ତେଜୁଛି ବିବାଦ : ଦୁଇ ଟ୍ରକ ମାଲିକ ମଧ୍ୟରେ ଚାଲିଛି ଶୀତଳ ଯୁଦ୍ଧ
ଯୋଡା, (ସମୀର ରଂଜନ ଦାସ): କେନ୍ଦୁଝର ଜିଲାର ଖଣି ବହୁଳ ଅଂଚଳ ଯୋଡାରେ ଦୁଇ ଗୋଟି ଟ୍ରକ ମାଲିକ ସଂଘ ମଧ୍ୟରେ ଶୀତଳ ଯୁଦ୍ଧ ଘନେଇବାରେ ଲାଗିଛି । ଗୋଟିଏ ସଂଘ ଯୋଡା ଟ୍ରକ ଓନରସ୍ ଆସୋସିଏସନ ଏବଂ ଅନ୍ୟଟି ନୂତନ ଭାବେ କାଳିମାଟି ଅଂଚଳରେ ଗଠନ ହୋଇଥିବା ଆଂଚଳିକ ଟ୍ରକ ଓନରସ୍ ଆସୋସିଏସନ । ଏହି ଦୁଇ ସଂଘ ମଧ୍ୟରେ ପରିବହନ କାର୍ଯ୍ୟକୁ କେନ୍ଦ୍ର କରି ବିବାଦ ଉପୁଜିଛି । ବିବାଦର ସମାଧାନ ପାଇଁ ଦୁଇ ସଂଘ ଯୋଡା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ୧୯୯୭ ମସିହାରୁ ଯୋଡା ଟ୍ରକ ଓନରସ୍ ଆସୋସିଏସନ ସର୍ବପୂରାତନ ସଂଘଭାବେ ଯୋଡା ଖଣି ମଣ୍ଡଳରେ କାର୍ଯ୍ୟ କରୁଅଛି । ଏହି ସଂଘରେ ପ୍ରାୟ ୨୩୫୦ ପଂଜିକୃତ ସଦସ୍ୟ ରହିଥିବା ସଂଘର ସକ୍ରିୟ ସଦସ୍ୟ ମାନସ ଦାସ ସୂଚନା ଦେଇଛନ୍ତି । ତେବେ କାଳିମାଟିଠାରେ ନୂତନ ଭାବେ ଗଠନ ହୋଇଥିବା ଆଂଚଳିକ ଟ୍ରକ ଓନରସ୍ ଆସୋସିଏସନରେ, ଯୋଡା ଟ୍ରକ ଓନରସ୍ ଆସୋସିଏସନର ପଂଜିକୃତ ସଦସ୍ୟମାନେ ଅଧିକ ପରିବହନ କାର୍ଯ୍ୟ ପାଇବା ଆଶାରେ ପୁନଃ ପଂଜିକୃତ କରିବା ପରେ ଏହି ବିବାଦ ଉପୁଜିଥିବା ଜଣାପଡିଛି । ଏ ନେଇ ଯୋଡା ଟ୍ରକ ଓନରସ୍ ଆସୋସିଏସନର ସଭାପତି ମାତାପ୍ରସାଦ ଜୟସ୍ୱାଲ କହିଛନ୍ତି ଯେ, ବିବାଦ କିଛି ନାହିଁ, ପୁରୁଣା ସଂଘରେ ଥିବା କିଛି ସଦସ୍ୟ ନୂତନ ଭାବେ ଗଢି ଉଠିଥିବା ଆଂଚଳିକ ଟ୍ରକ ଓନରସ୍ ଆସୋସିଏସନରେ ପଂଜିକୃତ ହୋଇ ଯାଇଛନ୍ତି । ଆଂଚଳିକ ଟ୍ରକ ଓନରସ୍ ଆସୋସିସଏନର ସମ୍ପାଦକ ରାଜେନ୍ଦ୍ର କୁମାର ବାରିକ କହିଛନ୍ତି ଯେ, ତାଙ୍କ ସଂଘରେ ପ୍ରାୟ ୯୦୦ ରୁ ଉର୍ଦ୍ଧ୍ୱ ମେମ୍ବର ପଂଜିକୃତ ସଦସ୍ୟ ରହିଛନ୍ତି । ଖଣିଜ ପରିବହନରେ ସଦସ୍ୟ ଅନୁଯାୟୀ କେଉଁ ସଂଘ କେତେ ଅନୁପାତରେ ପରିବହନ କାର୍ଯ୍ୟ କରିବ ଏ ନେଇ ତାଙ୍କ ସଂଘ ପକ୍ଷରୁ ସମସ୍ତ ତଥ୍ୟ ପ୍ରଶାସନକୁ ଦିଆଯାଇଛି । ପୋଲିସ ପ୍ରଶାସନ ଏହାର ଯାଂଚ କରି ଉଭୟ ସଂଘକୁ ପରିବହନ କାର୍ଯ୍ୟ ପ୍ରଦାନ କରିବେ । ତେଣେ ଖଣି ପ୍ରଭାବିତ ଅଂଚଳରେ ଥିବା ଟ୍ରକ ମାଲିକମାନେ ଅଗ୍ରାଧିକାର ଭିତିରେ କାର୍ଯ୍ୟ ପାଇବା ପାଇଁ ଦାବୀ ଆରମ୍ଭ କରିଥିବା ବାରିକ କହିଛନ୍ତି । ଏ ସଂକ୍ରାନ୍ତରେ ଯୋଡା ଥାନା ଅଧିକାରୀ ରାଇସେନ ମୁର୍ମୁ କହିଛନ୍ତି ଯେ, ବିବାଦର ସମାଧାନ ପାଇଁ ଉଭୟ ଟ୍ରକ ମାଲିକ ସଂଘକୁ ୭ ଦିନର ସମୟ ଅବଧି ଦିଆଯାଇଛି । ଏହି ସମୟସୀମା ମଧ୍ୟରେ ଉଭୟ ସଂଘ ପକ୍ଷରୁ ସେମାନଙ୍କର ପଂଜିକୃତ ସଦସ୍ୟମାନଙ୍କର ତାଲିକା ଉପସ୍ଥାପନ କରିବେ । ତଦନୁଯାୟୀ ଅନୁପାତ ଭିତିରେ ଉଭୟ ସଂଘକୁ ପରିବହନ କାର୍ଯ୍ୟ କରିବା ପାଇଁ ଅନୁମତି ପ୍ରଦାନ କରାଯିବ । ଦୁଇ ସଂଘ ମଧ୍ୟରେ ଏହି ପରି ବିବାଦ ଉପୁଜିବା ପରେ ଯୋଡା ଖଣି ମଣ୍ଡଳରେ ଆଂଚଳିକ ବିବାଦ ଦେଖା ଦେଇଛି । ଜିଲା ପ୍ରଶାସନର ଭୂମିକା ମଧ୍ୟ ଏଥିରେ ନିର୍ଣ୍ଣାୟକ ରହିଛି କାରଣ ଗୋଟିଏ ଅଂଚଳରେ ଏକାଧିକ ସଂଘକୁ ପଂଜିକୃତ ଅନୁମତି ଦିଆଯାଇଛି ।


