିକ କାମ କରିବେ ନାହିଁ । ସେ ସାଂସଦ ପଦ ଛାଡ଼ିଦେବେ ।


